ନୂଆଦିଲ୍ଲୀ: ଭାରତ ‘ମୃତ ଅର୍ଥନୀତି’ ନୁହେଁ, ବରଂ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ବୋଲି ନୀତି ଆୟୋଗର ପୂର୍ବତନ ସିଇଓ ଅମିତାଭ କାନ୍ତ କହିଛନ୍ତି । ଶୁକ୍ରବାର (ଜୁଲାଇ ୦୮, ୨୦୨୫) ଅମିତାଭ କାନ୍ତ କହିଛନ୍ତି ଯେ, ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି । ବିଟି ଇଣ୍ଡିଆ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଭାରତ ମୃତ ଅର୍ଥନୀତି’ ମନ୍ତବ୍ୟ ଉପରେ ଅମିତାଭ କାନ୍ତ କଡ଼ା ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି ଯେ, ଯେତେବେଳେ କୌଣସି ସଙ୍କଟ ଆସେ, ଭାରତ ସର୍ବଦା ସାହାଯ୍ୟ କରେ। ଏହା ଏକ ସୁଯୋଗ, ଆମେ ବହୁ ସଂଖ୍ୟକ ନିୟମ, ପ୍ରକ୍ରିୟା ଏବଂ ନିୟମାବଳୀକୁ ସମାପ୍ତ କରି ଆଗକୁ ବଢ଼ିପାରିବା। ଅମିତାଭ କାନ୍ତ ଭାରତୀୟ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ପାଇଁ ଡିଜିଟାଲାଇଜେସନ୍ ଏବଂ ଭିତ୍ତିଭୂମିର ଅଭିବୃଦ୍ଧିକୁ ପ୍ରଶଂସା କରିଛନ୍ତି । ଭାରତରେ ଏପରି ଡିଜିଟାଲାଇଜେସନ୍ ହୋଇଛି, ଯାହା ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶ କରି ନାହାନ୍ତି । ଆମେ GST ଏବଂ IBC ଭଳି ପ୍ରମୁଖ ସଂସ୍କାର କାର୍ଯ୍ୟକାରୀ କରିଛୁ ।
ସେ ଆହୁରି କହିଛନ୍ତି ଯେ, ବିଦ୍ୟୁତୀକରଣ ହେଉ, ଗଣ ଗୃହ ନିର୍ମାଣ ହେଉ କିମ୍ବା ଦେଶରେ ୮୮୦୦୦ କିଲୋମିଟରରୁ ଅଧିକ ରାସ୍ତା ନିର୍ମାଣ ହେଉ, ଅନ୍ୟ ଦେଶ ଏପର୍ଯ୍ୟନ୍ତ ଭାରତ ପରି ଏତେ ବଡ଼ ପରିମାଣରେ ଭିତ୍ତିଭୂମି ବିକଶିତ କରିନାହାନ୍ତି । ଭାରତରେ ଡିଜିଟାଲ ପେମେଣ୍ଟ ସମ୍ପର୍କରେ ଅମିତାଭ କାନ୍ତ କହିଛନ୍ତି ଯେ, ବିଶ୍ୱର ଅନ୍ୟ କୌଣସି ଦେଶ ପାଖରେ ୧.୫ ବିଲିୟନ ଲୋକଙ୍କ ଡିଜିଟାଲ ପରିଚୟ ନାହିଁ । ଆମେ ଦ୍ରୁତ ପେମେଣ୍ଟ କ୍ଷେତ୍ରରେ ମଧ୍ୟ ଆଗରେ ଅଛୁ ।
ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି । ଗତ ମାସରେ ଘୋଷଣା କରାଯାଇଥିବା ୨୫ ପ୍ରତିଶତ ଶୁଳ୍କର ଦୁଇଗୁଣ । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆରେ ଲେଖିଥିଲେ, ‘ଭାରତ ଆମର ବନ୍ଧୁ, କିନ୍ତୁ ସେମାନଙ୍କର ଶୁଳ୍କ ବିଶ୍ୱରେ ସର୍ବାଧିକ । ଏହା ସହିତ, ଭାରତ ରୁଷରୁ ସର୍ବାଧିକ ସାମରିକ ଉପକରଣ ଏବଂ ତୈଳ କିଣୁଛି । ଯାହା ବର୍ତ୍ତମାନ ସମୟରେ ଠିକ୍ ନୁହେଁ।’