ନୂଆଦିଲ୍ଲୀ, ୯/୭ : ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଣ୍ଡୋନେସିଆ ଗସ୍ତ ଏବେ ଚର୍ଚ୍ଚାରେ । ଏ ଅବସରରେ ସର୍ବାଧିକ ଧ୍ୟାନ ଆକର୍ଷଣ କରିଛି ଇଣ୍ଡୋନେସିଆର ପ୍ରାଚୀନ ଧର୍ମପୀଠ ପ୍ରମ୍ବାନନ ମନ୍ଦିର ସଂକୁଳ ବା ପ୍ରମ୍ବାନନ ମନ୍ଦିର। ପ୍ରାୟ ୧୨୦୦ ବର୍ଷ ପୁରୁଣା ଐତିହ୍ୟକୁ ପଥର ମଧ୍ୟରେ ସାଇତି ରଖିଥିବା ଏହି ମନ୍ଦିର ପରିସରକୁ ମୁଖ୍ୟତଃ ‘ଶିବଗୃହ’ ଅର୍ଥାତ୍‌ ଶିବଙ୍କ ଘର କୁହାଯାଏ । ମନ୍ଦିର ନାଁର ଅର୍ଥ ପରମ ବ୍ରହ୍ମ ବା ପରବ୍ରହ୍ମ ବୋଲି ବିଶ୍ୱାସ ରହିଛି । ସେଥିପାଇଁ ଏହାକୁ ଶିବଙ୍କ ସମେତ ଭଗବାନ ଶ୍ରୀବିଷ୍ଣୁ ଓ ବ୍ରହ୍ମାଙ୍କ ସହ ମଧ୍ୟ ଯୋଡ଼ାଯାଏ । ମାନ୍ୟତା ରହିଛି, ତିନି ଦେବତାଙ୍କ ଉପସ୍ଥିତି ଯୋଗୁ ମନ୍ଦିରକୁ ପ୍ରମ୍ବାନନ କୁହାଯାଏ । ଏଠାରେ ଥାନୁର ଅର୍ଥ ବିଷ୍ଣୁ, ମଳୟର ଅର୍ଥ ଶିବ ଏବଂ ଅୟନର ଅର୍ଥ ବ୍ରହ୍ମା । ସେଥିପାଇଁ ଏହାକୁ ପରବ୍ରହ୍ମ ତ୍ରିମୂର୍ତ୍ତି ମନ୍ଦିର ମଧ୍ୟ କୁହାଯାଏ । 

ପରମ୍ପରା, ମୂର୍ତ୍ତି କଳା ଓ ସ୍ଥାପତ୍ୟ ଯୋଗୁ ଭାରତ ସହିତ ମନ୍ଦିରକୁ ଯୋଡ଼ାଯାଏ । ମନ୍ଦିର ମୁଖ୍ୟ ପରିସରରେ ୨୨୪ ମନ୍ଦିର ରହିଛି, ଯେଉଁଠି ଭାରତୀୟ ପୌରାଣିକ ଦେବୀ-ଦେବତାଙ୍କ ସହ ମେଳ ଖାଉଥିବା ଆକୃତି ଓ ନାମଯୁକ୍ତ ମୂର୍ତ୍ତି ସ୍ଥାନ ପାଇଛି। ଏଠାରୁ ପ୍ରାୟ ୮୦୦ ମିଟର ଦୂର ଉତ୍ତର ଦିଗରେ ଆଉ ଏକ ମନ୍ଦିର ପରିସର ରହିଛି, ଯାହାକୁ କାନ୍ଦି ସେବୁ କୁହାଯାଏ । ସ୍ଥାନୀୟ ଭାଷାରେ ସେବୁର ଅର୍ଥ ୧୦୦୦ ଏବଂ ଏହିଠାରୁ ମନ୍ଦିର ସହିତ ୧୦୦୦ ମନ୍ଦିରର କାହାଣୀ ଯୋଡ଼ିହୋଇଛି । ଲୋକମୁଖରେ ଜଣେ ଅଭିଶପ୍ତ ରାଜକୁମାରୀଙ୍କ କାହାଣୀ ଶୁଣିବାକୁ ମିଳେ । ଲୋକଙ୍କ ବିଶ୍ୱାସ, ଏହି ଅଭିଶପ୍ତ ରାଜକୁମାରୀ ଆଜି ବି ମନ୍ଦିରରେ ପଥର ମୂର୍ତ୍ତିରେ ଫସି ରହିଛନ୍ତି । ଏ କାହାଣୀରେ ଯୁଦ୍ଧ, ମୃତ୍ୟୁ, ଛଳବଳ, ପ୍ରେମ, ରହସ୍ୟ ଓ ପ୍ରତିଶୋଧ ରହିଛି । 

ଇଣ୍ଡୋନେସିଆର ଜାଭା ଦ୍ୱୀପରେ ଏକ ରାଜ୍ୟ ଥିଲା ବୋକୋ । ଏଠାରେ ଜଣେ ଶକ୍ତିଶାଳୀ କିନ୍ତୁ କ୍ରୂର ରାଜା ପ୍ରଭୁ ବୋକୋଙ୍କ ଶାସନ ଥିଲା । ଦିନେ ସେ ପେଙ୍ଗିଙ୍ଗ ଉପରେ ଆକ୍ରମଣ କଲେ । ପେଙ୍ଗିଙ୍ଗର ରାଜା ନ୍ୟାୟପ୍ରିୟ ଓ ଦୟାଳୁ ଥିଲେ । ଉଭୟ ରାଜ୍ୟ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା । ପେଙ୍ଗିଙ୍ଗ ରାଜାଙ୍କ ପୁଅ ବାଙ୍ଗଡୁଙ୍ଗ ବଣ୍ଡୋବୋସୋ ଅଲୌକିକ ଶକ୍ତିର ଅଧିକାରୀ ଥିଲେ । ବୋକୋ ଦୈତ୍ୟ ଶାସକ ଥିବାରୁ ପେଙ୍ଗିଙ୍ଗର ରାଜା ନିଜ ପୁଅକୁ ଯୁଦ୍ଧ ଲାଗି ପଠାଇଲେ । ବାଙ୍ଗଡୁଙ୍ଗ ବୀରତ୍ୱର ସହ ଯୁଦ୍ଧ କଲେ ଏବଂ ବୋକୋଙ୍କୁ ହରାଇଲେ । ଯୁଦ୍ଧରେ ଶେଷରେ ବୋକୋଙ୍କ ମୃତ୍ୟୁ ହେଲା ଏବଂ ତାଙ୍କ ଶାସନ ମଧ୍ୟ ପେଙ୍ଗିଙ୍ଗ ହାତକୁ ଚାଲିଗଲା । ରାଜକୁମାର ବାଙ୍ଗଡୁଙ୍ଗ ମହଲ ଭିତରକୁ ଯାଇ ଦେଖିଲେ, ରାଜକୁମାରୀ ରୋରୋ ଜୋଙ୍ଗ୍ରାଙ୍ଗ ନିଜ ରାଜ୍ୟର ପରାଜୟ ଓ ପିତାଙ୍କ ମୃତ୍ୟୁର ଶୋକ କରୁଛନ୍ତି । ବାଙ୍ଗଡୁଙ୍ଗ ତାଙ୍କ ସୌନ୍ଦର୍ଯ୍ୟ ଦେଖି ମୋହିତ ହୋଇଗଲେ । ସେ ରାଜ୍ୟକୁ କବ୍‌ଜା କରିବା ପରିବର୍ତ୍ତେ ସନ୍ଧି ପ୍ରସ୍ତାବ ଦେଲେ ଏବଂ ରାଜକୁମାରୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କଲେ । କିନ୍ତୁ ରୋରୋ ପିତାଙ୍କ ହତ୍ୟାକାରୀଙ୍କୁ ବିବାହ କରିବାକୁ ଚାହୁଁନଥିଲେ । ସେ ସିଧା ମନା ନ କରି ଦୁଇଟି ସର୍ତ୍ତ ରଖିଲେ। ଯାହା ପୂରଣ କରିବା ଆପାତତଃ ଅସମ୍ଭବ ଥିଲା । ପ୍ରଥମ ସର୍ତ୍ତ ଥିଲା, ରାଜକୁମାର ଦୁଇଟି ବିଶାଳ କୂଅ ଅର୍ଥାତ୍‌ ଜଳତୁଣ୍ଡା ନିର୍ମାଣ କରିବେ । ୨ୟ ସର୍ତ୍ତ ଥିଲା, ସେ କେବଳ ରାତିକ ଭିତରେ ୧ ହଜାର ମନ୍ଦିର ନିର୍ମାଣ କରିବେ । 

ବାଙ୍ଗଡୁଙ୍ଗ ନିଜ ଦିବ୍ୟ ଶକ୍ତି ସାହାଯ୍ୟରେ ପ୍ରଥମେ କୂଅ ନିର୍ମାଣ କଲେ । କିନ୍ତୁ ରାଜକୁମାରୀ ଛଳ କଲେ ଏବଂ ବାଙ୍ଗଡୁଙ୍ଗଙ୍କୁ କହିଲେ କୂଅ କେତେ ଗଭୀର ତା’ ଭିତରକୁ ଯାଇ ଦେଖାନ୍ତୁ । ପ୍ରେମରେ ଅନ୍ଧ ହୋଇ ବାଙ୍ଗଡୁଙ୍ଗ କୂଅକୁ ଡେଇଁପଡ଼ିଲେ । ରାଜକୁମାରୀ ତୁରନ୍ତ ବିଶାଳ ପଥରରେ କୂଅକୁ ବନ୍ଦ କରିଦେଲେ । କିନ୍ତୁ ଅଲୌକିକ ଶକ୍ତି ଦ୍ୱାରା ରାଜକୁମାର କୂଅରୁ ସୁରକ୍ଷିତ ବାହାରି ଆସିଲେ । ରାଜକୁମାରୀଙ୍କୁ କିଛି ନ କହି ଅନ୍ୟ ସର୍ତ୍ତ ପୂରଣରେ ଲାଗିପଡ଼ିଲେ । ଆତ୍ମା ଓ ଭୂତଙ୍କୁ ଡକାଇ ସେମାନଙ୍କ ଦ୍ୱାରା ମନ୍ଦିର ନିର୍ମାଣ କରାଇଲେ । ରାତିର ଶେଷ ପ୍ରହର ପୂର୍ବରୁ ୯୯୯ ମନ୍ଦିର ନିର୍ମିତ ହୋଇଗଲା । ରାଜକୁମାରୀ ସର୍ତ୍ତ ହାରିବା ଭୟରେ ପୁଣି ଏକ ଚାଲ୍‌ କଲେ । ଦାସୀଙ୍କୁ ଡାକି ଧୂଆଁ କରିବାକୁ ଓ ଧାନ କୂଟିବାକୁ କହିଲେ । ଧାନ କୂଟିବା ଜାଭାରେ ସକାଳ ପରମ୍ପରାର ଅଂଶ ଥିଲା । ଧାନ କୂଟିବା ଶବ୍ଦରେ କୁକୁଡ଼ା ଡାକ ଛାଡ଼ିଲେ । ଏହା ଶୁଣି ଆତ୍ମା ଓ ଭୂତଙ୍କୁ ଲାଗିଲା ସକାଳ ହୋଇଗଲା ଏବଂ ଲୋକ ଉଠିଗଲେ । ସେଥିପାଇଁ ସେମାନେ ୧୦୦୦ତମ ମନ୍ଦିର କାମ ଅଧୁରା ଛାଡ଼ି ଉଡ଼ିଗଲେ । ଏହା ଦେଖି ରାଜକୁମାର କ୍ରୋଧିତ ହେଲେ । ସେ ରାଜକୁମାରୀଙ୍କୁ ଅଭିଶାପ ଦେଇ କହିଲେ, ତୁମେ ଏତେ କଠୋର ହୃଦୟର ଯେ ମୋ ପ୍ରେମକୁ ବୁଝିପାରିଲନି । ତୁମେ ପଥର ପାଲଟିଯାଅ । ରାଜକୁମାରଙ୍କ ଅଭିଶାପ ପ୍ରଭାବରେ ରାଜକୁମାରୀ ସେହି ୧୦୦୦ତମ ଅଧୁରା ମନ୍ଦିରର ପଥର ମୂର୍ତ୍ତି ପାଲଟିଗଲେ । ସେବେଠୁ ସେହି ପଥର ଭିତରେ ସେ ବନ୍ଦୀ ହୋଇ ରହିଛନ୍ତି । କାହାଣୀ ଅନୁସାରେ, ରାଜକୁମାର ଶେଷ ମନ୍ଦିର ଦେବୀଙ୍କ ପାଇଁ ନିର୍ମାଣ କରାଉଥିଲେ। 

ଇତିହାସ କହେ, ପ୍ରାୟ ୮୫୦ ଖ୍ରୀଷ୍ଟାବ୍ଦରେ ଜାଭାର ମାତରମ ସାମ୍ରାଜ୍ୟର ଶାସକମାନେ ପ୍ରମ୍ବାନନ ମନ୍ଦିର ନିର୍ମାଣ କରିଥିଲେ । ସେତେବେଳେ ଏହା ଦକ୍ଷିଣ-ପୂର୍ବ ଏସିଆର ସବୁଠୁ ବିଶାଳ ହିନ୍ଦୁ ମନ୍ଦିର ପରିସର ଥିଲା । ୧୦ମ ଶତାବ୍ଦୀ ମାତରମ ସାମ୍ରାଜ୍ୟ ନିଜ ରାଜଧାନୀକୁ ମଧ୍ୟ ଜାଭାରୁ ପୂର୍ବ ଜାଭାକୁ ସ୍ଥାନାନ୍ତର କରିଥିଲେ । କୁହାଯାଏ, ଆଗ୍ନେୟଗିରି ଗତିବିଧି, ରାଜନୈତିକ ପରିବର୍ତ୍ତନ ଓ ନୂଆ ଶାସନର ଉଦୟ ଏହାର ପ୍ରମୁଖ କାରଣ ଥିଲା । ରାଜଧାନୀ ବଦଳିବା ପରେ ନିୟମିତ ପୂଜା-ପାଠ ଓ ରକ୍ଷଣାବେକ୍ଷଣ ବନ୍ଦ ହୋଇଗଲା । ଫଳରେ ଏହା ଧୀରେ ଧୀରେ ଶୂନ୍‌ଶାନ ହୋଇଗଲା । ଏହା ପରେ ଦୀର୍ଘ ଶତାବ୍ଦୀ ଧରି ଶକ୍ତିଶାଳୀ ଭୂକମ୍ପ ମନ୍ଦିରର ବଡ଼ କ୍ଷତି କଲେ । ୧୮୧୧ରେ ବ୍ରିଟିଶ ଅନୁସନ୍ଧାନକାରୀ ଏହାକୁ ପୁନଃ ଆବିଷ୍କାର କଲେ । ବିଂଶ ଶତାବ୍ଦୀରେ ଏହାକୁ ବ୍ୟାପକ ସ୍ତରରେ ସଂରକ୍ଷିତ କରାଗଲା ଏବଂ ୧୯୯୧ରେ ପ୍ରମ୍ବାନନକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ଘୋଷଣା କରାଗଲା । ବର୍ତ୍ତମାନର ପ୍ରମ୍ବାନନ ମୂଳ ପ୍ରାଚୀନ ସଂରଚନା ଓ ଆଧୁନିକ ପୁନଃନିର୍ମାଣର ମିଶ୍ର ସ୍ୱରୂପ, କିନ୍ତୁ ଅଧିକାଂଶ ଛୋଟ ମନ୍ଦିର ଏବେ ବି ଭଗ୍ନାବଶେଷ ଅବସ୍ଥାରେ ରହିଛି।

ଆହୁରି ପଢନ୍ତୁ- NDA Success Story: ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରା କଲେ ଶୀତଲ, ଏନଡିଏ ପାଇ ହାସଲ କଲେ ଲେଫ୍ଟେନାଣ୍ଟ ଷ୍ଟାର୍