ନିଆଳି,୧୦/୦୭: ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର। ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁ ଅଣସରରେ ଅଛନ୍ତି । ଜ୍ଵରରେ ପୀଡ଼ିତ ତିନି ଠାକୁର ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଆରୋଗ୍ୟ କାମନା କରି ମାମୁଘର ନିଆଳି ମାଧବ ପୀଠରୁ ଅଣସର ଭାର ଶ୍ରୀମନ୍ଦିରକୁ ପଠାଯାଇଛି। ଆମ୍ବ, ପଣସ, ସେଉ, ଅଙ୍ଗୁର ବିଭିନ୍ନ ପ୍ରକାର ଫଳ ମୂଳ ସହ ଘିଅ, ଝୁଣା, ଚନ୍ଦନ କାଠ ଦିବ୍ୟ ସାମଗ୍ରୀ ଅଣସର ଭାରରେ ରହିଛି।
ସାତ ବର୍ଷ ହେଲାଣି ଶ୍ରୀକ୍ଷେତ୍ରକୁ ଫଳ ଭାର ଯାଉଛି। ପ୍ରତିବର୍ଷ ଯେଭଳି ଭାବେ ପ୍ରଥମା ଅଷ୍ଟମୀ ଭାର ମହାପ୍ରଭୁଙ୍କୁ ପୋଢୁଆଁ କରିବାକୁ ଯାଇଥାଏ। ସେହିଭଳି ଭଣଜାର ଅସୁସ୍ଥତା ସମୟରେ ପ୍ରାଚୀ କ୍ଷେତ୍ରରୁ ଫଳ ଭାର ଯାଉଛି। ସଙ୍କୀର୍ତ୍ତନ ମଣ୍ଡଳୀମାନେ ସଙ୍କୀର୍ତ୍ତନ କରିବା ସହ ନୃତ୍ୟ ଶିଳ୍ପୀ ମାନେ ପାରମ୍ପରିକ କଳାକୃତି ପ୍ରଦର୍ଶନ କରିଛନ୍ତି। ଏଣୁ ଉତ୍ସବ ମୁଖର ହୋଇ ଉଠୁଚି ନିଆଳି ଅଞ୍ଚଳ। ବିଭିନ୍ନ ଅଞ୍ଚଳର ଶତାଧିକ ଶ୍ରଦ୍ଧାଳୁ ଭାର ସହ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା ସାମିଲ ହୋଇଛନ୍ତି। ଭାରୁଆମାନେ ଭାର କାନ୍ଧେଇ ପବିତ୍ରତା ସହ ନେଉଛନ୍ତି।
ଅଧିକ ପଢ଼ନ୍ତୁ :-ଠାକୁରଙ୍କ ପାଇଁ ଚକା, ଅପସର ପ୍ରସ୍ତୁତ କଲେ ଦରଜି ସେବକ,ଶ୍ରୀମନ୍ଦିରକୁ ଗଲା ୪ଟି ଚକା ଆସନ ଓ ତିନୋଟି ଅପସର