ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବିଜେପିର ପ୍ରଥମ ସରକାର ଗଢ଼ିବାକୁ ଯାଉଛି ଏବଂ ଶୁଭେନ୍ଦୁ ଅଧିକାରୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ। ବିଧାୟକ ଦଳର ନେତା ଭାବେ ତାଙ୍କ ନାମ ଘୋଷଣା ହେବା ପରେ ଗୃହମନ୍ତ୍ରୀ ଅମିତ ଶାହ ବଙ୍ଗଳାରେ ଦଳର ସଂଘର୍ଷକୁ ମନେ ପକାଇଛନ୍ତି।
୩୨୧ କର୍ମକର୍ତ୍ତାଙ୍କ ବଳିଦାନକୁ ସମ୍ମାନ-
ଅମିତ ଶାହ କହିଛନ୍ତି ଯେ, ଏହି ବିଜୟ ଯେତିକି ଆନନ୍ଦଦାୟକ, ଏହାର ପଥ ସେତିକି ଯନ୍ତ୍ରଣାଦାୟକ ଥିଲା। ରକ୍ତାକ୍ତ ସଂଘର୍ଷ ରାଜ୍ୟରେ ବିଜେପିକୁ ଶକ୍ତିଶାଳୀ କରିବା ପାଇଁ ଜୀବନ ହରାଇଥିବା ୩୨୧ ଜଣ କର୍ମକର୍ତ୍ତାଙ୍କୁ ସେ ଏହି ବିଜୟର ଶ୍ରେୟ ଦେଇଛନ୍ତି। ୨୦୧୪ରେ ଉପ-ନିର୍ବାଚନ ଜିତି ଖାତା ଖୋଲିଥିବା ବିଜେପି, ୨୦୨୧ରେ ୭୭ଟି ଆସନ ଏବଂ ଏବେ ୨୦୨୬ରେ ୨୦୭ଟି ଆସନ ସହ ସରକାର ଗଢ଼ିବାକୁ ଯାଉଛି।
ଗୃହମନ୍ତ୍ରୀ କହିଛନ୍ତି ଯେ, ବିଦେଶୀ ବିଚାରଧାରାରୁ ବଙ୍ଗଳାକୁ ମୁକ୍ତ କରି ଏବେ ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ ଏବଂ ରବୀନ୍ଦ୍ରନାଥ ଟାଗୋରଙ୍କ କଳ୍ପନାର ବଙ୍ଗଳା ଗଢ଼ାଯିବ। ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମିରେ ଆଜି ତାଙ୍କ ବିଚାରଧାରାର ସରକାର ଗଠନ ହୋଇଛି।
ଅନୁପ୍ରବେଶ ଓ ଗୋ-ଚାଲାଣ ଉପରେ ରୋକ୍-
ଶାହ କହିଛନ୍ତି ଯେ ଏବେ ଆସାମ, ତ୍ରିପୁରା ଏବଂ ପଶ୍ଚିମବଙ୍ଗରେ ବିଜେପି ସରକାର ଥିବାରୁ ବଙ୍ଗଳା ସୀମାକୁ ଦେଶର ସୁରକ୍ଷା ପାଇଁ ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରାଯିବ। ରାଜ୍ୟରେ ବେଆଇନ ଗୋ-ଚାଲାଣକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବ।
ମମତାଙ୍କୁ ଟାର୍ଗେଟ୍: ଘରେ ପଶି ହରାଇଲେ ଶୁଭେନ୍ଦୁ
ମମତା ବାନାର୍ଜୀଙ୍କ ପରାଜୟକୁ କଟାକ୍ଷ କରିଛନ୍ତି ଶାହ। କହିଛନ୍ତି ଯେ, ପୂର୍ବଥର ଶୁଭେନ୍ଦୁ ଦା' ନନ୍ଦୀଗ୍ରାମରେ ହରାଇଥିଲେ, କିନ୍ତୁ ଏଥର ଭବାନୀପୁରରେ ଅର୍ଥାତ୍ ଦିଦିଙ୍କ ନିଜ ଗଡ଼ରେ ପଶି ତାଙ୍କୁ ପରାସ୍ତ କରିଛନ୍ତି। ରାଜ୍ୟର ୨୩ଟି ଜିଲ୍ଲାରୁ ୨୦ଟିରେ ବିଜେପି ଏକ ନମ୍ବର ଦଳ ଭାବେ ଉଭା ହୋଇଛି।
ଆହୁରି ମଧ୍ୟ ପଢନ୍ତୁ : ଶୁଭେନ୍ଦୁ ଅଧିକାରୀ କିଏ , ଯାହାକୁ ବିଜେପି କରିଛି ବଙ୍ଗଳାର ମୁଖ୍ୟମନ୍ତ୍ରୀ ; ଦିନେ ମମତାଙ୍କର ଥିଲେ ଖୁବ୍ ନିକଟତର