ନୂଆଦିଲ୍ଲୀ,୨୨/୦୭: ଭାରତୀୟ କ୍ରିକେଟ୍ ଦଳ ଆସନ୍ତା ମାସରେ ୨ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଶ୍ରୀଲଙ୍କା ଗସ୍ତ କରିବ । ଖୁବ୍ ଶୀଘ୍ର ଏହି ସିରିଜ ପାଇଁ ଦଳ ଘୋଷଣା କରାଯିବ । ପେସ୍ ବୋଲର ଯଶପ୍ରୀତ ବୁମରା ଓ ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଏହି ସିରିଜ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି । ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟ ବି ଖେଳିନଥିଲେ ସାର୍ ଜାଡେଜା । ବୁମରା ଗତ ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ପୂର୍ବରୁ ଆହତ ହୋଇଥିଲେ । ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ରହିଥିବା ଟସ ସମୟରେ ଅଧିନାୟକ ଶୁଭମନ ଗିଲ୍ ପ୍ରକାଶ କରିଥିଲେ । ବୁମରାଙ୍କ ଅନୁପସ୍ଥିତିରେ ଇଂଲଣ୍ଡ ପଞ୍ଚମ ଦିନିକିଆରେ ୩୮୭ ରନ ସଂଗ୍ରହ କରିଥିଲା । ବୁମରାଙ୍କ ଉପସ୍ଥିତି ପେସ ବୋଲିଂ ବିଭାଗ ସୁଦୃଢ଼ କରିବା ନିଶ୍ଚିତ । ଆହତ କାରଣରୁ ୱାସିଂଟନ ସୁନ୍ଦର ସିରିଜରୁ ବାଦ ପଡିପାରନ୍ତି । ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଅଗଷ୍ଟ ୪ରେ ଭାରତ ଶ୍ରୀଲଙ୍କା ଗସ୍ତ କରିପାରେ ।
ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଆହତ ହୋଇଥିବା ୱାସିଂଟନ ସୁନ୍ଦରଙ୍କ ଫିଟ୍ନେସ୍କୁ ନେଇ ଚୟନ କମିଟି ଚିନ୍ତାରେ ରହିଛି । ସୁନ୍ଦର ଫିଟ୍ ହୋଇ ନପାରିଲେ ତାଙ୍କ ସ୍ଥାନରେ ଜଣେ ନବାଗତଙ୍କୁ ଦଳରେ ସ୍ଥାନ ଦେବା ପାଇଁ ଚୟନ କମିଟି ବିଚାର କରୁଛି । ଏହି ଦୌଡ଼ରେ ଅଫ ସ୍ପିନର ସାରାଂଶ ଜୈନ ଆଗରେ ରହିଛନ୍ତି । ଗତ ଆଫଗାନିସ୍ତାନ ବିପକ୍ଷ ଏକମାତ୍ର ଟେଷ୍ଟରେ ପଦାର୍ପଣ କରିଥିବା ମାନବ ସୁତାର ସ୍ଥାନ ବଜାୟ ରଖିବା ନିଶ୍ଚିତ । ହର୍ଷ ଦୁବେ ଓ କୁଲଦୀପ ଯାଦବ ଅନ୍ୟ ୨ ସ୍ପିନର ଭାବେ ସ୍ଥାନ ବଜାୟ ରଖିବେ । ମହମ୍ମଦ ସିରାଜ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ପେସ୍ ବିଭାଗ ସମ୍ଭାଳିବେ । ଭାରତୀୟ ଦଳ ଅଗଷ୍ଟ ୪ ତାରିଖରେ ଶ୍ରୀଲଙ୍କାରେ ପହଞ୍ଚିବ । ଟେଷ୍ଟ ସିରିଜ ପୂର୍ବରୁ ଦଳ ଏକ ୪ଦିନିଆ ଅନଫିସିଆଲ ଅଭ୍ୟାସ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଅଗଷ୍ଟ ୧୫ରୁ ୧୯ ତାରିଖ ମଧ୍ୟରେ ପ୍ରଥମ ଟେଷ୍ଟ ଓ ୨୩ରୁ ୨୭ ତାରିଖ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯିବ । ଏହି ସିରିଜ ପରେ ଭାରତୀୟ ଦଳ ଟେଷ୍ଟ ସିରିଜ ଖେଳିବା ପାଇଁ ନ୍ୟୁଜିଲାଣ୍ଡ ଗସ୍ତ କରିବ । ଏହାପରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ଆୟୋଜନ କରିବ ।
ଏହା ବି ପଢନ୍ତୁ...ବଡ଼ ଖବର: ଦିନିକିଆ ସିରିଜ ହାରିବା ପରେ ଅଧିନାୟକ ପଦକୁ ଇସ୍ତଫା ଦେଲେ କ୍ରିକେଟର, କହିଲେ ବ୍ୟକ୍ତିଗତ ନିଷ୍ପତ୍ତି
ସମ୍ଭାବ୍ୟ ଭାରତୀୟ ଦଳ- ଶୁଭମନ ଗିଲ୍ (ଅଧିନାୟକ), ଯଶ୍ୱସୀ ଜୈସ୍ୱାଲ, କେଏଲ୍ ରାହୁଲ, ସାଇ ସୁଦର୍ଶନ, ଋଷବ ପନ୍ତ, ଧ୍ରୁବ ଜୁରେଲ, ରବିନ୍ଦ୍ର ଜାଡେଜା, ମାନବ ସୁତାର, ୱାସିଂଟନ ସୁନ୍ଦର/ହର୍ଷ ଦୁବେ, ଜଶପ୍ରୀତ ବୁମରା, ମହମ୍ମଦ ସିରାଜ, ଗ୍ରୁନରୁର ବରାର, ପ୍ରସିଦ୍ଧ କୃଷ୍ଣା, କୁଳଦୀପ ଯାଦବ, ଦେବଦତ୍ତ ପାଡିକଲ ।