PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

କେନ୍ଦ୍ରାପଡ଼ାରେ ଆକ୍ଟର-ହେଲିକପ୍ଟର ଲଢ଼େଇ

କେନ୍ଦ୍ରାପଡା/ଜଗତସିଂହପୁର ୨୭/୩: ହାଇପ୍ରୋଫାଇଲ୍ କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ରାଜ୍ଯସଭା ସାଂସଦ ତଥା ଓଲିଉଡ୍‌ର ସୁପର୍‌ଷ୍ଟାର୍‌ ଅନୁଭବ ମହାନ୍ତିଙ୍କୁ ମଇଦାନ୍‌କୁ ଉତାରିଛି ଶାସକ ବିଜୁ ଜନତା ଦଳ । ଆଜି ଆନୁଷ୍ଠାନିକ ଭାବେ ଦଳର ଅନ୍ୟ ପ୍ରାର୍ଥୀଙ୍କ ସମେତ ଅନୁଭବଙ୍କ ନାଁରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଏଠାରେ ପୂର୍ବରୁ ବିଜେପି ବୈଜୟନ୍ତ ପଣ୍ଡାଙ୍କ ନାମ ଘୋଷଣା କରିଛି । ଏଥରକ କେନ୍ଦ୍ରାପଡ଼ା ବାସୀ ଆକ୍ଟର (ଅନୁଭବ) ବନାମ ହେଲିକପ୍ଟର (ବୈଜୟନ୍ତ) ଲଢ଼େଇ ଦେଖିବାକୁ ପାଇବେ । ବିଗତ ଦୁଇଟି ନିର୍ବାଚନରେ ଏଠାରୁ ବିଜେଡିର ସାଂସଦ ଭାବେ ନିର୍ବାଚିତ ହୋଇଥିବା ବୈଜୟନ୍ତ ପଣ୍ଡା, ପରିବର୍ତ୍ତିିତ ପରିସ୍ଥିତିରେ ଏଥର ବିଜେପିରୁ ଏଠୁ ଲଢୁଥିବା ବେଳେ ତାଙ୍କୁ ମାତ୍‌ ଦେବାକୁ ବିଜେଡି କାହାକୁ ମଇଦାନ୍‌କୁ ଉତାରିବ ତା ଉପରେ ସବୁରି ନଜର ନିବଦ୍ଧ ଥିଲା ।

ବିଜେଡି ଆଜି ଅନୁଭବଙ୍କୁ ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ଏଠାରେ ବୈଜୟନ୍ତଙ୍କ ସହିତ ଅନୁଭବଙ୍କର ସିଧାସଳଖ ଟକ୍କର ହେବା ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ରାପଡ଼ାର ବାରୋଠାରେ ଆୟୋଜିତ ମିଶନ ଶକ୍ତି ମହିଳା ସମାବେଶରେ ଅନୁଭବଙ୍କ ଯୋଗଦାନ ଦିନରୁ ତାଙ୍କୁ ପ୍ରାର୍ଥୀ କରାଯିବା ନେଇ ଅସ୍ପଷ୍ଟ ଆଭାସ ମିଳିଥିଲା । ସେଦିନଠାରୁ ବେଶ କିଛି ଦିନ ଅନୁଭବ କେନ୍ଦ୍ରାପଡ଼ାରେ ବିଜେଡି ଲୋକସଭା ପ୍ରାର୍ଥୀ ଘୋଷଣା ହୋଇପାରନ୍ତି ବୋଲି ଆଲୋଚନା ଚାଲିଥିଲା । ତେବେ ସମୟ ଗଡ଼ିବା ସହ ଭେଟେରାନ୍‍ ରାଜନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ନାଁ ବି ପ୍ରାର୍ଥିତ୍ୱ ଚର୍ଚ୍ଚାରେ ସାମିଲ ହୋଇଥିଲା । କିନ୍ତୁ ଉଭୟ ବିଜେଡିକୁ ଫେରିବା ନେଇ କିଛି ସ୍ପଷ୍ଟ ଇଙ୍ଗିତ ନମିଳିବାରୁ ଚର୍ଚ୍ଚା ବି ମିଳେଇ ଯାଇଥିଲା । ଶେଷରେ ଅନୁଭବଙ୍କ ଉପରେ ଆସ୍ଥା ରଖି ଦଳ ତାଙ୍କୁ ମଇଦାନରେ ଓହ୍ଲାଇଛି । ଫଳରେ କେନ୍ଦ୍ରାପଡ଼ାରେ ହାଇଭୋଲ୍‌ଟେଜ୍‌ ଲଢେଇ ହେବ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ରାପଡ଼ାର ୩ ବିଧାନସଭା ଆସନ ପାଇଁ ମଧ୍ୟ ଦଳ ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା କରାଯାଇଛି ।

ଆଳି, ପାଟକୁରା, ମହାକାଳପଡ଼ାରେ ଦଳ ନିଜର ପୁରୁଣା ନିର୍ଭରଯୋଗ୍ୟ ପ୍ରାର୍ଥୀଙ୍କୁ ଭରସା କରିଛି । ଗତଥର ଆଳିରୁ ବିଧାନସଭା ପ୍ରାର୍ଥୀ ହୋଇଥିବା ବର୍ତ୍ତମାନର ରାଜ୍ୟସଭା ସାଂସଦ ପ୍ରତାପ ଦେବ, ପାଟକୁରାର ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ମହାକାଳପଡ଼ାର ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ଦଳ ଟିକେଟ୍‌ ଦେଇଛି । ତେବେ କେନ୍ଦ୍ରାପଡ଼ାର ଅନ୍ୟ ଦୁଇ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ା ଓ ରାଜନଗର ବିଧାନସଭା କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଚୟନ ନିଷ୍ପତ୍ତିକୁ ଝୁଲାଇ ରଖିଛି । ଏଣୁ କେନ୍ଦ୍ରାପଡା ବିଧାୟକ କିଶୋର ତରାଇ ଓ ରାଜନଗର ପାଇଁ ଗତଥରର ଦଳୀୟ ପ୍ରାର୍ଥୀ ଥିବା କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁଙ୍କ ଭାଗ୍ୟ ବି ଝୁଲି ରହିଯାଇଛି । ସେହିପରି ଜଗତସିଂହପୁର ଲୋକସଭା ଆସନ ପାଇଁ ତିର୍ତ୍ତୋଲ ବିଧାୟିକା ଡା. ରାଜଶ୍ରୀ ମଲ୍ଲିକଙ୍କୁ ଦଳ ପକ୍ଷରୁ ଟିକେଟ ଦିଆଯାଇଛି ।

ଏହି ଘୋଷଣା ପରେ ରାଜଶ୍ରୀଙ୍କ ସମର୍ଥକମାନେ ଖୁସିରେ ବିଭୋର ହୋଇ ଉଠିଥିବାବେଳେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ଦଳୀୟ ଅସନ୍ତୁଷ୍ଟ କର୍ମୀ ଓ ନେତାମାନେ ଚମକି ପଡିଛନ୍ତି । ତେବେ ଜଗତ୍‌ସିଂହପୁର ଜିଲ୍ଲାର ୪ଟି ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଜଗତସିଂହପୁର, ତିର୍ତ୍ତୋଲ୍‌, ପାରାଦୀପ ଓ ଏରସମା-ବାଲିକୁଦା ପାଇଁ ଟିକେଟ୍‌ ଘୋଷଣା କରାଯାଇନାହିଁ । ଅନ୍ୟପଟେ କଂଗ୍ରେସ ଓ ବିଜେପି ପକ୍ଷରୁ ଜଗତସିଂହପୁର ଲୋକସଭା ଆସନ ନିମନ୍ତେ ଏ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । କଂଗ୍ରେସ କେନ୍ଦ୍ରାପଡାର ସାଂସଦ ପ୍ରାର୍ଥୀ ବି ଘୋଷଣା କରିନାହିଁ ।

ଲୋକଙ୍କୁ ମିଛ କହିବିନି କି ଦଳକୁ ଠକିବିନି : ଅନୁଭବ
ବିଜେଡି ସାଂସଦ ପ୍ରାର୍ଥୀ ଘୋଷଣା କରିବାର ୧୦ ମିନିଟ୍‌ ମଧ୍ୟରେ ନବୀନ ନିବାସରେ ପହଞ୍ଚିଥିଲେ କେନ୍ଦ୍ରାପଡ଼ା ପ୍ରାର୍ଥୀ ଓଲିଉଡ୍‌ ଷ୍ଟାର୍‌ ଅନୁଭବ ମହାନ୍ତି । ନବୀନଙ୍କୁ ଦେଖା କରିବା ସହ ଆର୍ଶୀବାଦ ନେବାକୁ ଆସିଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି । ଅନୁଭବ କହିଛନ୍ତି, ସେ ରାଜ୍ୟ ସରକାରଙ୍କ ଯୋଜନା ଓ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରିବେ । ସମସ୍ତଙ୍କୁ ନେଇ ସେ କେନ୍ଦ୍ରାପଡ଼ା ମାଟିର ବିକାଶ ପାଇଁ ସବୁ ପ୍ରୟାସ କରିବେ । ନବୀନଙ୍କ ଅର୍ଶୀବାଦ ପାଇ କେନ୍ଦ୍ରାପଡ଼ାରୁ ଦୁଇ ଦୁଇ ଥର ବିଜେଡି ଜିତିଛି । ଯଦି ଲୋକଙ୍କ ଆର୍ଶୀବାଦ ରୁହେ, ତେବେ ବିଜେଡି ପୁଣିଥରେ କେନ୍ଦ୍ରାପଡ଼ାବାସୀଙ୍କ ସେବା କରିବାକୁ ସୁଯୋଗ ପାଇବ । ତେବେ ସେ ସବୁବେଳେ ନବୀନଙ୍କ ସହ ଅଛନ୍ତି । କେବେ ତାଙ୍କୁ ଠକିବେନି । ଲୋକଙ୍କୁ ମିଛ ମଧ୍ୟ କହିବେନି କି ଦଳ ସହ ବେଇମାନି କରିବେନି ।

ସମ୍ବନ୍ଧିତ ଖବର