ଆପୋଲୋକୁ ‘ତିନି ଖୁଣ୍ ମାଫ୍-୨’: ମୂଳ ନକ୍ସାକୁ ବଦଳାଇଛି ହସ୍ପିଟାଲ

ଭୁବନେଶ୍ୱର,୨୧ ।୨(ବ୍ୟୁରୋ): ଅଗ୍ନିକାଣ୍ଡରେ ୩ଜଣଙ୍କ ଜୀବନ ଯିବା ପରେ ଆପୋଲୋ ହସ୍ପିଟାଲର ଆହୁରି ଅନେକ ଜଘନ୍ୟ କାରନାମା ପଦାକୁ ଆସିଛି । ଗୋଟିଏ ହାତରେ ଆପୋଲୋ ଅଗ୍ନି ନିରାପତ୍ତା ସାର୍ଟିଫକେଟ୍ ଧରିଥିବା ବେଳେ ଆଉ ଏକ ହାତରେ ଅଗ୍ନି ନିରାପତ୍ତାର ସବୁ ସର୍ତ୍ତାବଳୀକୁ ଓପାଡ଼ି ଫିଙ୍ଗି ଦେଇଛି । ହସ୍ପିଟାଲ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ନେବା ବେଳେ ଯେଉଁ ନକ୍ସା ଦେଖାଇଥିଲା ପରେ ନିଜର ବ୍ୟବସାୟିକ ସ୍ୱାର୍ଥ ପାଇଁ ତାକୁ ମନ ଇଚ୍ଛା ବଦଳାଇ ଦେଇଛି । ଏ କଥା ନୁହେଁ ଯେ ଏହା ସରକାରଙ୍କ ନଜରକୁ ଆସିନି । ସବୁ ସଲାସୁତୁରାରେ ହୋଇଛି । ଏଠି ବି ଆପୋଲୋକୁ ‘ତିନି ଖୁଣ ମାଫ୍’କରି ଦିଆଯାଇଛି ।
ଆପୋଲୋ ନିଆଁ ୩ ଜଣଙ୍କ ଜୀବନ ନେବା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସଫେଇ ଦେଇ କୁହାଯାଇଥିଲା, ହସ୍ପିଟାଲର ଫାୟାର ସେଫ୍ଟି ସାର୍ଟିଫିକେଟ୍ ଅଛି । ସତେ ଯେମିତି ସାର୍ଟିଫିକେଟ୍ ଥିବାରୁ ଏଠି ନିଆଁ ଲାଗି ମଲେ କିଛି ଦୋଷ ନାହିଁ । ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ୨୦୦୮ରେ ବିଡିଏ ପ୍ଲାନ ଅନୁମୋଦନ ପାଇଥିଲା । ପରେ ହସ୍ପିଟାଲ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିଲା । ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇବା ପାଇଁ ବିଲ୍ଡିଂର ଭିତର ନକ୍ସା (ଇଣ୍ଟରିୟର) ଯେମିତି ଆବଶ୍ୟକ କର୍ତ୍ତୃପକ୍ଷ ସେମିତି ପ୍ରସ୍ତୁତ କରିଥିଲେ । କିନ୍ତୁ ଅଗ୍ନି ନିରାପତ୍ତା ହାସଲ କରିବା ପରେ ବ୍ୟାବସାୟିକ ଦୃଷ୍ଟିକୋଣରୁ ଭିତର ନକ୍ସା(ଇଣ୍ଟରିୟର)ରେ ଅନେକ ପରିବର୍ତ୍ତନ କରିଦେଲେ । ଗ୍ରାଉଣ୍ଡ ଫ୍ଲୋରରେ ଯେତିକି ଖାଲି ଜାଗା ଛାଡ଼ିବା କଥା ତାକୁ ବନ୍ଦ କରି , କେଉଁଠି ଡାକ୍ତରଙ୍କ ଚାମ୍ବର ତିଆରି କଲେ ତ ପୁଣି କେଉଁଠି ମେଡିସିନ୍ କାଉଣ୍ଟର ଖୋଲିଲେ । ବେଆଇନ୍ଭାବେ ହୃଦ୍ରୋଗ ବିଭାଗ, ପେଟ ଓ ଯକୃତ ବିଭାଗ, ସୁରକ୍ଷା ଅଧିକାରୀଙ୍କ ଚାମ୍ବର ଆଦି ଅନେକ ବେଆଇନ ସମ୍ପ୍ରସାରଣ କରିଚାଲିଲେ । ଯେତିକି ଜାଗା ବଳିଥିଲା ଶେଷରେ ସେଥିରେ ମଧ୍ୟ ରୋଗୀ ଆଟେଣ୍ଡାଣ୍ଟଙ୍କ ପାଇଁ ୱେଟିଂ ରୁମ୍ କରିଦେଲେ । ତେବେ ଏତେ ସବୁ ସର୍ତ୍ତ ଖିଲାପ କଲେ ସୁଦ୍ଧା ଆପୋଲୋକୁ ସମସ୍ତେ ନଜରଆନ୍ଦାଜ କଲେ । ବିଭାଗ ଏହାକୁ ଆଧାର କରି ଫୌଜଦାରୀ ମାମଲା ରୁଜୁ କରିବା କଥା ।ତାହା ନକରି ଓଲଟି ହସ୍ପିଟାଲ ସପକ୍ଷରେ ଯୁକ୍ତି କରୁଛନ୍ତି ସରକାର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯେଉଁ ପଞ୍ଚମ ମହଲାରେ ନିଆଁ ଲାଗିଥିଲା ଓ ଯେଉଁ ନକ୍ସା ଅନୁସାରେ ଏହି ମହଲାର ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ମିଳିଥିଲା ତା’ର ପରିବର୍ତ୍ତନ କରାଯାଇଛି । ବିଡିଏରୁ ପ୍ଲାନ ଓ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇବା ସମୟରେ ପଞ୍ଚମ ମହଲାରେ ଅଧିକାଂଶ ଏରିଆ ଖୋଲାସ୍ଥାନ (ଓପନ୍ ସ୍ପେସ୍)ଥିଲା । ଜଣେ ଗୋଟିଏ ରାସ୍ତାରେ ଗଲେ ଆଉ ଏକ ରାସ୍ତାରେ ବାହାରିବାର ବାଟ ଥିଲା । ତେବେ ପରବର୍ତ୍ତୀ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷ ପଞ୍ଚମ ମହଲାରେ ଆଇସିୟୁ ନିର୍ମାଣ କରିଥିଲେ । ଯେଉଁଥିପାଇଁ ଗୋଟିଏ ପଟ ରାସ୍ତାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଥିଲା । ଫଳରେ ଯେଉଁ ରାସ୍ତାରେ ରୋଗୀ ଯାଉଛନ୍ତି ପୁଣି ସେହି ରାସ୍ତାରେ ହିଁ ଫେରିବାକୁ ପଡୁଛି ।
ଏଇ ଗୋଟିଏ ମହଲା ନୁହେଁ, ସବୁଠି ମୂଳ ନକ୍ସାକୁ ମୋଡ଼ି ମକଚି ଇଚ୍ଛା ଅନୁସାରେ ବଦଳାଯାଇଛି । ଏ ସବୁ ସଂପ୍ରସାରଣ ବାବଦରେ ବିଡିଏ କି ଅଗ୍ନିଶମ ବିଭାଗ କାହାଠୁ ବି ଅନୁମତି ଆଣିନାହାନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଏମିତିକି ନକ୍ସା ପରିବର୍ତ୍ତନ କଥା ଚିଠି ଲେଖି ଜଣାଇବାକୁ ବି ଉଚିତ୍ ମଣିନି ଆପୋଲୋ । ମନଇଚ୍ଛା ନିଜ ମର୍ଜିରେ ହସ୍ପିଟାଲ କର୍ତ୍ତୃପକ୍ଷ ନକ୍ସାରେ ପରିବର୍ତ୍ତନ ଆଣିଛନ୍ତି । ନିୟମ କହୁଛି, ନକ୍ସା ପରିବର୍ତ୍ତନ କରିବାକୁ ହେଲେ, ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବିଡିଏ ଆଉ ଅଗ୍ନିଶମ ବିଭାଗଠୁ ପୁନଃଅନୁମତି ଆଣିବା ଦରକାର । ବିନା ଅନୁମତିରେ ଏ ସବୁ ସଂପ୍ରସାରଣ କରି ହସ୍ପିଟାଲ ଖୋଲାଖୋଲି ଆଇନ୍ର ଉଲ୍ଲଘଂନ କରିଛି । ହେଲେ ଏତେ ସବୁ ତ୍ରୁଟି ପରେ ବି ବିଡିଏ କି ଅଗ୍ନିଶମ ବିଭାଗ କେହି ଆପୋଲୋ ଉପରକୁ ଅଙ୍ଗୁଳି ଉଠାଇ ନାହାନ୍ତି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଇ ଥରେ ନୁହେଁ । ୨୦୧୭ରେ ମଧ୍ୟ ଆପୋଲୋରେ ନିଆଁ ଲାଗିଥିଲା । ଏଠି ପ୍ରଶ୍ନ ଉଠୁଛି, ଯଦି ଆପୋଲୋ ପାଖରେ ସବୁ ସୁବିଧା ରହିଛି ତେବେ ବାରମ୍ବାର ହସ୍ପିଟାଲରେ କାହିଁକି ନିଆଁ ଲାଗୁଛି । ପୁଲିସ୍ ଓ ଅଗ୍ନିଶମ ବିଭାଗ ଆପୋଲୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କେଉଁ ସ୍ୱାର୍ଥରେ ତାର ସପକ୍ଷରେ ଯୁକ୍ତି ବାଢୁଛି ?