ନୂଆଦିଲ୍ଲୀ,୨।୬: ତାମିଲନାଡୁର ପୂର୍ବତନ ବିଜେପି ମୁଖ୍ୟ କେ. ଆନ୍ନାମଲାଇଙ୍କ ବଡ଼ ନିଷ୍ପତ୍ତି। ମଙ୍ଗଳବାର ସେ ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସୁତ୍ରରୁ ମିଳିଥିବା ଖବର ଅନୁସାରେ, ନୀତିନ ନବିନ ଓ ସଂଗଠନର ମହାସଚିବ ବିଏଲ୍ ସନ୍ତୋଷଙ୍କ ସହ ହୋଇଥିବା ବୈଠକରେ ଆନ୍ନାମଲ୍ଲାଇ ସୌହାର୍ଦ୍ଧପୂର୍ଣ୍ଣ ପରିବେଶରେ ଦଳରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଥିଲେ। ସେ ସ୍ପଷ୍ଟ ଭାବରେ କହିଥିଲେ, ଏବେ ସେ ନିଜର ରାସ୍ତା ନିଜେ ତିଆରି କରିବାକୁ ଚାହାନ୍ତି। ପାର୍ଟି ସୁତ୍ରର କହିବା ଅନୁସାରେ, ବିଜେପିର ବଡ଼ ନେତା ଆନ୍ନାମଲାଇଙ୍କୁ ରୋକିବାକୁ ମଧ୍ୟ ଚେଷ୍ଟା କରିଥିଲେ। କାରଣ ତାଙ୍କୁ ରାଷ୍ଟ୍ରୀୟ ସ୍ତରର ଗୁରୁତ୍ବପୂର୍ଣ୍ଣ ଭୂମିକା ପ୍ରଦାନ କରାଯିବାର ମଧ୍ୟ ଚର୍ଚ୍ଚା ଥିଲା। ତାଙ୍କୁ ଆଗାମୀ ନିର୍ଦେଶ ପର୍ଯ୍ୟନ୍ତ ଦିଲ୍ଲୀ ନଛାଡିବାକୁ ବି କୁହାଯାଇଥିଲା।
ଅନ୍ନାମଲାଇ ଦୀର୍ଘ ଦିନ ଧରି ତାମିଲନାଡୁରେ ବିଜେପିର ଏକ ପ୍ରମୁଖ ଚେହେରା ରହିଆସିଛନ୍ତି। ସେ ଏବେ ଏକ ନୂତନ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଖୁବ୍ ଶୀଘ୍ର ତାଙ୍କର ନୂତନ ଦଳ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଏହି ସମୟରେ, ବିଜେପି ତାଙ୍କୁ ମନାଇବାକୁ ଚେଷ୍ଟା କରୁଛି। ଦଳୀୟ ନେତୃତ୍ୱ ଏବେ ବି ଆଶାବାଦୀ ଯେ ସେମାନେ ଅନ୍ନାମଲାଇଙ୍କୁ ରହିବାକୁ ରାଜି କରାଇପାରିବେ, କିନ୍ତୁ ସୂତ୍ରରୁ ଜଣାପଡିଛି ଯେ, ସେ ଆଉ ବିଜେପି ଫେରିନପାରନ୍ତି।
ଆଇପିଏସ୍ ଅଧିକାରୀରୁ ରାଜନେତା
ଆଇପିଏସ୍ ଅଧିକାରୀରୁ ରାଜନେତା ହୋଇଥିବା ଅନ୍ନାମଲାଇ ୨୦୨୦ ରେ ବିଜେପିରେ ଯୋଗ ଦେଇଥିଲେ ଏବଂ ଶୀଘ୍ର ତାମିଲନାଡୁରେ ଦଳର ପ୍ରମୁଖ ନେତାମାନଙ୍କ ମଧ୍ୟରୁ ଜଣେ ହୋଇପାରିଥିଲେ। ୨୦୨୧ ରୁ ୨୦୨୫ ପର୍ଯ୍ୟନ୍ତ ରାଜ୍ୟ ବିଜେପି ସଭାପତି ଭାବରେ, ସେ ଅନେକ ରାଜ୍ୟସ୍ତରୀୟ ଅଭିଯାନର ନେତୃତ୍ୱ ନେଇଥିଲେ ଏବଂ ଯୁବ ଭୋଟର ଏବଂ ସୋସିଆଲ ମିଡିଆ ଫଲୋଅର୍ସଙ୍କ ମଧ୍ୟରେ ଏକ ଦୃଢ଼ ସମର୍ଥନ ଭିତ୍ତିଭୂମି ଗଠନ କରିଥିଲେ। ତେବେ ସେ ଆଗକୁ ବିଜେପିରେ ନିଜ ପାଇଁ ଭବିଷ୍ୟତ ଦେଖି ପାରିନଥିଲେ। ବିଜେପି ତାଙ୍କୁ ରାଜ୍ୟସଭା ଆସନ ପ୍ରଦାନ କରିଥିଲା, କିନ୍ତୁ ସେ ମନା କରିଦେଇଥିଲେ। ଅନ୍ନାମଲାଇ ଚାହୁଁଥିଲେ ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢ଼ୁ, କାରଣ ସେ ବିଶ୍ୱାସ କରୁଥିଲେ ଯେ ଦଳ ଗତ କିଛି ବର୍ଷ ମଧ୍ୟରେ ଏକ ଦୃଢ଼ ସ୍ଥିତି ହାସଲ କରିଛି। ତଥାପି, ବିଜେପି ନେତୃତ୍ୱ ଏଆଇଏଡିଏମକେ ସହିତ ପୁଣି ଥରେ ମେଣ୍ଟ ଆରମ୍ଭ କରିଥିଲେ, ଏହି ନିଷ୍ପତ୍ତିରେ ଅନ୍ନାମଲାଇ ଅସନ୍ତୁଷ୍ଟ ଥିଲେ।
ଆଗକୁ କ’ଣ ରହିଛି ପ୍ଳାନ ?
ସୂତ୍ର ଅନୁସାରେ ୪୧ ବର୍ଷୀୟ ଅନ୍ନାମଲାଇ ତାମିଲନାଡୁରେ ଏକ ଆନ୍ଦୋଳନ ଆରମ୍ଭ କରିପାରନ୍ତି। ପରେ ନୂଆ ଦଳ ଗଠନ କରିପାରନ୍ତି। ଏହି ପଦକ୍ଷେପର ଲକ୍ଷ୍ୟ ସମାନ ଚିନ୍ତାଧାରା ଥିବା ବ୍ୟକ୍ତିଙ୍କୁ ଏକାଠି କରିବା ଏବଂ ଏକ ଦୃଢ଼ ନେଟୱାର୍କ ନିର୍ମାଣ କରିବା। ଅନ୍ନାମଲାଇ ପୂର୍ବରୁ ‘ୱି ଦି ଲିଡର୍ସ’ ନାମକ ଏକ ନନପ୍ରଫିଟ୍ ସଂଗଠନ ନେତୃତ୍ୱ ପଦକ୍ଷେପ ନେଇଛନ୍ତି। ଏହା ଏକ ବୃହତ ରାଜନୈତିକ ପ୍ରକଳ୍ପର ମୂଳଦୁଆ ଭାବରେ କାର୍ଯ୍ୟ କରିପାରେ। ଏହା ବ୍ୟତୀତ, କୁହାଯାଉଛି ଯେ ତାଙ୍କ ଦଳ ତାମିଲନାଡୁରେ ଆଗାମୀ ବିଧାନସଭା ଉପନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିପାରେ। ଏହା ତାଙ୍କର ବ୍ୟକ୍ତିଗତ ଲୋକପ୍ରିୟତା ଏବଂ ପ୍ରଭାବକୁ ବୃଦ୍ଧି କରିପାରେ। ଏଭଳି କିଛି ଆଶାଙ୍କା କରାଯାଉଛି। ହେଲେ ଆନ୍ନମଲ୍ଲାଇ ତାଙ୍କର ଆଗାମୀ ରଣନୀତି କ’ଣ ତାହା ସ୍ପଷ୍ଟ କରିନାହାନ୍ତି।