ଆତ୍ମସମର୍ପଣ କରିବ ଅମୃତପାଲ ସିଂହ; ପୁଲିସ ଆଗରେ ରଖିଲା ତିନୋଟି ସର୍ତ୍ତ

ନୂଆଦିଲ୍ଲୀ,୨୯/୦୩: ଖଲିସ୍ତାନୀ ନେତା ଅମୃତପାଲକୁ ଧରିବା ପାଇଁ ପଞ୍ଜାବ ପୁଲିସର ଅପରେସନ୍ ଲଗାତର ଜାରି ରହିଛି। ଏହାରି ଭିତରେ ପୁଲିସ ଆଗରେ ଅମୃତପାଲ ତିନୋଟି ସର୍ତ୍ତ ରଖିଛି। ବାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂହ କହିଛି ଯେ, ତାକୁ ଗିରଫ କରାଯିବା ପରେ ଏହାକୁ ଆତ୍ମସମର୍ପଣ ବୋଲି ଦର୍ଶାଯିବା ସହିତ ତାକୁ ପଞ୍ଜାବ ଜେଲ୍ରେ ରଖାଯିବ। ଏପିରିକି ଜେଲ୍ ଗଲା ପରେ ତାକୁ ଯେପରି କୌଣସି ପୁଲିସ ମାରପିଟ ନକରନ୍ତି; ଏପରି କିଛି ସର୍ତ୍ତ ରଖିଛି ଅମୃତପାଲ। ସୂଚନାମୁତବାକ, ପୁୁଲିସ ଓ ଅମୃତପାଲ ମଧ୍ୟରେ କିଛି ଧାର୍ମିକ ନେତା ମଧ୍ୟସ୍ଥି ଭାବରେ କାର୍ଯ୍ୟ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ ଅମୃତପାଲ ଦମଦମା ସାହେବରେ ମଧ୍ୟ ଆତ୍ମସମର୍ପଣ କରିପାରେ।
ସୂଚନାଥାଉକି, ପଞ୍ଜାବ ପୁଲିସ ଅମୃତପାଲ ସିଂହ ବିରୁଦ୍ଧରେ ମାର୍ଚ୍ଚ ୧୮ ତାରିଖରୁ ଅପରେସନ୍ ଆରମ୍ଭ କରିଥିଲା। ସେତେବେଳେ ସେ ପୁଲିସ ଆଖି ଆଗରୁ ଖସିଯିବାରେ ସଫଳ ହୋଇଥିଲେ। ପରେ ସେ ହରିୟାଣାର କୁରୁକ୍ଷେତ୍ରରେ ଲୁଚିଥିବା ବିଶେଷସୂତ୍ରରୁ ପୁଲିସ ପାଖରେ ଖବର ପହଞ୍ଚିଥିଲା। ପରବର୍ତ୍ତି ସମୟରେ ଉତ୍ତରପ୍ରଦେଶ ଓ ଦିଲ୍ଲୀ ଏବଂ ଏବେ ପୁଣିଥରେ ସେ ପଞ୍ଜାବର କୌଣସି ଏକ ସ୍ଥାନରେ ଲୁୁଚିଥିବା କୁହାଯାଉଛି। ସୂଚନାଥାଉକି, ଉତ୍ତରାଖଣ୍ଡ ନମ୍ବର ଥିବା ଏକ ଗାଡ଼ିରେ ଅମୃତପାଲ ତାର ସହଯୋଗୀ ସହିତ ମଙ୍ଗଳବାର ସନ୍ଧ୍ୟାରେ ପଞ୍ଜାବର ଫଗଓ୍ବାଡ଼ାରେ ପହଞ୍ଚିଥିଲା। ପୁଲିସ ଅମୃତପାଲ ପାଖାପାଖି ରହିଥିଲେ ବି ତାକୁ ଧରିବାରେ ସଫଳ ହୋଇପାରି ନଥିଲା। ଅମୃତପାଲ ଫେରାର ହେବା ପରେ ସବୁଆଡ଼େ ହାଇ ଆଲର୍ଟ ଜାରି କରିଛି ପଞ୍ଜାବ ପୁଲିସ୍।
ସୂଚନାଥାଉକି, ଅମୃତପାଲ ଏବଂ ତାଙ୍କ ସହଯୋଗୀମାନେ ଜଣେ ଗିରଫ ବ୍ୟକ୍ତିକୁ ମୁକ୍ତ କରିବା ଦାବିରେ ଅମୃତସର ନିକଟ ଅଜନାଲା ପୋଲିସ ଷ୍ଟେସନରେ ଆକ୍ରମଣ କରିଥିଲେ। ଏହି ଘଟଣାର ପ୍ରାୟ ତିନି ସପ୍ତାହ ପରେ, ମାର୍ଚ୍ଚ ୧୮ ରେ, ପୋଲିସ ଅମୃତପାଲ ତଥା ଖାଲିସ୍ତାନ ସମର୍ଥକ ସଂଗଠନ ‘ୱାରିସ୍ ପଞ୍ଜାବ ଦେ’ର ସଦସ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଅମୃତପାଲ ଏବଂ ତାର ସହଯୋଗୀଙ୍କ ବିରୋଧରେ ଅସହଯୋଗକୁ ପ୍ରୋତ୍ସାହିତ କରିବା, ବେଆଇନ ଅସ୍ତ୍ରଶସ୍ତ୍ର ରଖିବା, ହତ୍ୟା ଉଦ୍ୟମ, ପୋଲିସ୍ ଉପରେ ଆକ୍ରମଣ ଏବଂ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେବାକୁ ନେଇ ମାମଲା ରୁଜୁ ହୋଇଛି।