ଜେଇଇ ମେନ-୨ ପାଇଁ ଆବେଦନ ଆରମ୍ଭ: ୭ ମାର୍ଚ୍ଚ ଆବେଦନ ଶେଷ, ଏପ୍ରିଲ ୭ରୁ ୨୦ ପର୍ଯ୍ୟନ୍ତ ପରୀକ୍ଷା

ଭୁବନେଶ୍ୱର,୧୦ ।୨(ବ୍ୟୁରୋ): ଚଳିତ ବର୍ଷ ଜେଇଇ ମେନ୍ର ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେଉଛି । ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଜାନୁଆରୀ ୮ରୁ ଆରମ୍ଭ ହୋଇ ୧୨ ତାରିଖରେ ସରିଥିଲା । ସେହିପରି ଦ୍ୱିତୀୟ ପର୍ଯ୍ୟାୟ ଜେଇଇ ମେନ୍ ପରୀକ୍ଷା ଏପ୍ରିଲ ୭ରୁ ଆରମ୍ଭ ହୋଇ ୨୦ ତାରିଖରେ ସରିବ । ତେବେ ଜେଇଇ ମେନ୍ ପ୍ରଥମ ପଯ୍ୟାୟ ଦେଇଥିବା ଛାତ୍ରଛାତ୍ରୀମାନେ ପୁଣି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଦେଇପାରିବେ । ପରୀକ୍ଷାରେ ର୍ୟାଙ୍କ୍ ହାସଲ କରିବା ପରେ ଛାତ୍ରଛାତ୍ରୀମାନେ ଦେଶର ସମସ୍ତ ଘରୋଇ ତଥା ସରକାରୀ ଇଞ୍ଜିନିୟରିଂ କଲେଜ ସମେତ ଏନଆଇଟି, ଟ୍ରିପଲ୍ ଆଇଟି ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡିକରେ ନାମ ଲେଖିପାରିବେ । ଜେଇଇ ମେନ୍ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଗତ ୮ ତାରିଖରୁଆବେଦନ ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୭ ତାରିଖରେ ସରିବ । ତେବେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ଆବେଦନ କରିବାକୁ ପଡିବ ।
ଉଲ୍ଲେଖଯୋଗ୍ୟ ରାଜ୍ୟରେ ଗତ ୬ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଟେକ୍ ଓ ବି ଆର୍କ ପାଠ୍ୟକ୍ରମର ପ୍ରଥମ ବର୍ଷରେ ଜେଇଇ ମେନ୍-୨୦୧୯ର ର୍ୟାଙ୍କ୍ ଅନୁସାରେ ନାମଲେଖା ହେବ । ପୂର୍ବରୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ଜେଇଇ ମେନ୍ ପରୀକ୍ଷା ପରିଚାଳନା କରୁଥିବା ବେଳେ ଚଳିତ ବର୍ଷ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି(ଏନ୍ଟିଏ) ଜେଇଇ ମେନ୍ ପରୀକ୍ଷା ପରିଚାଳନା କରୁଛନ୍ତି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିଷ୍ପତ୍ତି ଅନୁସାରେ ବର୍ଷରେ ଦୁଇ ଥର ଜେଇଇ ମେନ୍ ପରୀକ୍ଷା ୨ ଥର ଅନୁଷ୍ଠିତ ହେଉଛି । ଏ ବାବଦରେ ବିସ୍ତୃତ ସୂଚନା www.jeemain.nic.in କିମ୍ବା www.nta.ac.in ୱେବସାଇଟ୍ରେ ରହିଛି । ଜେଇଇ ମେନ୍ ପେପର୍-୧ ପରୀକ୍ଷାର ପ୍ରଥମ ସିଟିଂ ସକାଳ ୯ଟା୩୦ରୁ ଆରମ୍ଭ ହୋଇ ଦିନ ୧୨ଟା୩୦ରେ ସରିବ । ସେହିପରି ଦ୍ୱିତୀୟ ସିଟିଂ ଅପରାହ୍ନ ୨ଟା୩୦ରୁ ଆରମ୍ଭ ହୋଇ ଅପରାହ୍ନ ୫ଟା୩୦ରେ ସରିବ । ଯାହା ବିଇ ଓ ବିଟେକ୍ ପାଇଁ ଉଦ୍ଦିଷ୍ଟ । ଅପରପକ୍ଷେ ଜେଇଇ ମେନ୍ ପେପର୍-୨ରେ ର୍ୟାଙ୍କ ହାସଲ କରିବା ପରେ ବି ଆର୍କ ଓ ବି ପ୍ଲାନ୍ରେ ନାମ ଲେଖିପାରିବେ । ତେବେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବା ଆଇଆଇଟିଗୁଡିକରେ ନାମ ଲେଖିବା ପାଇଁ ଜେଇଇ ମେନର ଶ୍ରେଷ୍ଠ ୨ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଜେଇଇ ଆଡଭାନ୍ସ୍ ପରୀକ୍ଷା ଦେବାକୁ ପଡିବ ବୋଲି ଏନ୍ଟିଏ ଅଧିକାରୀ ସୂଚନା ଦେଇଛନ୍ତି ।