କୋର୍ଟ ରାୟ; ଯାହା ଘର ସାମ୍ନାରେ ଠିଆ ହେବ ଗାଈ ତା’ର…

ଯୋଧପୁର: ଏକ ଗାଈର ମାଲିକାନାକୁ ନେଇ ରାଜସ୍ଥାନର ଯୋଧପୁର ସହର ସ୍ଥିତ ଏକ କୋର୍ଟ ଶନିବାର ଦିନ ଅଦ୍ଭୁତପୂର୍ବ ରାୟ ଦେଇଛନ୍ତି ଏବଂ ତଦନୁଯାୟୀ ଏହି ବିବାଦର ସମାଧାନ ବି କରାଯାଇଛି । କୋର୍ଟ ନିଜ ରାୟରେ କହିଥିଲେ କି ଉକ୍ତ ଗାଈଟିକୁ ଖୋଲା ଛାଡି ଦିଆଯାଉ । ସିଏ ଯାହା ଘର ସାମ୍ନାରେ ଠିଆ ହେବ, ଗାଈର ଅସଲ ମାଲିକ ସିଏ ।
ରିପୋର୍ଟ ଅନୁଯାୟୀ, ଯୋଧପୁରରେ ରହୁଥିବା କନଷ୍ଟେବଲ ଓମପ୍ରକାଶ ଏବଂ ଜଣେ ଶିକ୍ଷକ ଶିବରାମ ପରିହାରଙ୍କ ମଧ୍ୟରେ ଗତ ୬ ମାସ ଧରି ଗୋଟିଏ ଗାଈର ମାଲିକାନାକୁ ନେଇ ବିବାଦ ଚାଲିଥିଲା । ଏହି ବିବାଦକୁ ନେଇ ଉଭୟ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କଲେ ଏବଂ ଶେଷରେ ମାମଲା କୋର୍ଟରେ ପହଞ୍ଚିଲା । ୬ ମାସ ଧରି ଏହାର ଶୁଣାଣି ଚାଲିଥିଲା । କୋର୍ଟଙ୍କ ନିର୍ଦ୍ଦେଶ ମତେ ଗାଈଟିକୁ ପୁଲିସ ଆଣି ଗୋଶାଳାରେ ରଖିଥିଲା । ତେବେ ବିଭିନ୍ନ ପକ୍ଷଙ୍କ ଯୁକ୍ତି ଏବଂ ସାକ୍ଷୀମାନଙ୍କ ବୟାନ ଶୁଣିବା ପରେ ବି ଗାଈର ମାଲିକାନା କେମିତି ନିର୍ଦ୍ଧାଣ କରାଯିବ, ତାହାକୁ ନେଇ କୋର୍ଟ ଚିନ୍ତିତ ଥିଲେ । ତେଣୁ କୋର୍ଟ ଶେଷରେ ଏକ ପ୍ରାକୃତିକ ପ୍ରକ୍ରିୟାକୁ ଅନୁସରଣ କରିବାକୁ ସ୍ଥିର କରିଥିଲେ । ଗାଈ ଏକ ଗୃହପାଳିତ ପଶୁ ହୋଇଥିବାରୁ ସିଏ ନିଜ ମାଲିକ ଏବଂ ତାଙ୍କର ଘରକୁ ଚିହ୍ନିଥାଏ । ତେଣୁ ଗାଈ ନିଜ ମାଲିକର ଘରକୁ ଖୋଜି ଖୋଜି ସେଠାକୁ ଆସିଯାଇଥାଏ ।
ଏହାକୁ ଆଧାର କରି କୋର୍ଟ ରାୟ ଦେଲେ କି ଉକ୍ତ ଗାଈକୁ ନେଇ କୋର୍ଟର କମିଶନର ଉଭୟ ଦାବିଦାର ରହୁଥିବା ଅଞ୍ଚଳରେ ଛାଡିଦେବେ । ଗାଈଟି ସେମାନଙ୍କ ମଧ୍ୟରୁ ଯାହା ଘର ସାମ୍ନାରେ ଅଟକିବ, ସେ ହିଁ ତା’ର ଅସଲ ମାଲିକ ହେବେ । ଏହାପରେ କୋର୍ଟ କମିଶନର ଗାଈଟିକୁ ଖୋଲା ଛାଡିବାରୁ ସେ କନଷ୍ଟେବଲ ଓମପ୍ରକାଶଙ୍କ ଘର ନିକଟରେ ରହିଥିଲା । ତେଣୁ ତାଙ୍କୁ ଗାଈଟି ହସ୍ତାନ୍ତର କରାଯାଇଥିଲା । ଅନ୍ୟପଟରେ ଶିବରାମ କହିଛନ୍ତି କି ସେ ଏହା ବିରୋଧରେ ଉଚ୍ଚ ଅଦାଲତର ଦ୍ୱାରସ୍ଥ ହେବେ ।