ସାକ୍ଷୀଗୋପାଳ,୩୧/୧୦: ଆଜି ପବିତ୍ର ଅଁଳାନବମୀ । ସାକ୍ଷୀଗୋପାଳସ୍ଥିତ ଶ୍ରୀଗୋପାଳଜିଉ ମନ୍ଦିରରେ ଠାକୁରାଣୀ ରାଧାରାଣୀଙ୍କ ପାଦ ଦର୍ଶନ । ଭୋର୍ ୫ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ଲାଗିଛି। ସିଂହଦ୍ୱାର ସମ୍ମୁଖରେ ୧୧ ଥାକିଆ ଛାୟାପ୍ରଦ ବ୍ୟାରିକେଡ୍ ଆସି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।
ସୂଚନା ଅନୁଯାୟୀ, ରାତି ପ୍ରାୟ ଗୋଟାଏରୁ ଦ୍ଵାର ଫିଟା ପରେ ମଙ୍ଗଳା ଆରତୀ,ମର୍ଦନ ଅବକାଶପରେ ନଟବର ବେଶ ସମାପ୍ତ ହେବା ପରେ ଭୋରରୁ ସୂର୍ଯ୍ୟପୂଜା, ବଲ୍ଲଭ, ସକାଳ ଧୂପ, ବାଳଧୂପ ,ମଦନ ମୋହନ ଭୋଗ ପରେ ସକାଳ ୫ଟା ଠାରୁ ଭକ୍ତ ମାନଙ୍କ ନିମନ୍ତେ ସାହାଣ ମେଲା ଦର୍ଶନ ଚାଲିଛି ।
ଅଁଳାନବମୀ ପାଇଁ ଚଳଚଞ୍ଚଳ ସାକ୍ଷୀଗୋପାଳ ଅଞ୍ଚଳ । ଶ୍ରୀଗୋପାଳଜିଉ ମନ୍ଦିରକୁ ରଙ୍ଗବେରଙ୍ଗ ଆଲୋକରେ ସଜାଯାଇଛି । ସିଂହଦ୍ୱାର, ବକୁଳ ବନ, ପଞ୍ଚସଖା ସମାଧି ପୀଠ, ବସ୍ଷ୍ଟାଣ୍ଡସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ସ୍ଥଳ, କଲେଜ ଛକ, ମନ୍ଦିର ବାଇପାସ୍ ରାସ୍ତା ଓ ସାକ୍ଷୀଗୋପାଳ ବଜାର ଅଞ୍ଚଳରେ ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ହୋଇଛି । ପୁରୀ ପଟୁ ଆସୁଥିବା ଯାନବାହନ ମହାମାୟା ସାହି ଦେଇ ସାକ୍ଷୀଗୋପାଳ ଷ୍ଟେସନ୍ ପଡ଼ିଆରେ ପାର୍କିଂ କରାଯିବ । ସେହିପରି ଭୁବନେଶ୍ୱର ପଟୁ ଆସୁଥିବା ଯାନବାହନ ସାକ୍ଷୀଗୋପାଳ କଲେଜ ବାଇପାସ୍ ରାସ୍ତା ଦେଇ କୋଟ ଉପର ପଡ଼ିଆରେ ପାର୍କିଂ ହେବ । ଅପରାଧିକ କାର୍ଯ୍ୟକଳାପ ରୋକିବା ଓ ଅମାନିଆଙ୍କୁ ଆୟତ୍ତ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ସିସି କ୍ୟାମେରା ଲଗାଯାଇଛି । ସମସ୍ତ ନୀତିକାନ୍ତି ସହ ରାଧାରାଣୀଙ୍କ ପାଦ ଦର୍ଶନକୁ ନେଇ ସେବାୟତ ସଂଘ ପକ୍ଷରୁ ଅଁଳାନବମୀ ପାଇଁ ଦେବନୀତି ନିର୍ଘଣ୍ଟ କରାଯାଇଛି । ନିୟନ୍ତ୍ରିତ ବଜାର କମିଟି ତରଫରୁ ମନ୍ଦିର ଚତୁଃପାଶ୍ୱର୍, ସାକ୍ଷୀଗୋପାଳ ବଜାର ଓ ବକୁଳ ବନ ସଫା କରାଯାଇଛି ।
ସେହିପରି ଜଗଦ୍ଧାତ୍ରୀ ପୂଜା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ସମ୍ମୁଖରେ ଅଁଳା ବୃକ୍ଷ ନିକଟରେ ହବିଷ୍ୟାଳିମାନେ ପ୍ରସାଦ ପ୍ରସ୍ତୁତ କରିବା ନିମନ୍ତେ ବ୍ୟବସ୍ଥା ହୋଇଛି । ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀରାଧା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଭଜନ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ଶ୍ରୀରାଧାପାଦ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶକୁ ଦୃଷ୍ଟିରେ ରଖି ପୁରୀ ଏସ୍ପି ପ୍ରତୀକ ସିଂ ଗୁରୁବାର ସାକ୍ଷୀଗୋପାଳ ମନ୍ଦିରରେ ସମୀକ୍ଷା କରିଥିଲେ । ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍ପି, ୧୧ଜଣ ଡିଏସ୍ପି, ୨୧ ଇନ୍ସପେକ୍ଟର, ୭୧ଜଣ ଏସ୍ଆଇ, ଏଏସ୍ଆଇ, ୯୨ ହାବିଲଦାର ଓ କନ୍ଷ୍ଟେବଲ୍, ୧୦ ଟ୍ରାଫିକ୍ କନ୍ଷ୍ଟେବଲ୍, ୨୩ ପ୍ଲାଟୁନ ଫୋର୍ସ, ୨୫୦ ଗୃହରକ୍ଷୀ ମୁତୟନ ହୋଇଛନ୍ତି।