ମନୁଷ୍ୟ ଜୀବନରେ ଅମୃତବୃକ୍ଷ ଏବଂ ବିଷଫଳ ହେଉଛି ଦୁଇଟି ଗଭୀର ପ୍ରତୀକାତ୍ମକ ଧାରଣା । ଏହା କେବଳ ପ୍ରାକୃତିକ ଜଗତର ଉଦାହରଣ ନୁହେଁ, ବରଂ ମନୁଷ୍ୟର ଚିନ୍ତାଧାରା, ଆଚରଣ ଓ ନୈତିକତାର ଦୁଇ ପାଶ୍ୱର୍କୁ ପ୍ରକାଶ କରେ । ପ୍ରଥମ ପାଶ୍ୱର୍ରେ ଅମୃତବୃକ୍ଷ ଜୀବନ ଶାନ୍ତି ଓ ମଙ୍ଗଳର ପ୍ରତୀକ ହୋଇଥିବାବେଳେ ଦ୍ୱିତୀୟ ପାଶ୍ୱର୍ରେ ବିଷଫଳ ଅଜ୍ଞାନ, ଦୁଷ୍ଟତା ଓ ବିନାଶର ସଙ୍କେତ । ସଂସ୍କୃତ ନୀତିଶାସ୍ତ୍ରରେ କୁହାଯାଇଛି ଯେ, କୌଣସି ଜିନିଷ ନିଜେ ଖରାପ ହୋଇନଥାଏ, ବରଂ ତାହାର ଗୁଣ ଏବଂ ଆମର ବ୍ୟବହାର ହିଁ ତାହାକୁ ଅମୃତ କିମ୍ବା ବିଷ ସମାନ କରିଥାଏ । ଏ ସଂପର୍କରେ ଏକ ପ୍ରସିଦ୍ଧ ଶ୍ଳୋକ ହେଉଛି “ବିଷାଦପ୍ୟମୃତଂ ଗ୍ରାହ୍ୟଂ ବାଲାଦପି ସୁଭାଷିତମ୍, ଅମିତ୍ରାଦପି ସଦ୍ୱତ୍ତଂ ମେଧାଦପି କାଞ୍ଚନମ୍” । ଅର୍ଥାତ୍, ବିଷ ମଧ୍ୟରୁ ଯଦି ଅମୃତ ମିଳେ, ତେବେ ତାହା ଗ୍ରହଣ କରିବା ଉଚିତ । ଜଣେ ବାଳକ ବା ଛୋଟ ପିଲାଠାରୁ ମଧ୍ୟ ଯଦି କିଛି ଭଲ କଥା ବା ଶିକ୍ଷା ମିଳେ, ତାହା ଗ୍ରହଣଯୋଗ୍ୟ । ଜଣେ ଶତ୍ରୁ ପାଖରେ ଯଦି ଭଲ ଗୁଣ ବା ସ୍ୱଭାବ ଥାଏ, ତାକୁ ଶିଖିବା ଉଚିତ । ଅପବିତ୍ର ବା ଅଶୁଦ୍ଧ ସ୍ଥାନରୁ ମଧ୍ୟ ସୁନା (କାଞ୍ଚନ) ମିଳିଲେ ତାହା ତ୍ୟାଗ କରିବା ଉଚିତ ନୁହେଁ । ଓଡ଼ିଆ ସାହିତ୍ୟ ଓ ଆଧ୍ୟାତ୍ମିକ ଚେତନାରେ ଅମୃତବୃକ୍ଷ ଏବଂ ବିଷଫଳ ଏକ ତାତ୍ତ୍ୱିକ ରୂପକ । ଏହା କେବଳ ବୃକ୍ଷ ବା ଫଳର କଥା ନୁହେଁ, ବରଂ ମାନବ ଜୀବନର କର୍ମ, ଚିନ୍ତାଧାରା ଏବଂ ସଂସାରର ଦ୍ୱେତଭାବକୁ ବୁଝାଇଥାଏ ।

ଭାରତୀୟ ଦର୍ଶନରେ ଅମୃତ ହେଉଛି ଅବିନାଶୀ ଏବଂ ଶାଶ୍ୱତ । ଅମୃତବୃକ୍ଷ ମନୁଷ୍ୟର ସଦ୍ଜ୍ଞାନ ଓ ସାତ୍ତ୍ୱିକତାକୁ ପ୍ରତିନିଧିତ୍ୱ କରେ । ଯେଉଁଠାରେ ଆତ୍ମଜ୍ଞାନ ବା ବ୍ରହ୍ମଜ୍ଞାନ ରହିଛି, ତାହା ହିଁ ଅମୃତବୃକ୍ଷ । ଏହାର ଶୀତଳ ଛାୟା ମନୁଷ୍ୟକୁ ସଂସାରର ଜ୍ୱଳାରୁ ମୁକ୍ତି ଦିଏ । ପରମାତ୍ମାଙ୍କ ପ୍ରତି ଥିବା ନିଷ୍କାମ ଭକ୍ତିକୁ ଅମୃତଫଳ ସହିତ ତୁଳନା କରାଯାଇଛି, ଯାହା ମନୁଷ୍ୟକୁ ମୋକ୍ଷ ପ୍ରଦାନ କରିଥାଏ । ଅନ୍ୟପକ୍ଷରେ ବିଷଫଳ ହେଉଛି ମନୁଷ୍ୟର ଅହଂକାର ଅଜ୍ଞାନତା ଏବଂ ସାଂସାରିକ ମାୟାର ପରିଣାମ । ସଂସାରରେ ଭୋଗ ବିଳାସ ଦେଖିବାକୁ ଅତି ସୁନ୍ଦର ଓ ମଧୁର ପ୍ରତୀତ ହେଉଥିଲେ ମଧ୍ୟ ଏହାର ପରିଣାମ ଦୁଃଖଦାୟକ । ଏହା ହିଁ ବିଷଫଳ । ମନୁଷ୍ୟ ଯେତେବେଳେ କାମନା, କ୍ରୋଧ ଏବଂ ଲୋଭର ବଶବର୍ତ୍ତୀ ହୋଇ କର୍ମ କରେ, ସେତେବେଳେ ସେ ଅଜାଣତରେ ବିଷଫଳ ଭକ୍ଷଣ କରେ, ଯାହା ତାକୁ ଜନ୍ମ-ମୃତ୍ୟୁ ଚକ୍ରରେ ବାନ୍ଧିରଖେ । ସଂସାର ରୂପକ ବୃକ୍ଷରେ ଅମୃତ ଓ ବିଷ ବିଦ୍ୟମାନ । ମନୁଷ୍ୟର ବିବେକ ସ୍ଥିର କରେ ସେ କେଉଁଟିକୁ ଚୟନ କରିବ । ମୁଣ୍ଡକ ଉପନିଷଦରେ ଦୁଇଟି ପକ୍ଷୀଙ୍କ ଉଦାହରଣ ଦିଆଯାଇଛି । ଜଣେ ଫଳ ଭୋଗ କରୁଛି (ଜୀବାତ୍ମା) ଏବଂ ଅନ୍ୟ ଜଣେ ସାକ୍ଷୀରୂପେ ଦେଖୁଛି (ପରମାତ୍ମା) । ଯେତେବେଳେ ଜୀବ ବିଷଫଳ ବା ସାଂସାରିକ ଭୋଗରେ ନିମଗ୍ନ ହୁଏ ସେ ଦୁଃଖ ପାଏ, ଅମୃତବୃକ୍ଷ ହେଉଛି ଆଧ୍ୟାତ୍ମିକ ଚେତନା ଏବଂ ବିଷଫଳ ହେଉଛି ଭୌତିକ ଆସକ୍ତି, ମନୁଷ୍ୟ ନିଜର ଚିନ୍ତାଧାରାକୁ ଶୁଦ୍ଧ କରି ବିଷୟ ବାସନାରୁ ଦୂରେଇ ରହିଲେ ହିଁ ସେ ଶାଶ୍ୱତ ଅମୃତର ସ୍ୱାଦ ପାଇପାରିବ ।

ଜୀବନରେ ଆମର ମନ ହେଉଛି ଏକ ବୃକ୍ଷସଦୃଶ । ଏହି ବୃକ୍ଷରୁ ଆମେ କି ପ୍ରକାର ଫଳ ଆଶା କରିବା ତାହା ଆମର ସଂସ୍କାର ଓ କର୍ମ ଉପରେ ନିର୍ଭର କରେ । ଯଦି ଆମର ଚିନ୍ତାଧାରା ଓ କର୍ମ ଅମୃତ ସମାନ ପବିତ୍ର ହୁଏ, ତେବେ ତାର ପରିଣାମ ସୁଖଦ ହୋଇଯାଏ । ଯଦି ବୃକ୍ଷଟି ଅହଂକାର, ଈର୍ଷା କିମ୍ବା ମନ୍ଦ ଉଦ୍ଦେଶ୍ୟ ରୂପକ ବିଷରେ ପରିପୂର୍ଣ୍ଣ ରହେ, ତେବେ ସେଥିରୁ ଜନ୍ମ ନେଉଥିବା ଫଳ ମଧ୍ୟ ବିଷାକ୍ତ ହୋଇଥାଏ । ମନୁଷ୍ୟ ନିଜ ଭିତରେ ଥିବା ବିଷାକ୍ତ ଚିନ୍ତାଧାରା ତ୍ୟାଗ କରି ଯଦି ଜ୍ଞାନ ଓ ସେବାର ଅମୃତବୃକ୍ଷ ରୋପଣ କରେ ତେବେ ସେ ସାର୍ଥକ ଜୀବନ ବିତାଇବା ସହ ସମାଜକୁ ମଧ୍ୟ ଦିଗ୍ଦର୍ଶନ ଦେଇପାରେ । ଭାରତୀୟ ଦର୍ଶନ ଶାସ୍ତ୍ର ବିଶେଷକରି ବେଦ, ଉପନିଷଦ ଏବଂ ଶ୍ରୀମଦ୍ ଭଗବତ ଗୀତାରେ ଅମୃତବୃକ୍ଷ ଏବଂ ବିଷଫଳର ଏକ ଗଭୀର ଆଧ୍ୟାତ୍ମିକ ବ୍ୟାଖ୍ୟା ରହିଛି । ଏହା ମନୁଷ୍ୟର ଚେତନା ଏବଂ ତାର ସଂସାର ପ୍ରତି ଥିବା ଦୃଷ୍ଟିଭଙ୍ଗୀକୁ ସୂଚାଇଥାଏ । ଉପନିଷଦରେ ଲେଖାଅଛି “ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟମେତଃ, ତୌ ସଂପରିତ୍ୟ ବିଦିନାକ୍ତି ଧୀରଃ, ଶ୍ରେୟଃ ହି ଧୀରଃ ଅଭିପ୍ରେୟସୀ ବୃଷିତେ, ପ୍ରେୟୋ ମନ୍ଦୋ ଯୋଗକ୍ଷମାତ୍ ବୃଣୀତେଃ” । ଅର୍ଥାତ୍ ମନୁଷ୍ୟଙ୍କ ଆଗରେ ଦୁଇଟି ପଥ ଥାଏ: ଶ୍ରେୟ (ଉତ୍ତମ, ଅମୃତଫଳ) ଏବଂ ପ୍ରେୟ (ଇନ୍ଦ୍ରିୟ ସୁଖ, ବିଷଫଳ) । ବୁଦ୍ଧିମାନ ମନୁଷ୍ୟ ଶ୍ରେୟକୁ ବାଛେ ଏବଂ ଅଜ୍ଞାନ ମନୁଷ୍ୟ ପ୍ରେୟକୁ ବାଛେ । ଭଗବତ୍ ଗୀତାରେ ‘ଅମୃତଫଳ’ ଏବଂ ‘ବିଷଫଳ’ ଶବ୍ଦ ଏକବାରେ ନଥିଲେ ମଧ୍ୟ ତାହାର ଗଭୀର ତତ୍ତ୍ୱ-ସାତ୍ତ୍ୱିକ ସୁଖ (ଅମୃତ ସଦୃଶ) ଓ ରାଜସିକ/ତାମସିକ ସୁଖ (ବିଷ ସଦୃଶ) ବୋଲି କେତେକ ଶ୍ଳୋକରେ ବର୍ଣ୍ଣନା କରାଯାଇଛି । ଯେଉଁ ସୁଖ ଆରମ୍ଭରେ ବିଷ ସଦୃଶ ଲାଗେ (କଷ୍ଟଦାୟକ) କିନ୍ତୁ ପରିଣାମରେ ଅମୃତ ସଦୃଶ ହୁଏ, ସେହି ସୁଖକୁ ସାତ୍ତ୍ୱିକ ସୁଖ କୁହାଯାଏ । ଅନ୍ୟପକ୍ଷରେ ଯେଉଁ ସୁଖ ଇନ୍ଦ୍ରିୟ ଓ ବିଷୟ ସଂଯୋଗରେ ଆସେ, ଆରମ୍ଭରୁ ଅମୃତ ସଦୃଶ ଲାଗେ କିନ୍ତୁ ପରେ ବିଷ ସଦୃଶ ହୋଇଯାଏ, ସେହି ସୁଖକୁ ରାଜସିକ/ତାମସିକ ସୁଖ କୁହାଯାଏ ।

କଠୋପନିଷଦ ଓ ଋଗ୍ ବେଦରେ ସଂସାରକୁ ଏକ ଓଲଟବୃକ୍ଷ ବା ଊଦ୍ଧ୍ୱର୍ମୂଳ ବୃକ୍ଷଭାବରେ ବର୍ଣ୍ଣନା କରାଯାଇଛି । ଏହି ବୃକ୍ଷର ମୂଳ ହେଉଛି ପରମାତ୍ମା, ଯିଏ ଅମୃତ ସ୍ୱରୂପ ଯେଉଁ ମନୁଷ୍ୟ ନିଜର ମୂଳ ବା ଆତ୍ମାକୁ ଚିହ୍ନିପାରେ ସେ ଅମରତ୍ୱ ଲାଭ କରେ । ସଂସାରର ବିଷୟ ବାସନା ମାୟା ଓ ଅହଂକାର ହେଉଛି ଏହାର ଶାଖା ପ୍ରଶାଖା । ଯେତେବେଳେ ମନୁଷ୍ୟ କେବଳ ବାହ୍ୟଜଗତର ସୁଖରେ ମଜ୍ଜିରହେ, ସେ ବିଷଫଳ (ଦୁଃଖ ଓ ଜନ୍ମ ମୃତ୍ୟୁ ଚକ୍ର) ଭୋଗ କରେ । ମନୁଷ୍ୟ ଜୀବନ ହେଉଛି ପ୍ରକୃତିର ଏକ ଅଦ୍ଭୁତ ସୃଷ୍ଟି । ଏହି ଜୀବନକୁ ଏକ ବୃକ୍ଷ ସହିତ ତୁଳନା କରାଯାଇଛି, ଯାହା ଏକାଧାରରେ ଅମୃତ ଓ ବିଷର ଆଧାର ହୋଇଥାଏ । ମନୁଷ୍ୟର ମନ ହେଉଛି ସେହି ମଞ୍ଜି, ଯେଉଁଠାରୁ ଜୀବନର ବୃକ୍ଷ ଅଙ୍କୁରିତ ହୁଏ । ଯଦି ମନରେ ସଦ୍ଭାବନା, ପ୍ରେମ, ଦୟା ଓ ସେବା ଭାବନା ଥାଏ, ତେବେ ସେହି ବୃକ୍ଷ ଅମୃତବୃକ୍ଷ ପାଲଟିଯାଏ । ଏହି ଅମୃତବୃକ୍ଷରୁ ମିଳୁଥିବା ଶାନ୍ତି, ସନ୍ତୋଷ ଓ ଆନନ୍ଦ ହିଁ ପ୍ରକୃତ ସୁଖ । ଅନ୍ୟପକ୍ଷରେ ଯେତେବେଳେ ମନୁଷ୍ୟର ମନ ଅହଂକାର, କ୍ରୋଧ, ଈର୍ଷା ଏବଂ ଲୋଭ ଭଳି କୁ-ପ୍ରଭାବ ଦ୍ୱାରା କବଳିତ ହୁଏ, ସେହି ବୃକ୍ଷରେ ବିଷଫଳ ଧରିଥାଏ । ଏହି ବିଷଫଳ ମନୁଷ୍ୟକୁ ମାନସିକ ଅଶାନ୍ତି ଏବଂ ବିନାଶ ଆଡ଼କୁ ଟାଣିନିଏ । ବୈଦିକ ଦର୍ଶନ ଅନୁସାରେ, ମନୁଷ୍ୟ ଜୀବନକୁ ଅଶ୍ୱତ୍ଥ ବୃକ୍ଷ ସହିତ ତୁଳନା କରାଯାଇଛି । ଶ୍ରୀମଦ୍ ଭଗବତ୍ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି– ଊଦ୍ଧ୍ୱର୍ମୂଳ ମଧ୍ୟଃ ଶାଖମଶ୍ୱତ୍ଥଂ ପ୍ରାଦୁରବ୍ୟୟଂ, ଅର୍ଥାତ୍- ସଂସାରରୂପୀ ଏକ ଅଶ୍ୱତ୍ଥ ବୃକ୍ଷ ଅଛି । ଏହାର ମୂଳ ଉପରକୁବ୍ରହ୍ମାଙ୍କଠାରେ ଅବସ୍ଥିତ ଏବଂ ଶାଖା ତଳକୁ- ମନୁଷ୍ୟ ଜୀବନ ଏବଂ ସଂସାର ଆଡ଼କୁ ବିସ୍ତାରିତ । ଏହି ବୃକ୍ଷର ବିଭିନ୍ନ ଅଙ୍ଗ ମନୁଷ୍ୟ ଜୀବନର ବିଭିନ୍ନ ଅବସ୍ଥାକୁ ବୁଝାଏ ଯଥା- ମୂଳ (ଈଶ୍ୱରଙ୍କଠାରେ ଥିବା ମନୁଷ୍ୟର ମୂଳ ଉତ୍ସ), ଡାଳ (ଶାଖା), କର୍ମ, ଇନ୍ଦ୍ରିୟ ଓ ସଂସାରର ବିଭିନ୍ନ ପଥ, ପତ୍ର (ବେଦ, ଶାସ୍ତ୍ର ଓ ଜ୍ଞାନ) ଏବଂ ଫଳ (କର୍ମର ଫଳ): ସୁଖ ଦୁଃଖ ଏହି ବୃକ୍ଷର ପୋଷଣ କର୍ମ ଓ ଇନ୍ଦ୍ରିୟ ଦ୍ୱାରା ହୁଏ । ଯେପର୍ଯ୍ୟନ୍ତ ମନୁଷ୍ୟ ଏହି ବୃକ୍ଷର ମୂଳ(ପରମାତ୍ମା)କୁ ଚିହ୍ନିନପାରେ, ସେ ସଂସାରରୂପୀ ଡାଳରେ ଝୁଲିଥାଏ । ଯେତେବେଳେ ସେ ଆତ୍ମଜ୍ଞାନ ଦ୍ୱାରା ଏହି ବୃକ୍ଷକୁ କାଟିଦିଏ (ମାୟାର ବନ୍ଧନ କାଟେ), ସେ ମୁକ୍ତିଲାଭ କରେ । ଜୀବନରେ କେବଳ ଅମୃତ କିମ୍ବା କେବଳ ବିଷ ରହିବା ଅସମ୍ଭବ । ଏହି ଦୁଇଟିର ସମନ୍ୱୟରେ ହିଁ ମାନବ ଜୀବନ ଗତିଶୀଳ ।

ସାଂପ୍ରତିକ ବସ୍ତୁବାଦୀ ଦୁନିଆରେ ଅମୃତବୃକ୍ଷ (ସଦ୍ଗୁଣ, ଆଧ୍ୟାତ୍ମିକତା ଓ ମାନବିକତା) ଏବଂ ବିଷଫଳ (ଲୋଭ, କ୍ରୋଧ ଓ ନୈତିକ ଅଧଃପତନ) ମଧ୍ୟରେ ମନୁଷ୍ୟର ଭୂମିକା ନିର୍ଣ୍ଣାୟକ ଅଟେ । ବସ୍ତୁବାଦୀ ମୋହ ଏବଂ ବିଷଫଳର ଆକର୍ଷଣ ମନୁଷ୍ୟ ମନରେ ସ୍ୱାର୍ଥପରତା ସୃଷ୍ଟି କରୁଛି, ଫଳରେ ତାର ନୈତିକ ଅଧଃପତନ ଘଟୁଛି । ଅମୃତବୃକ୍ଷ ହେଉଛି ଆମର ସଂସ୍କାର, ଧୈର୍ଯ୍ୟ ଓ ପରୋପକାର ଚିନ୍ତାଧାରା । ମନୁଷ୍ୟ ହେଉଛି ଏକମାତ୍ର ପ୍ରାଣୀ ଯାହା ପାଖରେ ବିବେକ ଅଛି । ବସ୍ତୁବାଦୀ ଜଗତରେ ବଞ୍ଚିବା ପାଇଁ ଅର୍ଥ ଦରକାର, କିନ୍ତୁ ଜୀବନ ଜିତିବା ପାଇଁ ଆଧ୍ୟାତ୍ମିକତା ଏବଂ ମୂଲ୍ୟବୋଧରୂପୀ ଅମୃତ ଅପରିହାର୍ଯ୍ୟ ।

ଅମୃତବୃକ୍ଷ ଏବଂ ବିଷଫଳ ମଧ୍ୟରେ ସମନ୍ୱୟ ରକ୍ଷାକରି ଏକ ସାର୍ଥକ ଜୀବନ ଯାପନ କରିବା ପାଇଁ ମନୁଷ୍ୟର ବିବେକ ହିଁ ଏକମାତ୍ର ସାରଥି । ବସ୍ତୁବାଦୀ ଦୁନିଆରେ ଆମେ ସଂପୂର୍ଣ୍ଣଭାବେ ସଂସାରକୁ ତ୍ୟାଗ କରିପାରିବା ନାହିଁ, କିନ୍ତୁ ବିବେକ ବଳରେ ଆମେ ଅମୃତର ସନ୍ଧାନ କରିପାରିବା । ଭଗବତ୍ ଗୀତାର ଶିକ୍ଷା ଅନୁଯାୟୀ, ସଂସାରରେ ରହି ମଧ୍ୟ ନିର୍ଲିପ୍ତ ରହିବା ହିଁ ପ୍ରକୃତ ସମନ୍ୱୟ । ଅମୃତବୃକ୍ଷ ଏବଂ ବିଷଫଳ ପରସ୍ପର ବିରୋଧୀ ନୁହଁନ୍ତି ବରଂ ଗୋଟିଏ ଜୀବନର ଦୁଇଟି ଦିଗ । ବିଷାକ୍ତ ପରିବେଶ ମଧ୍ୟରେ ରହି ନିଜ ଭିତରେ ଅମୃତ ଧାରାକୁ ବଞ୍ଚାଇ ରଖିବା ହିଁ ମନୁଷ୍ୟ ଜୀବନର ଶ୍ରେଷ୍ଠତା । ବିବେକ ଯେତେବେଳେ ଜାଗ୍ରତ ହୁଏ ମନୁଷ୍ୟ ବୁଝିପାରେ ଯେ ସଂସାର ବିଷ ନୁହେଁ, ସଂସାର ପ୍ରତି ଆମର ଭୁଲ୍ ଦୃଷ୍ଟିକୋଣ ହିଁ ବିଷ । ତାତ୍ତ୍ୱିକ ଦୃଷ୍ଟିକୋଣରୁ ଅମୃତବୃକ୍ଷ ଓ ବିଷଫଳ ମନୁଷ୍ୟର ଅନ୍ତର୍ଜାତ ଦ୍ୱନ୍ଦ୍ୱର ପ୍ରତୀକ- ଏକ ଶୁଭ ଏବଂ ଅନ୍ୟଟି ଅଶୁଭ, ଯେଉଁ ପ୍ରବୃତ୍ତିକୁ ଆମେ ପୋଷଣ କରୁ, ସେହି ଅନୁଯାୟୀ ଫଳ ମିଳେ । ଏହା କର୍ମ ସିଦ୍ଧାନ୍ତ ସହିତ ସଂପୃକ୍ତ । ଯେପରି କର୍ମ, ସେପରି ଫଳ, ଅମୃତବୃକ୍ଷ ଓ ବିଷଫଳ ମନୁଷ୍ୟ ଜୀବନର ଦୁଇଟି ପଥ, ଏକ ଶାନ୍ତି ଓ ମଙ୍ଗଳର ପଥ, ଅନ୍ୟଟି ଦୁଃଖ ଓ ବିନାଶର ପଥ । ଆମର ଚୟନ ଏବଂ କାର୍ଯ୍ୟ ନିର୍ଣ୍ଣୟ କରେ ଯେ ଆମେ କେଉଁ ପଥକୁ ଅନୁସରଣ କରିବୁ । ତେଣୁ ଆମକୁ ଉଚିତ ହେଉଛି ନିଜ ଜୀବନରେ ସତ୍ୟ, ଧର୍ମ ଓ ନୈତିକତାର ଅମୃତବୃକ୍ଷକୁ ଲାଳନ ପାଳନ କରିବା, ଯାହା ଆମକୁ ଏକ ସାର୍ଥକ ଓ ଶାନ୍ତିମୟ ଜୀବନ ଦେଇପାରିବ ।