ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶ ସରକାର ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି। ଦୁର୍ଗମ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ ଏକ ଅନନ୍ୟ ପଦକ୍ଷେପ ନେଇଛନ୍ତି। ଆଲୁରି ସୀତାରାମ ରାଜୁ ଜିଲ୍ଲାର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଡ୍ରୋନ ମାଧ୍ୟମରେ ଔଷଧ ଏବଂ ଚିକିତ୍ସା ସାମଗ୍ରୀ ପହଞ୍ଚାଇବା ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ପ୍ରଶାସନ, ରିଅଲ୍ ଟାଇମ୍ ଗଭର୍ଣ୍ଣାନ୍ସ ସିଷ୍ଟମ୍ (RTGS) ଏବଂ ଆମେରିକା ସ୍ଥିତ ୟୁପିଏସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ପ୍ରଯୁକ୍ତିବିଦ୍ୟା ପାର୍ଟନର ରେଡୱିଙ୍ଗଙ୍କ ସହଯୋଗରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରିଛି।
ଏହି ଚିକିତ୍ସାର ଉଦ୍ଦେଶ୍ୟ ଶେଷ ମାଇଲ ପର୍ଯ୍ୟନ୍ତ ଡାଇଗ୍ନୋଷ୍ଟିକ୍ ସାମ୍ପଲ , ଜରୁରୀ ଔଷଧ ଓ ଅନ୍ୟାନ୍ୟ ସାମଗ୍ରୀ ପହଞ୍ଚାଇବା। ପାଡେରୁ ମେଡିକାଲ କଲେଜ ଏବଂ ସରକାରୀ ଜେନେରାଲ ହସ୍ପିଟାଲ (GGH) କୁ ଛୋଟ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ସଂଯୋଗ କରି, ଡ୍ରୋନ ମାଧ୍ୟମରେ ନମୁନା ଏବଂ ଔଷଧ ପହଞ୍ଚାଉଛନ୍ତି। ଏଥିରେ ପାହାଡ଼ିଆ ଓ ଜଙ୍ଗଲିଆ ଅଞ୍ଚଳରେ ରାସ୍ତାରେ ହେବାକୁ ଥିବା ବିଳମ୍ୱ ଦୂର ହୋଇଛି।
ଏବେ ସୁଦ୍ଧା ଏହି ଡ୍ରୋନ୍ ଡେଲିଭରୀ ପଦକ୍ଷେପ ୧,୦୦୦ ଉଡ଼ାଣ ସମାପ୍ତ କରି ସାରିଛି। ଏହି ଉଡ଼ାଣଗୁଡ଼ିକ ମୋଟ ୧୦ ହଜାର କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିଛି ଏବଂ ୨୫ ହଜାରରୁ ଅଧିକ ଚିକିତ୍ସା ଉତ୍ପାଦ ଗୁଡ଼ିକୁ ବିମାନରେ ପରିବହନ କରାଯାଇଛି। ପ୍ରତ୍ୟେକ ଡ୍ରୋନ୍ ପ୍ରାୟ ଦୁଇ କିଲୋଗ୍ରାମ ପେଲୋଡ୍ ବହନ କରିବାକୁ ସକ୍ଷମ ଏବଂ ଏଥିରେ ଏକ କୋଲ୍ଡ ଚେନ୍ ବ୍ୟବସ୍ଥା ରହିଛି। ଔଷଧ ଓ ବ୍ଲଡ୍ ୟୁନିଟ୍ର ଗୁଣବତ୍ତା ଜାରି ରହିଥାଏ।
ଏହି ଅଭିନବ ପଦକ୍ଷେପ ଆଦିବାସୀ ସମ୍ପ୍ରଦାୟର ସ୍ୱାସ୍ଥ୍ୟ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସୀମିତ ରାସ୍ତା ଏବଂ କଷ୍ଟକର ଭୌଗୋଳିକ ସ୍ଥିତି ଥିବା ଅଞ୍ଚଳରେ, ଡ୍ରୋନ୍ ସ୍ୱାସ୍ଥ୍ୟସେବାକୁ ଦ୍ରୁତ, ସୁରକ୍ଷିତ ଏବଂ ଅଧିକ ପ୍ରଭାବଶାଳୀ କରିଥାଏ । ଗ୍ରାମାଞ୍ଚଳ ଏବଂ ଆଦିବାସୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସୁବିଧାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ଭବିଷ୍ୟତରେ ଏହି ମଡେଲକୁ ଅନ୍ୟ ଜିଲ୍ଲାକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ଆହୁରି ମଧ୍ୟ ପଢନ୍ତୁ : ବିହାରରେ ବସ୍ – ପିକଅପ୍ ମୁହାଁମୁହିଁ ଧକ୍କା : ୧୦ ମୃତ୍ୟୁ ଓ ୨୪ ଆହତ ..ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ