PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ବଡ଼ଦାଣ୍ଡରେ ଶାହଙ୍କ ରୋଡ୍‌ ସୋ’

ପୁରୀ,୯ ।୪(ବ୍ୟୁରୋ): ଗହଳିରେ ଫାଟି ପଡ଼ୁଥିଲା ଶ୍ରୀମନ୍ଦିର ସିଂହଦ୍ୱାର । ବଡ଼ଦାଣ୍ଡରେ ହଜାର ହଜାର ବିଜେପି କର୍ମୀଙ୍କ ଶୋଭାଯାତ୍ରା । ମରିଚିକୋଟ ଛକ ଠାରୁ ମେଡିକାଲ୍‌ ଛକ ପର୍ଯ୍ୟନ୍ତ ଚାଲିଥିଲା ବିଶାଳ ରୋଡ୍‌ ସୋ’ । ମୁଖ୍ୟ ଆକର୍ଷଣ ଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମତି ଶାହା । ରୋଡ୍‌ ସୋ’ରେ ସାମିଲ ହୋଇଥିଲେ ଦଳର ଜାତୀୟ ଓ ରାଜ୍ୟସ୍ତରୀୟ ବହୁ ବରିଷ୍ଠ ନେତା, ପ୍ରାର୍ଥୀ । ଆନନ୍ଦ ଓ ଉତ୍ତେଜନାରେ ଫାଟି ପଡ଼ୁଥିଲେ ଦଳୀୟ କର୍ମୀ । ଏହି ଅବସରରେ ପୁରୀ ସହର ହୋଇଯାଇଥିଲା ସମ୍ପୂର୍ଣ୍ଣ ଗେରୁଆ ଧ୍ୱଜାମୟ । ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କ ପ୍ରଚାର ପାଇଁ ମଙ୍ଗଳବାର ପୁରୀରେ ପହଞ୍ଚଥିଲେ ଶାହା । କମଲ୍‌ ଖିଲାନେ ଆଏ ହେଁ, ଅମିତ୍‌ ଶାହା ସ୍ୱାଗତମ୍‌, ଅମିତ୍‌ ଭାଇ ସ୍ୱାଗତମ୍‌, ମୋଦିଜୀ ଜିନ୍ଦାବାଦ ଆଦି ସ୍ଳୋଗାନରେ ବଡ଼ଦାଣ୍ଡ ଫାଟି ପଡୁଥିଲା । ଶାହାଙ୍କୁ ପୁରୀ ସହର ଏଭଳି ପରିବେଶରେ ସ୍ୱାଗତ କରିଥିଲା । ତାଙ୍କ ଶାଣିତ ଭାଷଣକୁ ଶୁଣିବାକୁ ସହରବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ ।

କିନ୍ତୁ ସମୟ ଅଭାବରୁ ମରିଚିକୋଟ ଓ ବଳଗଣ୍ଡି ଛକରେ ହେବାକୁ ଥିବା ପଥପ୍ରାନ୍ତ ସଭା ହୋଇ ପାରି ନ ଥିଲା । ଶାହା ମଞ୍ଚ ଉପରକୁ ଆସିନଥିଲେ । ସୂଚନା ମିଳିଛି ସଭା କରିବାକୁ ପ୍ରଶାସନ ଅନୁମତି ଦେଇନଥିଲା । ବଡ଼ଦାଣ୍ଡରେ ମାର୍କେଟ ଛକରୁ ରୋଡ୍‌ ସୋ’କୁ ଅଧାରୁ ଛାଡ଼ି ଶ୍ରୀ ଶାହା ରାତି ୮ଟା ପୂର୍ବରୁ ତାଳବଣିଆ ହେଲିପ୍ୟାଡ୍‌ ଅଭିମୁଖେ ଯାତ୍ରା କରିଥିଲେ । ରୋଡ୍‌ ସୋ କିନ୍ତୁ ମେଡିକାଲ ଛକ ପର୍ଯ୍ୟନ୍ତ ଯାଇଥିଲା । ସମୟ ଅଭାବରୁ ଶାହା ରୋଡ୍‌ ସୋ’କୁ ଅଧାରୁ ଛାଡିଥିବା ଦଳୀୟ ସୂତ୍ରରୁ ଖବର ମିଳିଛି । ଶାହାଙ୍କ ରୋଡ ସୋ’ର ଜନସମାଗମ କିନ୍ତୁ ଅନ୍ୟ ବିରୋଧୀ ଦଳଙ୍କ ଈର୍ଷାର କାରଣ ହୋଇଥିଲା ।

ସନ୍ଧ୍ୟା ଠିକ୍ ୬ଟାରେ ଶ୍ରୀ ଶାହା ଶ୍ରୀମନ୍ଦିର ସିଂହଦ୍ୱାର ସାମ୍‌ନାରେ ପହଞ୍ଚିଥିଲେ । ନିର୍ବାଚନରେ ଦଳର ବିଜୟ ପାଇଁ ସେ ସିଂହଦ୍ୱାରଠାରେ ମହାପ୍ରଭୁଙ୍କୁ ଦୀପ ଦାନ କରିଥିଲେ । ଶ୍ରୀମନ୍ଦିର ଭିତର କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ସାରି ସେ ମା’ବିମଳା ଏବଂ ମା ଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ । କୌଳିକ ପଣ୍ଡାଙ୍କ ସହ ଶାହା ଶ୍ରୀମନ୍ଦରି ଦର୍ଶନ ସାରି ସାଢ଼େ ଛଅଟାରେ ରୋଡ୍‌ ସୋ’କୁ ଫେରିଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ପୁରୀ ଲୋକସଭା ଆସନର ଦଳୀୟ ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ବିଭିନ୍ନ ବିଧାନସଭା ଆସନର ପ୍ରାର୍ଥୀମାନେ ସାମିଲ ହୋଇଥିଲେ ।

ସିଂହଦ୍ୱାର ବାହାରେ ହଜାର ହଜାର ସଂଖ୍ୟାରେ ବିଜେପି ସମର୍ଥକ ଅପେକ୍ଷା କରିଥିଲେ । ରୋଡ ସୋ’ରେ ବିଜେପି ସମର୍ଥକଙ୍କ ଗହଳି ବଡଦାଣ୍ଡ ସିଂହଦ୍ୱାର ଠାରୁ ଟାଉନ ଥାନା ପର୍ଯ୍ୟନ୍ତ ଲମ୍ବି ଯାଇଥିଲା । ମରିଚକୋଟ ଛକଠାରେ ଅପେକ୍ଷା କରିଥିବା ଏକ ଖୋଲା ଟ୍ରକରେ ଶ୍ରୀ ଶାହା ରୋଡ୍‌ ସୋ’ରେ ସାମିଲ ହୋଇଥିଲେ । ରୋଡ ସୋ’ରେ ବିଜେପିର ସମର୍ଥକଙ୍କ ଗହଳି ବଡଦାଣ୍ଡର ଟ୍ରାଫିକ ଜାମ୍‌ ହୋଇଥିଲା । ଶାହାଙ୍କ ପୁରୀ ଗସ୍ତ ଅବସରରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଥିଲା ।