ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ ପରେ ଏବେ ସରକାର ଗଠନ ପାଇଁ ପ୍ରସ୍ତୁତି ଜୋରଦାର। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ,ଶୁଭେନ୍ଦୁ ଅଧିକାରୀ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ହେବେ ଏବଂ ମେ’ ୯ ତାରିଖରେ ସେ ଶପଥ ଗ୍ରହଣ କରିବେ।

ଶୁଭେନ୍ଦୁଙ୍କ ରାଜନୈତିକ ଯାତ୍ରା :

କେବେ ମମତା ବାନାର୍ଜୀଙ୍କ ଅତି ନିକଟତର ଥିବା ଶୁଭେନ୍ଦୁ ଆଜି ତାଙ୍କର ସବୁଠାରୁ ବଡ଼ ବିରୋଧୀ। ନନ୍ଦୀଗ୍ରାମରୁ ନିଜର ପତିଆରା ଜାହିର କରିଥିବା ଶୁଭେନ୍ଦୁ, ମମତା ବାନାର୍ଜୀଙ୍କୁ କ୍ରମାଗତ ଦୁଇଥର ନିର୍ବାଚନରେ ପରାସ୍ତ କରି ‘ଜଏଣ୍ଟ କିଲର୍’ ଭାବେ ଉଭା ହୋଇଛନ୍ତି।

ତ୍ୟାଗ ଓ ସଂକଳ୍ପ :

ପୂର୍ବ ମେଦିନୀପୁରର ଏକ ପ୍ରଭାବଶାଳୀ ପରିବାରରେ ଜନ୍ମିତ ଶୁଭେନ୍ଦୁ ପିଲାଦିନୁ ଆଧ୍ୟାତ୍ମିକତା ପ୍ରତି ଆକର୍ଷିତ ଥିଲେ। ସେ ସାରା ଜୀବନ ଅବିବାହିତ ରହି ଜନସେବା କରିବାକୁ ସଂକଳ୍ପ ନେଇ ଥିଲେ।

ଶୁଭେନ୍ଦୁ ଅଧିକାରୀଙ୍କ ରାଜନୀତିକ ଯାତ୍ରା ୧୯୮୦ ଦଶକର ଶେଷରେ ଆରମ୍ଭ ହୋଇଥିଲା। ସେ କାନ୍ଥିର ପ୍ରଭାତ କୁମାର କଲେଜରୁ ଛାତ୍ର ରାଜନୀତିରେ ପାଦ ରଖିଥିଲେ। ଆରମ୍ଭରେ ସେ କଂଗ୍ରେସର ଛାତ୍ର ୟୁନିଟ ଛାତ୍ର ପରିଷଦ ସହ ଜଡ଼ିତ ଥିଲେ। ୧୯୯୫ରେ ସେ କାନ୍ଥି ମ୍ୟୁନିସପାଲିଟି ନିର୍ବାଚନ କଂଗ୍ରେସ ଟିକେଟ୍ରେ ଲଢିଥିଲେ ଏବଂ କାଉନସିଲର ହୋଇଥିଲେ। ଏହା ତାଙ୍କର ପ୍ରଥମ ବଡ଼ ନିର୍ବାଚନ ସଫଳତା ଥିଲା। ଏହି ସମୟରେ ବଙ୍ଗଳାରେ ବାମ ମୋର୍ଚ୍ଚାର ପ୍ରଭାବ ଥିଲା ଏବଂ କଂଗ୍ରେସ ଲଗାତାର ଦୁର୍ବଳ ହେଉଥିଲା।

ଏହାସହ ମଧ୍ୟ ପଢନ୍ତୁ : ଶୁଭେନ୍ଦୁ ଅଧିକାରୀ ହେବେ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ, ବିଜେପି ବିଧାୟକ ଦଳର ବୈଠକରେ ଲାଗିଲା ମୋହର

୧୯୯୮ର ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ଗଠନ କଲେ । ଆରମ୍ଭରେ ଶୁଭେନ୍ଦୁ ଅଧିକାରୀ ତୁରନ୍ତ ପାର୍ଟିରେ ସାମିଲ ହୋଇ ନଥିଲେ , କିନ୍ତୁ କିଛି ଦିନ ପରେ ସେ ଟିଏମସିକୁ ଆସିଥିଲେ। ତାଙ୍କ ପିତା ଶିଶିର ଅଧିକାରୀ ମଧ୍ୟ ମମତାଙ୍କ ସାଥିରେ ଥିଲେ। ୧୯୯୯ର ଲୋକସଭା ନିର୍ବାଚନରେ କାନ୍ଥି ଆସନରୁ ତୃଣମୂଳ ପ୍ରାର୍ଥୀ ନୀତୀସ ସେନଗୁପ୍ତାଙ୍କ ବିଜୟରେ ଅଧିକାରୀ ପରିବାରର ବଡ଼ ଭୂମିକା ରହିଛି। ଏହାପରେ ମମତା ଶୁଭେନ୍ଦୁଙ୍କ ଉପରେ ଭରସା ବଢାଇ ଥିଲେ ଏବଂ ୨୦୦୧ରେ ତାଙ୍କୁ ମୁଗବେଡିଆ ବିଧାନସଭା ସିଟରୁ ପ୍ରାର୍ଥୀ କରାଗଲା। ହେଲେ ସେ ବାମ ମୋର୍ଚ୍ଚା ନେତା କିରଣମୟ ନନ୍ଦାଙ୍କ ଠାରୁ ହାରି ଥିଲେ।

୨୦୦୨ରେ ତାମଲୁକ୍ ଲୋକସଭା ଆସନରୁ ନିର୍ବାଚନ ଲଢିବାରେ ମଧ୍ୟ ତାଙ୍କୁ ସିପିଏମର ଲକ୍ଷ୍ମଣ ସେଠଙ୍କ ଠାରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଲଗାତାର ଦୁଇଟି ବଡ଼ ପରାଜୟ ଶୁଭେନ୍ଦୁଙ୍କୁ ଝଟକା ନିଶ୍ଚୟ ଦେଇଥିଲା , ହେଲେ ସେ ରାଜନୀତି ଛାଡ଼ି ନଥିଲେ।

୨୦୦୬ ନିର୍ବାଚନ ଶୁଭେନ୍ଦୁଙ୍କ ପାଇଁ ଟର୍ଣ୍ଣିଂ ପଏଣ୍ଟ ଥିଲା। ସେ ଦକ୍ଷିଣ କାନ୍ଥି ଆସନକୁ ବିଜୟ ହାସଲ କରି ପ୍ରଥମ ଥର ବିଧାୟକ ହୋଇଥିଲେ। କିନ୍ତୁ ଅସଲ ପରିଚୟ ତାଙ୍କୁ ୨୦୦୭ର ନନ୍ଦୀଗ୍ରାମ ଆନ୍ଦୋଳନରୁ ମିଳିଲା। ଏହି ସମୟରେ ରାଜ୍ୟରେ ବାମ ମୋର୍ଚ୍ଚା ସରକାର ଉଦ୍ୟୋଗ ପରିପ୍ରଳ୍ପପ ପାଇଁ ଜମି ଅଧିଗ୍ରହଣ କରୁଥିଲା। ନନ୍ଦୀଗ୍ରାରେ ଏହାର ବଡ଼ ବିରୋଧ ହେରା ଏବଂ ଆନ୍ଦୋଳନ ହିଂସାତ୍ମକ ରୂପ ନେଲା । ଶୁଭେନ୍ଦୁ ଅଧିକାରୀ ଏହି ଆନ୍ଦୋଳନର ସବୁଠୁ ବଡ଼ ଚେହେରା ହୋଇ ଉଭା ହେଲେ।

ବିଜେପିରେ ଯୋଗ ଓ ବିଜୟ : ୧୯ ଡିସେମ୍ୱର ୨୦୨୦ରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହେବା ବଙ୍ଗଳା ରାଜନୀତିର ଗତିପଥ ବଦଳାଇ ଦେଇଥିଲା। ତାଙ୍କର ସାଂଗଠନିକ ଦକ୍ଷତା ଏବଂ ହିନ୍ଦୁ ଭୋଟରଙ୍କୁ ଏକଜୁଟ କରିବା ରଣନୀତି ଯୋଗୁଁ ଆଜି ବିଜେପି ବଙ୍ଗଳାରେ କ୍ଷମତା ହାସଲ କରିବାକୁ ଯାଉଛି।

ଶେଷରେ, ଜଣେ ସାଧାରଣ କର୍ମୀରୁ ମୁଖ୍ୟମନ୍ତ୍ରୀ ପଦ ପର୍ଯ୍ୟନ୍ତ ଶୁଭେନ୍ଦୁଙ୍କ ଏହି ଯାତ୍ରା ବଙ୍ଗଳା ରାଜନୀତିର ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି।