ଭୁବନେଶ୍ଵର, ୨୫/୦୭ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଧର୍ମେନ୍ଦ୍ର ତାଙ୍କ ଇସ୍ତଫା ପତ୍ର ଜାରି କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ମୋ ଯୁବ ସାଥୀ ଗଣ, ଦୀର୍ଘ ୪ ଦଶକରୁ ଅଧିକ ସମୟ ଯାଏଁ ଛାତ୍ର, ଶିକ୍ଷକ ଏବଂ ଶିକ୍ଷା ସୁଧାର ପାଇଁ ସମର୍ପିତ ରହି ଆସିଛି। ମୁଁ ସବୁବେଳେ ବିଶ୍ୱାସ କରେ ଯେ ଏକ ଦୃଢ଼ ଏବଂ ଦୂରଦୃଷ୍ଟିସମ୍ପନ୍ନ ଶିକ୍ଷା ବ୍ୟବସ୍ଥା ହେଉଛି ଏକ ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ।
— Dharmendra Pradhan (@dpradhanbjp) July 25, 2026
ସେ କହିଛନ୍ତି ଯେ, ମୁଁ ଦେଶର ଯୁବକଙ୍କ ଆକାଂକ୍ଷା, ଭାବନା ଏବଂ ସେମାନଙ୍କ ନ୍ୟାୟୋଚିତ ଅପେକ୍ଷାକୁ ଗଭୀର ସମ୍ମାନ ଜଣାଉଛି। ଭାରତର ଯୁବ ପୀଢିଙ୍କ ସ୍ଵପ୍ନ ସାକାର କରିବା ଆମ ସମସ୍ତଙ୍କ ରାଜନୈତିକ ଏବଂ ସାମାଜିକ ଜୀବନର ନୈତିକ ସଙ୍କଳ୍ପ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶୀ ନେତୃତ୍ଵରେ ରାଷ୍ଟ୍ର ସେବା କରିବାକୁ ଯେଉଁ ସୁଯୋଗ ମିଳିଥିଲା, ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି।
ସେ ଲେଖିଛନ୍ତି ଯେ, ୨୦୨୬ ମେ ୩ରେ ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ହୋଇଥିଲା। ଭାରତ ସରକାର ଏହାକୁ ଗୁରୁତର ସହ ନେଇ ସିବିଆଇ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷାକୁ ରଦ୍ଦ କରି ପୁନଃ ନିଟ୍ ପରୀକ୍ଷା ତାରିଖ ଘୋଷଣା କରିଥିଲେ। ଏହା ସହ ଆସନ୍ତା ବର୍ଷ ଏହି ପରୀକ୍ଷାକୁ ସିବିଟି ମୋଡରେ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ୨୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୁଚାରୁ ରୂପେ ଆୟୋଜିତ କରିବା ଆମର ପ୍ରଧାନ ଲକ୍ଷ୍ୟ ଥିଲା। ଏଥିପାଇଁ ପୁରା ସରକାର ସମନ୍ଵିତ ଦୃଷ୍ଟିକୋଣ ନେଇ କାମ କରିଥିଲା। ଏଥିରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର ବିଶେଷ କରି ଜିଲ୍ଲା ପ୍ରଶାସନ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହା ସହ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ମାତା-ପିତାଙ୍କ ସହଯୋଗରେ ଜୁନ ୨୧ରେ ପୁନଃ ପରୀକ୍ଷା ହୋଇଥିଲା। ପ୍ରଥମ ଦିନରୁ, ମୁଁ ଏହାର ଦାୟିତ୍ୱ ନେଇଥିଲି ଏବଂ ଏହି ପରିସ୍ଥିତିରୁ କେବେ ବି ମୁହଁ ଫେରାଇ ନଥିଲି। ମୋର ସଂକଳ୍ପ ଥିଲା ଯେ ପରୀକ୍ଷା ମାଫିଆଙ୍କ ଯୋଗୁଁ ଆମେ କୌଣସି ମେଧାବୀ ଛାତ୍ରଙ୍କ ପରିଶ୍ରମକୁ ନଷ୍ଟ ହେବାକୁ ଦେବୁ ନାହିଁ, କୌଣସି ଛାତ୍ରଙ୍କ ପ୍ରତି ଅନ୍ୟାୟ ହେବାକୁ ଦେବୁ ନାହିଁ। ଜୁଲାଇ ୧୬ରେ ଘୋଷଣା କରାଯାଇଥିବା NEET-UG ଫଳାଫଳ ସନ୍ତୋଷଜନକ ଥିଲା। ଯେଉଁଥିରେ ଗରିବ ପୃଷ୍ଠଭୂମିର ଅନେକ ମେଧାବୀ ଛାତ୍ର ମଧ୍ୟ ସଫଳତା ପାଇଥିଲେ।...
ଆହୁରି ପଢନ୍ତୁ- PM Modi: 'ରିଲ୍ସ କର, ଇନଷ୍ଟାରେ ଆକ୍ଟିଭ ରହି ୟୁଥ୍ଙ୍କ ସହ ସିଧା କମ୍ୟୁନିକେସନ୍ କର'; ...ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ