ନୂଆଦିଲ୍ଲୀ, ୨୧/୦୭ : ଟେଲିଭିଜନର ଲୋକପ୍ରିୟ ଧାରାବାହିକ 'ଅନୁପମା'ର ଲିଡ୍ ଆକ୍ଟ୍ରେସ୍ ରୁପାଲି ଗାଙ୍ଗୁଲିଙ୍କୁ ଫ୍ଲପ୍ ଆକ୍ଟ୍ରେସ୍ କହିଲେ ଟିଏମସି ନେତା ନୀଳାଞ୍ଜନ ଦାସ । ଭଡକି ଗଲେ ଅଭିନେତ୍ରୀ ଓ ଫ୍ୟାନ୍ସ । ମାଇକ୍ରୋବ୍ଲଗିଙ୍ଗ ସାଇଟ୍ ଏକ୍ସରେ ଅଭିନେତ୍ରୀ ଦେଲେ କଡ଼ା ଜବାବ । ମମତା ଦିଦିଙ୍କୁ କହିଲେ ତାନାଶାହି । 

ପ୍ରକାଶ ଥାଉକି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସାମରେ ବିଜେପିର ଆଜେଣ୍ଡାକୁ ନେଇ ଟିପ୍ପଣୀ କରିଥିଲେ । ଯାହାକୁ ନେଇ ରୁପାଲି ଗାଙ୍ଗୁଲି ଏକ୍ସରେ ପ୍ରତିକ୍ରିୟା ଦେଇଥିଲେ । ସେ ଲେଖିଥିଲେ ଯେ, 'ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର ମାମଲାରେ ଫୋକସ୍ କଲେ ଭଲ ହେବ । ଅନ୍ୟ ରାଜ୍ୟର ବଙ୍ଗାଳିଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦିବା ପୂର୍ବରୁ ପଶ୍ଚିମବଙ୍ଗରେ ବଙ୍ଗାଳୀଙ୍କ ରକ୍ଷା କିଏ କରିବ ଆଗେ ମମତା ଦିଦି ତାର ଜବାବ ଦିଅନ୍ତୁ । ମମତାଙ୍କ ଶାସନ କାଳରେ ସନ୍ଦେଶଖଲି ଠାରୁ ନେଇ ମୁର୍ଶିଦାବାଦ ଯାଏଁ ବଙ୍ଗାଳିଙ୍କ ଉପରେ ଅତ୍ୟାଚାର ହେଉଛି । ପଶ୍ଚିମବଙ୍ଗ ଏବେ ଅସୁରକ୍ଷିତ ପାଲଟିଛି ।' 

ଏହାର ଜବାବରେ ଟିଏମସି ନେତା ନୀଳାଞ୍ଜନ ଲେଖିଥିଲେ, 'ଭାରତର ସବୁଠୁ ବରିଷ୍ଠ ରାଜନେତ୍ରୀଙ୍କୁ ଜଣେ ଫ୍ଲପ୍ ଅଭିନେତ୍ରୀଙ୍କ ଠାରୁ ଲେକ୍ଚର ନେବା ଆବଶ୍ୟକ ନାହିଁ।' ନୀଳାଞ୍ଜନଙ୍କ ଏହି କମେଣ୍ଟ ପରେ ଅନୁପମା ଫେମ୍ ରୁପାଲି ଗାଙ୍ଗୁଲିଙ୍କ ଫ୍ୟାନ୍ସମାନେ ଭଡକି ଯାଇଥିଲେ। ଏହାପରେ ରୁପାଲି ଟ୍ଵିଟ୍ କରି ତାଙ୍କୁ କଡ଼ା ଜବାବ ଦେଇଥିଲେ। ସେ ଲେଖିଥିଲେ ଯେ, 'ଆପଣଙ୍କ ତଥାକଥିତ ରାଜନେତ୍ରୀ କଣ ଜନତାଙ୍କ ସେବିକା ନୁହଁନ୍ତି, ନା ସେ ଜଣେ ତାନାଶାହି, ଯାହାଙ୍କୁ ପ୍ରଶ୍ନ ପଚାରି ହେବନି। ଯଦି ଆପଣ ତାଙ୍କ ଅତ୍ୟାଚାରକୁ ସ୍ଵୀକାର କରି ନେଇଛନ୍ତି ତାହେଲେ ଆପଣଙ୍କୁ ଶୁଭେଚ୍ଛା।'