- ଆମେ କାହାରିକୁ ରକ୍ଷା କରୁନାହୁଁ: କେନ୍ଦ୍ର କ୍ରିଡ଼ାମନ୍ତ୍ରୀ
- 'ଗଠିତ କମିଟିର ରିପୋର୍ଟ ଆଧାରରେ ତଦନ୍ତ କରୁଛି ଦିଲ୍ଲୀ ପୁଲିସ'
- କୁସ୍ତିଯାଦ୍ଧା ମାନଙ୍କୁ ନ୍ୟାୟ ଦେବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ
ନୂଆଦିଲ୍ଲୀ,୦୫/୦୬: କୁସ୍ତିଯୋଦ୍ଧାମାନଙ୍କର ଅନେକ ଅଭିଯାଗ ଆରୋପ ପ୍ରତ୍ୟାରୋପ ଭିତରେ ପରିଶେଷରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ନୀରବତା ଭାଙ୍ଗିଛନ୍ତି। ଆଉ ଆଶ୍ୱାସନା ଦେଇଛନ୍ତି ଯେ, ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଥିବା କୁସ୍ତିଯୋଦ୍ଧାଙ୍କୁ ନ୍ୟାୟ ଦେବାକୁ ସରକାର ଚାହୁଁଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବିରୋଧ କରୁଥିବା କୁସ୍ତିଯୋଦ୍ଧାମାନେ ତାଙ୍କ ସହ ସାକ୍ଷାତ କରିଥିଲେ ଏବଂ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ମୁଖ୍ୟ ବ୍ରିଜ ଭୂଷଣ ସିଂଙ୍କ ବିରୋଧରେ ୭ ବର୍ଷ ପୂର୍ବରୁ ହୋଇଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ ସମ୍ପର୍କରେ ବଖାଣିଥିଲେ।
ବ୍ରିଜ ଭୂଷଣ ସିଂଙ୍କ ଗିରଫଦାରୀ ସମ୍ପର୍କରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ, "ଆମେ କାହାକୁ ରକ୍ଷା କରୁ ନାହୁଁ କିମ୍ବା କାହାକୁ ବଞ୍ଚାଇବାକୁ ଚାହୁଁ ନାହୁଁ। ଭାରତ ସରକାର ଚାହୁଁଛନ୍ତି ଯେ ଏହାର ଉଚିତ ତଦନ୍ତ ହେଉ। ଆମେ ଏଥିରୁ ପଛଘୁଞ୍ଚା ଦେବୁ ନାହିଁ।" " ଯେଉଁଦିନ ତିନିଜଣ କୁସ୍ତିଯୋଦ୍ଧା ଏହି ଅଭିଯୋଗ କରିଥିଲେ, ସେଦିନ ମୁଁ ମୋର ସମସ୍ତ ଯାତ୍ରା ଛାଡ଼ି ଦିଲ୍ଲୀ ଫେରି ଆସିଥିଲି। ଆମେ ଲଗାତାର ଦୁଇ ଦିନ ସାକ୍ଷାତ କରିଥିଲୁ। କୁସ୍ତିଯୋଦ୍ଧାମାନେ ୭ ବର୍ଷ ପୁରୁଣା ଅଭିଯୋଗ ଉପସ୍ଥାପନ କରିଥିଲେ। କୁସ୍ତିଯୋଦ୍ଧାମାନେ ମୋତେ ଏ ବିଷୟରେ ଜଣାଇବାକୁ ଚାହୁଁଥିଲେ ବୋଲି କହିଥିଲେ। ଏବଂ ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ।'

ପଢ଼ନ୍ତୁ: ଅଶୋଧିତ ତୈଳର ମୁଲ୍ୟରେ ଉତ୍ଥାନ ପତନ ମଧ୍ୟରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ଦର କେତେ?
ବିରୋଧୀ କୁସ୍ତିଯୋଦ୍ଧାମାନେ ହରିଦ୍ୱାରର ଗଙ୍ଗା ନଦୀରେ ପଦକ ଭସାଇଦେବାକୁ ଧମକ ଦେବାର କିଛିଦନ ପରେ ଅନୁରାଗ ଠାକୁରଙ୍କ ଆଶ୍ବାସନା ସାମ୍ନାକୁ ଆସିଥିଲା। କୁସ୍ତିଯୋଦ୍ଧାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗର ଅନୁସନ୍ଧାନ ସମ୍ପର୍କରେ ଅନୁରାଗ ଠାକୁର କହିଛନ୍ତି, "କୁସ୍ତି ଯୋଦ୍ଧାଙ୍କ ସହିତ ପଚାରଉଚୁରା ପରେ ଆମେ କମିଟି ଗଠନ କରିଥିଲୁ। କମିଟି ଏହାର ତଦନ୍ତ କରିଥିଲା।"

ସେ କହିଛନ୍ତି, "ପ୍ରତ୍ୟେକ ଖେଳାଳି ନିଜର ମତ ରଖିବାର ସୁଯୋଗ ପାଇଛନ୍ତି। କମିଟି ରିପୋର୍ଟ ଆସିବା ପରେ ଆମେ ଏହାକୁ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିଥିଲୁ। ପୋଲିସ ଏହା ଉପରେ ଏଫ୍ଆଇଆର୍ ପଞ୍ଜୀକୃତ କରି ସୁପ୍ରିମକୋର୍ଟଙ୍କୁ ଜଣାଇଥିଲା।" "ଦିଲ୍ଲୀ ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। କୁସ୍ତିଯାଦ୍ଧାମାନଙ୍କର ବୟାନ ରେକର୍ଡ କରାଯାଇଛି। ବ୍ରିଜ ଭୂଷଣ ଶରଣ ସିଂଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି। ଚାର୍ଜସିଟ ଦାଖଲ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁସନ୍ଧାନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ବୋଲି ଠାକୁର କହିଛନ୍ତି।'
You can also read: ବିଶ୍ୱ ପରିବେଶ ଦିବସ, ଏ ବର୍ଷର ଥିମ୍ ‘ସଲ୍ୟୁସନ୍ ଟୁ ପ୍ଲାଷ୍ଟିକ୍ ପଲ୍ୟୁସନ’