ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍‌ର ଲାଞ୍ଚ ମାମଲାରେ ପ୍ରଥମ ଥର ମୁହଁ ଖୋଲିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ କହିଛନ୍ତି, ସରକାର ମିଡିଆ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଏ ନାହିଁ ବରଂ ଦସ୍ତାବିଜ ଆଧାରରେ ପଦକ୍ଷେପ ଗ୍ରହଣ କରେ । ଟିଭି କାର୍ଯ୍ୟକ୍ରମ ‘ଏଜେଣ୍ଡା ଆଜତକ୍‌’ରେ ଯୋଗ ଦେଇ ଅମିତ ଶାହ କହିଛନ୍ତି ଯେ, ‘ସରକାର ଗଣମାଧ୍ୟମର ରିପୋର୍ଟକୁ ନେଇ ସରକାର ଚାଲେ ନାହିଁ । ଯେତେବେଳେ ଆମ ପାଖକୁ ପ୍ରମାଣସିଦ୍ଧ ଦସ୍ତାବିଜ ଆସିବ ସେତେବେଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’ 

ଆଦାନୀ ମାମଲାରେ ଗୃହରେ ଆଲୋଚନା ଲାଗି ଲଗାତାର ବିରୋଧୀଙ୍କ ଦାବି ଭତରେ ଅମିତ ଶାହଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଆଦାନୀଙ୍କ ଉପରେ ଆମେରିକା ଯେଉଁ ଅଭିଯୋଗ ଆଣିଛି ତାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ କିଭଳି ଦେଖୁଛି ବୋଲି ଟିଭି କାର୍ଯ୍ୟକ୍ରମରେ ଶାହଙ୍କୁ ପଚରା ଯାଇଥିଲା । ଏହାର ଜବାବ ଦେଇ ଶାହ କହିଛନ୍ତି, ‘କୌଣସି ଗୋଟିଏ ଦେଶରେ କିଛି ମାମଲା ହୋଇଛି । ଏମିତିରେ କୌଣସି ସରକାର ସେହି ଅଭିଯୋଗ ଉପରେ ମିଡିଆ ରିପୋର୍ଟକୁ ନେଇ କାମ କରିପାରିବ ନାହିଁ । ଦୁନିଆର କୌଣସି ସରକାର ଏଭଳି କରିପାରିବ ନାହିଁ । ଯେବେ ଆମ ପାଖକୁ କାଗଜ ଆସିବ ଏହାର ଅଧ୍ୟୟନ କରାଯିବ, ସେତେବେଳେ ଦେଖିବା ।’ 

କଣ ଥିଲା ଅଭିଯୋଗ ?

ଆମେରିକାର ଆଇନ ବିଭାଗ ଗୌତମ ଆଦାନୀଙ୍କ ଉପରେ ସୌର ଶକ୍ତି ପ୍ରୋଜେକ୍ଟ ହାସଲ କରିବାକୁ ଲାଞ୍ଚ ଦେଇଥିବା ଏବଂ ଆମେରିକୀୟ ନିବେଶକଙ୍କୁ ଭୁଲ ଆର୍ଥିକ ସୂଚନା ପ୍ରଦାନ କରିଥିବା ନେଇ ଅଭିଯୋଗ ଆଣିଛି । ସେପଟେ ଆଦାନୀ ଗ୍ରୁପ୍‌ ଏହି ଅଭିଯୋଗର ସତ୍ୟତା ନାହିଁ ବୋଲି କହିବା ସହ ଏହାକୁ ଆଇନ୍‌ସମ୍ମତ ପଦ୍ଧତିରେ ଜବାବ ଦିଆଯିବ ବୋଲି କହିଛି ।