ଖଣି, କାରଖାନାର ପ୍ରାଚୁର୍ଯ୍ୟ ସାଙ୍ଗକୁ ପର୍ଯ୍ୟଟନର ମାଳ ମାଳ ଭିତ୍ତିଭୂମି ଭରି ରହିଛି ଅନୁଗୁଳ ଜିଲ୍ଲାରେ । ଯେଉଁଥି ପାଇଁ କେବଳ ଶିଳ୍ପ ମାନଚିତ୍ର ନୁହଁ, ପର୍ଯ୍ୟଟନ ମାନଚିତ୍ରରେ ବି ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଅନୁଗୁଳ । ଜୈବ ବିବିଧତାରେ ପରିପୂର୍ଣ୍ଣ ସାତକୋଶିଆ ଅଭୟାରଣ୍ୟ । ଘଞ୍ଚ ବନାନୀ ସାଙ୍ଗକୁ ମହାନଦୀର ଉଭୟ ପାଶ୍ୱର୍ରେ ଆକାଶକୁ ମୁଣ୍ଡ ଟେକି ଠିଆ ହୋଇଛି ପର୍ବତମାଳା । ରେଙ୍ଗାଳି, ଡେରେଜାଙ୍ଗ ଡ୍ୟାମ୍ର ମନଲୋଭା ଦୃଶ୍ୟ । ମହାନଦୀ ଓ ବ୍ରାହ୍ଣଣୀର କୁଳୁକୁଳୁ ଶବ୍ଦ । ଦେଉଳଝରୀ ଉଷ୍ମ ପ୍ରସ୍ରବଣ ଓ ମାଲ୍ୟଗିରି ପର୍ବତରୁ ଅନବରତ ଝରୁଥିବା ଖୁଲୁଡି ଜଳପ୍ରପାତ । ଶୈଳଶ୍ରୀକ୍ଷେତ୍ର, ହିଙ୍ଗୁଳା ପୀଠର ଆଧ୍ୟାତ୍ମିକ ବାତାବରଣ ଏମିତି ଅନେକ ଭୌଗୋଳିକ ବିସ୍ମୟରେ ଭରି ରହିଛି ଅନୁଗୁଳ ଜିଲ୍ଲା । ପ୍ରକୃତି ପର୍ଯ୍ୟଟନ, ଖଣି ପର୍ଯ୍ୟଟନ, ଜଳ ପର୍ଯ୍ୟଟନ, ଜଙ୍ଗଲ ପର୍ଯ୍ୟଟନ, ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ସାଙ୍ଗକୁ ଅନେକ ମନୋରମ ସ୍ଥାନ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି ଅନୁଗୁଳ ଭୂଖଣ୍ଡକୁ । ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଓ ଦର୍ଶନୀୟ ସ୍ଥାନକୁ ନେଇ ‘ପ୍ରମେୟ’ର ସ୍ୱତନ୍ତ୍ର ଉପସ୍ଥାପନା ।(ପ୍ରସ୍ତୁତି: ଲିଟୁନ୍ କୁମାର ସାହୁ ଅଳଙ୍କରଣ: ଶଶାଙ୍କ ଶେଖର ଦାଶ)
ବ୍ୟସ୍ତ ବହୁଳ, କୋଳାହଳପୂର୍ଣ୍ଣ ସହରୀ ଜୀବନରୁ ଥରେ ବାହାରି ଆସି ଚାଲିଆସନ୍ତୁ ସାତକୋଶିଆକୁ । ପ୍ରକୃତିର ଏହି ଅପରୂପ ସୌନ୍ଦର୍ଯ୍ୟର ଦିୱାନା ହୋଇଯିବେ । ମନ କହିବ, ରହିଯାଆନ୍ତି କି ଆଉ କିଛି କ୍ଷଣ ଏହି ପ୍ରକୃତି କୋଳରେ । ନିଘଞ୍ଚ ଜଙ୍ଗଲ । ତା’ମଧ୍ୟରେ ଦେଶୀ ଓ ବିଦେଶୀ ପକ୍ଷୀଙ୍କ କାକଳି । ଘଞ୍ଚ ଜଙ୍ଗଲରେ ବୁଲାବୁଲି କରିବା ସମୟରେ ବନ୍ୟଜନ୍ତୁଙ୍କୁ ଦେଖିବାର ସୁଖଦ ଅନୁଭୂତି । ସେପଟେ ଅଥଳ ମହାନଦୀ ଗଣ୍ଡର ଘନ ନୀଳ ଜଳରାଶି । ଗଣ୍ଡର ଦୁଇ କଡ଼ରେ କୁଞ୍ଚିକୁଞ୍ଚିକା ସୁଉଚ୍ଚ ପର୍ବତ । ନଦୀରେ ବୋଟିଂ କରିବାର ମଜା ସାଙ୍ଗକୁ ନେଚର କ୍ୟାମ୍ପ୍ରେ ରାତ୍ରୀଯାପନର ସ୍ୱର୍ଗୀୟ ଅନୁଭବ । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର ଏମିତି ମାଳ ମାଳ ଉପାଦାନ ଭରି ରଖିଛି ଅନୁଗୁଳର ସାତକୋଶିଆ ଅଭୟାରଣ୍ୟ । ଜୈବ ବିବିଧତାରେ ପରିପୂର୍ଣ୍ଣ ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ଅନୁଗୁଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟ । ମହାନଦୀର ସାତକୋଶ ପର୍ଯ୍ୟନ୍ତ ଲମ୍ବିଥିବା ଗଣ୍ଡ ହିଁ ଏହାର ସ୍ୱତନ୍ତ୍ର ପରିଚୟ । ଦୀର୍ଘ ୨୨ କିଲୋମିଟର ଏହି ଗଣ୍ଡରେ ବାସ କରୁଥିବା ବିରଳ ଘଡ଼ିଆଳ ଓ ମଗର କୁମ୍ଭୀର ସବୁବେଳେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି । ବର୍ଷ ତମାମ୍ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବା ବେଳେ ପର୍ଯ୍ୟଟନ ଋତୁରେ ପ୍ରକୃତି ପ୍ରେମୀଙ୍କ ପ୍ରଥମ ପସନ୍ଦ ପାଲଟିଥାଏ । ସାତକୋଶିଆ ଅଭୟାରଣ୍ୟ ଇଲାକାରେ ୫ଟି ନେଚର କ୍ୟାମ୍ପ୍ ପ୍ରତିଷ୍ଠା ହୋଇଛି । ଟିକରପଡ଼ା, ତରଭା, ବାଘମୁଣ୍ଡା, ଟୁଲୁକା, ଛୋଟକେଇଠାରେ ନେଚର୍ କ୍ୟାମ୍ପ୍ରେ ପର୍ଯ୍ୟଟକଙ୍କ ରହଣି ବ୍ୟବସ୍ଥା ହୋଇଛି । ଏଥିଲାଗି ପର୍ଯ୍ୟଟକଙ୍କୁ ଅନ୍ଲାଇନ ମାଧ୍ୟମରେ ବୁକିଂ କରିବାକୁ ପଡ଼ିଥାଏ । ପର୍ଯ୍ୟଟକମାନେ କଟକଣା ଭିତରେ ସାତକୋଶିଆ ଅଭୟାରଣ୍ୟର ପ୍ରାକୃତିକ ତଥା ନୈସିର୍ଗିକ ଶୋଭାରାଜିକୁ ଉପଭୋଗ କରିପାରିବେ । ପର୍ଯ୍ୟଟକ ଜଙ୍ଗଲରେ ବୁଲିବା ସହିତ ମହାନଦୀ ଗଣ୍ଡରେ ନୌକା ବିହାରର ମଜା ନିଆରା । ଦୁଇ ସୁଉଚ୍ଚ ପାହାଡ଼ ମଝିରେ ମହାଦନୀ ଗଣ୍ଡରେ ବୋଟିଂ କଲାବେଳ ଘଡ଼ିଆଳ, ମଗର କୁମ୍ଭୀର ଦେଖିପାରିବେ । ନଦୀକୂଳରେ ମାଳ ମାଳ ମଗର କୁମ୍ଭୀର ମଧ୍ୟ ବୋଟିଂର ମଜାକୁ ବହୁଗଣିତ କରିଥାନ୍ତି । ସଫାରି ପାଇଁ ବନବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ବନବିହାର ବେଳେ ପର୍ଯ୍ୟଟକଙ୍କୁ ହାତୀ, ବାଘ, ହରିଣ, ମୟୂର, ବାର୍ହା, ଗୟଳ, କୁଟୁରା ଆଦି ଚଳପ୍ରଚଳଳର ଦୃଶ୍ୟ ବିମୋହିତ କରେ । ଭୁବନେଶ୍ୱର ସହିତ ରାଜ୍ୟର ଅଧିକାଂଶ ସହରରୁ ଅନୁଗୁଳ ଆସିବା ପାଇଁ ବସ୍ ଓ ଟ୍ରେନ୍ ସୁବିଧା ରହିଛି । ଅନୁଗୁଳ ରେଲୱେ ଷ୍ଟେସନ୍ ଓ ବସଷ୍ଟାଣ୍ଡ୍ଠାରୁ ଟିକରପଡ଼ା ୬୫ କିଲୋମିଟର ଦୂର ।
ମନ ଜିଣିବ ଅନୁଗୁଳ ସହର
ସୁନା ଶଗଡ଼ ପାହାଡ଼ ଉପରେ ଶୈଳଶ୍ରୀକ୍ଷେତ୍ର । ବିଶ୍ୱନିୟନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର । ପାଦଦେଶରେ ଅନୁଗୁଳର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର । ସରକାର ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇଥିବା ବେଳେ ଏଠାକାର ଆଧ୍ୟାତ୍ମିକ ପରିବେଶ ମନରେ ସକାରାତ୍ମକ ପ୍ରଭାବ ପକାଇଥାଏ । ସହର ଛାତି ଉପରେ ଦୁଇ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ବାଦ୍ ପର୍ଯ୍ୟଟକ ବୁଲି ଦେଖିବା ପାଇଁ ଅନେକ କିଛି ରହିଛି ଅନୁଗୁଳ ସହରରେ । ବିଶ୍ୱସ୍ତରୀୟ ମ୍ୟୁଜିୟମ୍ ଓ ଲାଇବ୍ରେରୀ ‘ବ୍ଲାକ୍ ଡାଇମଣ୍ଡ’କୁ ଯାଇ ପର୍ଯ୍ୟଟକ ଅନୁଗୁଳର କଳା, ସଂସ୍କୃତି ଓ ଗୌରବମୟ ଇତିହାସର ଝଲକ ପାଇପାରିବେ । ପୌରପାଳିକର ଇକୋ ପାର୍କ, ପଞ୍ଚତତ୍ତ୍ୱ ପାର୍କ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ସବୁ ସମୟରେ ଲାଗି ରହିଥାଏ । ସନ୍ଧ୍ୟା ସମୟରେ ହେଲଥ୍ କରିଡରରେ ଝିଲ୍ମିଲ୍ ଆଲୁଅ ମଧ୍ୟରେ ଭଳିକି ଭଳି କଳାକୃତ୍ତି ସହିତ ଫଟୋ କଏଦ୍ କରିବାକୁ ପର୍ଯ୍ୟଟକ ପସନ୍ଦ କରିଥାନ୍ତି। ସହର ଉପକଣ୍ଠରେ ଥିବା ମନ୍ଦରଗିରି ପାହାଡ଼ ଓ ଅନୁଗୁଳ ସହର ଠାରୁ ୧୭ କିମି ଦୂରରେ ଥିବା ବଅଁରପାଳର ଗଡ଼ସନ୍ତ୍ରୀ ସ୍ଥିତ ମା’ ଲୋଭୀ ଠାକୁରାଣୀ ପୀଠ ଭଳି ଧାର୍ମିକ ପର୍ଯ୍ୟଟନ ସ୍ଥଳୀ ବୁଲିପାରିବେ ।
ଦେଉଳଝରୀ ଉଷ୍ମପ୍ରସ୍ରବଣ
ପର୍ଯ୍ୟଟନ ମାନଚିତ୍ରରେ ଆଠମଲ୍ଲିକ ଦେଉଳଝରୀ ଉଷ୍ମ ପ୍ରସ୍ରବଣର ସ୍ଥାନ ସ୍ୱତନ୍ତ୍ର । କିଆବଣ ମଧ୍ୟରେ ପୂଜା ପାଉଛନ୍ତି ବାବା ସିଦେ୍ଧଶ୍ୱର । ଏହି ଶୈବପୀଠ ୨୪ ଏକର ପରିମିତ। କିମ୍ବଦନ୍ତୀ ଅନୁସାରେ ୮୪ଟି ସ୍ଥାନରୁ ତତଲା ପାଣି ଉଦ୍ଗୀରଣ ହେଉଛି । ଯାହାକି କିଆବଣ ପରିବେଷ୍ଟିତ । ପରବର୍ତ୍ତୀ ସମୟରେ ସିମେଣ୍ଟ୍ କୁଣ୍ଡ କରାଯାଇ ଅଗ୍ନିକୁଣ୍ଡ, ତପ୍ତକୁଣ୍ଡ, ହିମକୁଣ୍ଡ, ଅନନ୍ତ କୁଣ୍ଡ, ଲବକୁଶ ଆଦି ନାମରେ ନାମିତ କରାଯାଇଛି । ପାଣିର ତାପମାତ୍ରା ୪୦ରୁ ୬୨ ଡିଗ୍ରୀ ସେଲସିୟସ୍ ରହୁଛି । ଏଭଳି ଏକ ଭୌତିକ ବିସ୍ମୟ ସ୍ଥଳ ବୁଲି ଦେଖିବାକୁ ପର୍ଯ୍ୟଟକ ବେଶ୍ ପସନ୍ଦ କରିଥାନ୍ତି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବହୁ ଉନ୍ନତିମୂଳକ କାର୍ଯ୍ୟ କରାଯାଇଛି । ଆଠମଲ୍ଲିକ ଉପଖଣ୍ଡଠାରୁ ଦେଉଳଝରୀର ଦୂରତା ମାତ୍ର ୫ କିଲୋମିଟର ।
ଅଗ୍ନିରୂପା ମା’ ହିଙ୍ଗୁଳା
ତାଳଚେର ସହରର ପଶ୍ଚିମ ଦିଗରେ ତାଳଚେରଠାରୁ ପ୍ରାୟ ୩୦ କିମି ଦୂର ଏବଂ ଜିଲ୍ଲା ମହକୁମାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ଅଗ୍ନିରୂପା ମା’ ହିଙ୍ଗୁଳା ପୀଠ । ଗୋପାଳପ୍ରସାଦ ଗ୍ରାମରେ ସିଙ୍ଗଡା ନଦୀ ତଟରେ ଥିବା ମା’ଙ୍କ ପୀଠରେ ପ୍ରତ୍ୟେକ ବର୍ଷ ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ନଅ ଦିନ ଧରି ବାର୍ଷିକ ପୂଜା ଅନୁଷ୍ଠିତ ହୋଇଥାଏ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ମା’ ହିଙ୍ଗୁଳା ପୀଠର ସମ୍ପର୍କ ଅତି ପ୍ରାଚୀନ । ଶ୍ରୀମନ୍ଦିର ରୋଷଘରେ ମା’ ଅଗ୍ନିରୂପା ବିଦ୍ୟମାନ । ରାଜ୍ୟର ପ୍ରମୁଖ ଶକ୍ତିପୀଠ ହୋଇଥିବାରୁ ଏଠାକୁ ବର୍ଷ ତମାମ୍ ସମଗ୍ର ରାଜ୍ୟରୁ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ ।
ବଣଭୋଜି ପାଇଁ ଡେରେଜାଙ୍ଗ ଡ୍ୟାମ୍
ବ୍ରାହ୍ମଣୀ ନଦୀର ଦୁଇ ଉପନଦୀ ମାତିଳିଆ ଓ ଲିଙ୍ଗରା ନଦୀ ଉପରେ ଛିଡ଼ା ହୋଇଛି ଡେରେଜାଙ୍ଗ ଡ୍ୟାମ୍ । ଅନୁଗୁଳ ସହରଠାରୁ ମାତ୍ର ୭ରୁ ୧୦ କିମି ଦୂରରେ ରହିଛି ଏହି ମନଲୋଭା ପର୍ଯ୍ୟଟନ ସ୍ଥଳୀ । ଡେରେଜାଙ୍ଗକୁ ଯିବା ପାଇଁ ପୃଥକ ଭାବେ ଭଲ ରାସ୍ତା ରହିଛି । ସହର ନିକଟରେ ଗ୍ରାମ୍ୟ ପରିବେଶର ମହକ । ଡାଇକ୍ ଉପରୁ ଡ୍ୟାମ୍ର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ବର୍ଷ ତମାମ୍ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ଡେରେଜାଙ୍ଗକୁ ।
ମୁଖ୍ୟତଃ ସୂର୍ଯ୍ୟାସ୍ତ ସମୟର ମନଲୋଭା ଦୃଶ୍ୟ ସାଙ୍ଗକୁ ବଣଭୋଜି ପର୍ଯ୍ୟଟକଙ୍କ ନଜର ଟାଣିଥାଏ । ଡ୍ୟାମ୍ ତଳେ ଜଙ୍ଗଲ ରହିଛି । ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ଡ୍ୟାମ୍ ନିକଟରେ ବହୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଛି । ଭୋଜିଭାତର ସୁବିଧା ପାଇଁ ଏକ ପାର୍କ୍କୁ ବିକଶିତ କରିବା ସହ ବିଶେଷ କରି ଭୋଜି ପାଇଁ ୧୪ଟି ଗୋଟି ପିଣ୍ଡି ରହିଛି । ଏହି ପିଣ୍ଡିରେ ଭୋଜି କରି ପୂରା ଦିନଟିଏ ବିତାଇବା ପାଇଁ ଏହା ଅନ୍ୟତମ ଉତ୍କୃଷ୍ଟ ସ୍ଥାନ।
ଖୁଲୁଡ଼ି ଜଳପ୍ରପାତ
ପାଳଲହଡାର ପ୍ରସିଦ୍ଧ ଶୈବପୀଠ ଖୁଲୁଡି । ମାଲ୍ୟଗିରି ପର୍ବତ ଉପରୁ ଅନବରତ ଝରୁଛି ଜଳସ୍ରୋତ । ଜଳପ୍ରପାତ କଡ଼ରେ ପୂଜା ପାଉଛନ୍ତି ପ୍ରଭୁ ଗିରିଶ୍ୱର । ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏହି ଶୈବପୀଠକୁ ବର୍ଷତମାମ୍ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ମନୋରମ ଦୃଶ୍ୟ ସାଙ୍ଗକୁ ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ବାନ୍ଧି ରଖିଥାଏ । ପାଳଲହଡା ଉପଖଣ୍ଡ ମହକୁମାଠାରୁ ଖୁଲୁଡିର ଦୂରତା ପ୍ରାୟ ୨୩ କିଲୋମିଟର । ୬ ନଂ ଜାତୀୟ ରାଜପଥରେ ପାଳଲହଡାରୁ କେନ୍ଦୁଝର ଆଡ଼କୁ ଯିବା ପରେ କନ୍ତଳା ଛକଠାରୁ ଦକ୍ଷିଣ ପାଶ୍ୱର୍କୁ ୧୮ କିଲୋମିଟର ଗଲେ ପଡିବ ଖୁଲୁଡି ଶୈବପୀଠ । ଅନୁଗୁଳ ସହରଠାରୁ ୯୫ କିଲୋମିଟର । ଠାକୁରଙ୍କ ଦର୍ଶନ ସହ ପ୍ରାକୃତିକ ଶୋଭାରାଜି ଉପଭୋଗ କରିବାକୁ ବର୍ଷତମାମ୍ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ ।
ପାତ୍ରପଡ଼ାର ବାୟାଣୀ ପୀଠ
ଛେଣ୍ଡିପଦା ବ୍ଲକ ପାତ୍ରପଡ଼ାର ମା’ ବାୟାଣୀ ପୀଠରେ ପର୍ଯ୍ୟଟନ ଋତୁରେ ଲାଗେ ଜମାଣିଆ ଭିଡ଼ । ବଣଭୋଜି ପାଇଁ ବେଶ୍ ଜଣାଶୁଣା । ଜଙ୍ଗଲ, ପାହାଡ ଭଳି ପ୍ରାକୃତିକ ଶୋଭାରାଜି ମଧ୍ୟରେ ମା’ ବନଦୁର୍ଗାଙ୍କ ଭବ୍ୟ ମନ୍ଦିର ନିର୍ମାଣ କରାଯାଇଛି । ମା’ଙ୍କ ଦର୍ଶନ ସାଙ୍ଗକୁ ପ୍ରାକୃତିକ ପରିବେଶର ମଜା ଉଠାଇଥାନ୍ତି ପର୍ଯ୍ୟଟକ । ଚିତ୍ତବିନୋଦନ ପାଇଁ ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଖପାଖ ଇଲାକାର ସୌନ୍ଦର୍ଯ୍ୟକରଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ନିକଟରେ ବାଘଧରିଆ ଗୁମ୍ଫା, ଇଂରେଜ ଅମଳରେ ମାତଳିଆ ନାଳ ଉପରେ ନିର୍ମିତ ଆଡ଼ିବନ୍ଧ ପୀଠର ଆନ୍ୟତମ ଆକର୍ଷଣ । ଜିଲ୍ଲା ସଦର ମହକୁମାଠାରୁ ପୀଠର ଦୂରତା ୫୮ କିଲୋମିଟର ହୋଇଥିବା ବେଳେ ଛେଣ୍ଡିପଦା ବ୍ଲକ ମହକୁମାଠାରୁ ମାତ୍ର ୧୮ କିଲୋମିଟର।
ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଦ୍ୱିତୀୟ ଚିଲିକା
ପାଳଲହଡ଼ା ବ୍ଲକ୍ରେ ଥିବା ଦ୍ୱିତୀୟ ଚିଲିକା ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପିକନିକ୍ ସ୍ପଟ୍ ଭାବେ ବେଶ୍ ଜଣାଶୁଣା । ରେଙ୍ଗାଳି ଜଳଭଣ୍ଡାରର ଏକ ଅଂଶର ବିସ୍ତୀର୍ଣ୍ଣ ଜଳରାଶି ଓ ବିଶାଳ ଘଞ୍ଚ ଜଙ୍ଗଲରେ ଆଚ୍ଛାଦିତ ଏହି ସ୍ଥାନଟି ପ୍ରସିଦ୍ଧ ଚିଲିକା ହ୍ରଦ ସହ ବହୁ ସାମଞ୍ଜସ୍ୟ ହେତୁ ଦ୍ୱିତୀୟ ଚିଲିକା ଭାବରେ ଏହା ପରିଗଣିତ ହୋଇଛି । ବଣଭୋଜି ଓ ଚିତ୍ତବିନୋଦନ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ । ପର୍ଯ୍ୟଟକଙ୍କୁ ବଣଭୋଜି ସାଙ୍ଗକୁ ନୌକା ବିହାର ଓ ମାଛ ଧରିବାର ସୁଯୋଗ ପ୍ରଦାନ କରିଥାଏ । ଶୀତ ଋତୁରେ ଏହି ହ୍ରଦକୁ ବହୁ ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଥାଏ । ଶାନ୍ତ ବାତାବରଣ ମଧ୍ୟରେ ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଦ୍ୱିତୀୟ ଚିଲିକା ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ପାଲଟିଛି । ଅନୁଗୁଳ ସଦର ମହକୁମା ଠାରୁ ୮୮ କିଲୋମିଟର ଓ ପାଳଲହଡା ଉପଖଣ୍ଡ ମହକୁମାଠାରୁ ୨୦ କିଲୋମିଟର ଦୂରରେ ଅବସ୍ଥିତ ।
ରେଙ୍ଗାଳି ଡ୍ୟାମ୍
ବଣଭୋଜି ଓ ଅବସର ବିନୋଦନ ପାଇଁ ରେଙ୍ଗାଳି ଡ୍ୟାମ୍ ପର୍ଯ୍ୟଟକଙ୍କ ଅନ୍ୟତମ ପ୍ରମୁଖ ସ୍ଥାନ । କଣିହାଁ ବ୍ଲକରେ ଅବସ୍ଥିତ ଏହି ଜଳ ବିଦ୍ୟୁତ୍ ପ୍ରକଳ୍ପ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ବ୍ରାହ୍ମଣୀ ନଦୀ ଉପରେ ନଦୀବନ୍ଧ ଓ ଜଳ ଭଣ୍ଡାରର ବିସ୍ତୀର୍ଣ୍ଣ ଜଳରାଶି ସାଙ୍ଗକୁ ଉଭୟ ପାଶ୍ୱର୍ରେ ସୁଉଚ୍ଚ ପାହାଡ଼ର ଦୃଶ୍ୟ ଅତି ମନଲୋଭା । ଅନୁଗୁଳ ସଦର ମହକୁମାରୁ ରେଙ୍ଗାଳି ଡ୍ୟାମ୍ ଦୂରତା ୮୫ କିଲୋମିଟର।
ମହାନଦୀ ତଟରେ ମା’ ବିନିକେୟୀ ପୀଠ
ଅନୁଗୁଳ ଜିଲ୍ଲାର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀ ହେଉଛି ମା’ ବିନିକେୟୀ ପୀଠ । ଆଠମଲ୍ଲିକ ଉପଖଣ୍ଡ ମହକୁମାରୁ ମାତ୍ର ୨୫ କିମି ଦୂରରେ ମହାନଦୀ ତଟରେ ମା’ଙ୍କ ଭବ୍ୟ ମନ୍ଦିର ରହିଛି । ଏହି ପୀଠ ନିକଟରୁ ମହାନଦୀର ପ୍ରଶସ୍ତ ଜଳରାଶି ସଙ୍କୀର୍ଣ୍ଣ ହୋଇ ଗଣ୍ଡରେ ପରିଣତ ହୋଇଛି । ସୂର୍ଯ୍ୟ କିରଣରେ ମହାନଦୀର ନୀଳ ଜଳରାଶି ଓ ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାର ଦୃଶ୍ୟ ବେଶ୍ ମନୋରମ । ମହାନଦୀ ତଟରେ ସୁଉଚ୍ଚ ପଞ୍ଚଧାରା ପର୍ବତଶ୍ରେଣୀ ମା’ ବିନିକେୟୀଙ୍କ ମସ୍ତକରେ ମୁକୁଟ ଭଳି ଶୋଭାବର୍ଦ୍ଧନ କରୁଛି । ପ୍ରତିବର୍ଷ ଚୈତ୍ର ମାସ ଦଶଦୋଳ ପରେ ୩ ଦିନ ଧରି ବିନିକେୟୀଙ୍କ ଯାତ୍ରା ଅନୁଷ୍ଠିତ ହୁଏ ।