ନୂଆଦିଲ୍ଲୀ ୨୪/୦୨: ୧୧ ମାସର ଶିଶୁ ଜମ୍ପଲା ମଙ୍ଗଳା ପୁନର୍ଭିକାକୁ ବଞ୍ଚାଇବା ପାଇଁ ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାବାସୀ ଆଗେଇ ଆସିଛନ୍ତି । ପୁନର୍ଭିକା ସ୍ପାଇନାଲ ମସ୍କୁଲାର ଆଟ୍ରଫି (ଏସ୍ଏମ୍ଏ ଟାଇପ୍-୧) ନାମକ ବିରଳ ଓ ପ୍ରାଣଘାତକ ଜିନ୍ଗତ ବିକାର ସହ ଲଢୁଛି । ଏହି ସ୍ଥିତି ମାଂସପେଶୀର ସାମର୍ଥ୍ୟ ଓ ବ୍ୟକ୍ତିର ଗତିବିଧିକୁ ପ୍ରଭାବିତ କରେ । ପୁନର୍ଭିକା ମାତ୍ର ୫ ମାସର ହୋଇଥିବାବେଳେ ପ୍ରଥମେ ଏହି ସଙ୍କେତ ଜଣାପଡ଼ିଥିଲା । ମା’-ବାପା ଲକ୍ଷ୍ୟ କଲେ, ପୁନର୍ଭିକା ନିଜ ବେକକୁ ସିଧା କରି ରଖିପାରୁ ନାହିଁ । ଗୋଡ଼କୁ ହଲ୍ଚଲ୍ କରିବାରେ ସଂଘର୍ଷ କରୁଛି । ନିଜ ବୟସର ଅନ୍ୟ ପିଲାଙ୍କ ଭଳି ତା’ ଓଜନ ମଧ୍ୟ ବଢୁନାହିଁ ।
ସମସ୍ତ ପରୀକ୍ଷା ପରେ ଡାକ୍ତର ଶେଷରେ ପୁନର୍ଭିକାଠାରେ ଏସ୍ଏମ୍ଏ ଟାଇପ୍-୧ ବିକାର ଚିହ୍ନଟ କଲେ ଏବଂ ତୁରନ୍ତ ଜିନ୍ ଥେରାପି ଚିକିତ୍ସା ଲାଗି ଉପଦେଶ ଦେଲେ । ଏହି ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ୍ର ମୂଲ୍ୟ ପ୍ରାୟ ୧୦ କୋଟି, ଯାହା ପୁନର୍ଭିକାର ବାପା ଜେ ସୁରେଶ କୁମାରଙ୍କ ଆୟ ହିସାବରେ ଢେର ଅଧିକ । ତାଙ୍କ ପରିବାର କୁର୍ନୂଲ ଜିଲ୍ଲାର ଭେଲଦୁର୍ଥୀରେ ରହୁଛନ୍ତି । ଝିଅର ଏଭଳି ସ୍ଥିତିରେ ଭାଙ୍ଗି ପଡ଼ିଥିବା ପରିବାର ହାର୍ ନ ମାନି ଏକ ପାଣ୍ଠି ସଂଗ୍ରହକାରୀ ଅଭିଯାନ ଆରମ୍ଭ କଲେ ଏବଂ ଲୋକଙ୍କୁ ସାହାଯ୍ୟ ଲାଗି ଅନୁରୋଧ କଲେ । ଅମରାବତୀ ସ୍ଥିତ ବିଧାନସଭାରେ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସାକ୍ଷାତ କରି ଝିଅର ଚିକିତ୍ସା ଲାଗି ଆର୍ଥିକ ସହାୟତାର ହାତ ବଢ଼ାଇବାକୁ ସରକାରଙ୍କୁ ଗୁହାରି କଲେ । ତା’ପରେ ଚମତ୍କାର ହେଲା ।
‘ହାସ୍ଟ୍ୟାଗ୍ ସେଭ୍ ପୁନର୍ଭିକା’ ଇଣ୍ଟର୍ନେଟ୍ରେ ଭାଇରାଲ ହେଲା । ଚାହୁଁ ଚାହୁଁ ଏହା ଏକ ରାଜ୍ୟସ୍ତରୀୟ ଆନ୍ଦୋଳନରେ ରୂପାନ୍ତରିତ ହୋଇଛି । ପୁନର୍ଭିକା ପାଇଁ ଯୁବପିଢ଼ି ପଶ୍ଚିମ ଗୋଦାବରୀ, ବିଶାଖାପଟନମ୍, ଏଏସ୍ଆର, କ୍ରୀଷ୍ଣା ଓ ଗୁଣ୍ଟୁର ଜିଲ୍ଲାରେ ବାଇସାଇକେଲ ରାଲି ଆୟୋଜନ କରୁଛନ୍ତି । ସ୍କୁଲ ପିଲା ସେମାନଙ୍କ ପକେଟ୍ ମନି ଦାନ କରୁଛନ୍ତି ଏବଂ ଭିଡିଓ ମାଧ୍ୟମରେ ଜନସଚେତନତାର ବାର୍ତ୍ତା ପ୍ରସାର କରୁଛନ୍ତି । ବିଜୟୱାଡ଼ାରେ ଅଟୋ ଚାଳକମାନେ ବି ଏହି ଅଭିଯାନରେ ସାମିଲ ହୋଇଛନ୍ତି ଏବଂ ‘ଆମେ ମଧ୍ୟ’ ଘୋଷଣା ଜରିଆରେ ଏକତାର ବାର୍ତ୍ତା ଦେଇଛନ୍ତି ।
ଆହୁରି ପଢ଼ନ୍ତୁ...ରାଞ୍ଚିରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିବା ଏୟାରଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ବିମାନରେ ଥିଲେ ୭ ଜଣ ଯାତ୍ରୀ
ଶ୍ରୀନୁ ନାମକ ଜଣେ ଯୁବକ ପୁନର୍ଭିକା ପାଇଁ ପାଣ୍ଠି ସଂଗ୍ରହ କରିବାକୁ ସମର୍ଲାକୋଟାଠୁ ୫୦୦ କିମି ବାଇସାଇକେଲ ଯାତ୍ରା ଘୋଷଣା କରିଛନ୍ତି । କ୍ରୀଷ୍ଣା ଓ ପଶ୍ଚିମ ଗୋଦାବରୀ ଜିଲ୍ଲାର ଛୋଟ ଛୋଟ ଟାଉନ୍ର ଅନେକ ଯୁବା ଗତ ରବିବାର ଏକ ସ୍ୱତନ୍ତ୍ର ପାଣ୍ଠି ସଂଗ୍ରହକାରୀ ଅଭିଯାନର ଆୟୋଜନ କରିଥିଲେ ।