ନୂଆଦିଲ୍ଲୀ, ୦୬/୦୨ : ଫେବୃଆରୀ ୬... ଭାରତୀୟ ମହିଳାଙ୍କ ପାଇଁ ଏକ ଐତିହାସିକ ଦିନ। ୧୯୫୯ ମସିହାରେ ଆଜିର ଦିନରେ ଜଣେ ଭାରତୀୟ ମହିଳା ପ୍ରଥମ ଥର ପାଇଁ ହାଇକୋର୍ଟରେ ଜଜ୍ ଆସନରେ ବସି ନ୍ୟାୟ କରିଥିଲେ। ଅନ୍ନା ଚଣ୍ଡି କେରଳ ହାଇକୋର୍ଟରେ ପ୍ରଥମ ମହିଳା ନ୍ୟାୟାଧୀଶ ଭାବେ ନିୟୋଜିତ ହୋଇଥିଲେ। ପୁରୁଷ କୈନ୍ଦ୍ରିକ ସମାଜରେ ସମସ୍ତ ବେଡ଼ି ଭାଙ୍ଗି ଅନ୍ନା ଚଣ୍ଡି ଜଜ୍ ହୋଇଥିଲେ।

ଅନ୍ନା ଚଣ୍ଡି ପ୍ରାରମ୍ଭିକ ସମୟରେ ସହକର୍ମୀଙ୍କ ଶତ୍ରୁତାର ସମ୍ମୁଖୀନ ହୋଇଥିଲେ। ମହିଳାଙ୍କର ନ୍ୟାୟାଳୟରେ କୌଣସି ସ୍ଥାନ ନାହିଁ ବୋଲି ସମାଜର ଚିନ୍ତାଧାର ଥିଲା। ଏପରିକି ଓକିଲାତି ପେଶା ମହିଳାଙ୍କ ପାଇଁ ନୁହେଁ ବୋଲି ଜଣେ ବରିଷ୍ଠ ଓକିଲ ଅଦାଲତରେ ସର୍ବ ସମ୍ମୁଖରେ ଯୁକ୍ତି କରିଥିଲେ। ହେଲେ ଚଣ୍ଡି କୌଣସି ଉତ୍ତର ଦେଇନଥିଲେ। ଅତି ବିନମ୍ର ଭାବରେ ନିଜ ପକ୍ଷ ରଖିଥିଲେ। ଦୃଢ ନିଶ୍ଚୟ ଯୋଗୁଁ ପରବର୍ତ୍ତୀ ସମୟରେ ସେ କେରଳ ହାଇକୋର୍ଟରେ ପ୍ରଥମ ମହିଳା ଜଜ୍ ହୋଇଥିଲେ। 

୧୯୦୫ରେ କେରଳର ତ୍ରାବଣକୋରରେ ଅନ୍ନା ଚଣ୍ଡିଙ୍କ ଜନ୍ମ। ପିଲାଦିନୁ ପାଠପଢା ପ୍ରତି ତାଙ୍କର ଆଗ୍ରହ ଥିଲା। ପୁରୁଷ କୈନ୍ଦ୍ରିକ ସମାଜର ସବୁ ବେଡି ଭାଙ୍ଗି ସେ ଆଇନ ଡିଗ୍ରୀ ହାସଲ କରିଥିଲେ। ଯେଉଁ ସମାଜରେ ମହିଳାମାନଙ୍କର ବକ୍ତବ୍ୟର ଅଧିକାର ନଥିଲା ସେଠାରେ ଚଣ୍ଡି ଯୁକ୍ତି କରିବାକୁ ସ୍ଥିର କରିଥିଲେ। ଦୃଢ ମନୋବଳ ପାଇଁ ଏଥିରେ ସେ ସଫଳ ହୋଇଥିଲେ। ୧୯୩୭ ମସିହାରେ ଅନ୍ନା ଚଣ୍ଡି ଭାରତର ପ୍ରଥମ ମହିଳା ନ୍ୟାୟିକ ଅଧିକାରୀ ହେଲେ। ୧୯୪୮ରେ ତାଙ୍କୁ ଜିଲ୍ଲା ନ୍ୟାୟାଧୀଶ ପଦରେ ପଦୋନ୍ନତି ମିଳିଲା। ୧୯୫୯ରେ ସେ ଉଚ୍ଚ ନ୍ୟାୟାଳୟର ପ୍ରଥମ ମହିଳା ନ୍ୟାୟାଧୀଶ ହେଲେ। ୧୯୬୭ରେ ସେ ଅବସର ନେଇଥିଲେ। 

ଏହି ଖବରଟିକୁ ପଢନ୍ତୁ- ଗାଁର ଜନସଂଖ୍ୟା ୧୬୦୦, ପଞ୍ଜିକୃତ ହୋଇଛି ୧୫ ହଜାରରୁ ଅଧିକ ଜନ୍ମ-ମୃତ୍ୟୁ