କଶ୍ମୀର ଯିବାକୁ ଅର୍ଦ୍ଧସାମରିକ ବାହିନୀଙ୍କୁ ମିଳିବ ବିମାନ ଟିକେଟ୍

ନୂଆଦିଲ୍ଲୀ,୨୧।୨: ଏବେ ଅର୍ଦ୍ଧ ସାମରିକ ବାହାନୀର ଯବାନଙ୍କୁ ଶ୍ରୀନଗର ଯିବା ଆସିବା ପାଇଁ ବିମାନ ଯୋଗେ ଯାତ୍ରା କରିବାର ସୁବିଧା ମିଳିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆାଯାଇଛି। ଦିଲ୍ଲୀ-ଶ୍ରୀନଗର, ଶ୍ରୀନଗର-ଦିଲ୍ଲୀ, ଜମ୍ମୁ-ଶ୍ରୀନଗର ଓ ଶ୍ରୀନଗର-ଜମ୍ମୁ ମଧ୍ୟରେ ଯେ କୌଣସି ସ୍ଥାନକୁ ଅର୍ଦ୍ଧ ସାମରିକ ବାହିନୀର ଯବାନ ବିମାନରେ ଯାତ୍ରା କରିପାରିବେ। କେନ୍ଦ୍ରୀୟ ସଶସ୍ତ୍ର ଅର୍ଦ୍ଧ ସାମରିକ ବାହିନୀର ସମସ୍ତ ଯବାନଙ୍କ ପାଇଁ ଏହି ନିର୍ଦେଶ ଲାଗୁ କରାଯିବ।

ଏହା ନିର୍ଦେଶ ଦ୍ବାରା ଅର୍ଦ୍ଧ ସାମରିକ ବାହିନୀର ୭ ଲକ୍ଷ ୮୦ ହଜାର ଯବାନଙ୍କୁ ଲାଭ ହେବ। ଏଥିରେ କନଷ୍ଟେବଳ, ହେଡ କନଷ୍ଟେବଳ ଓ ଏଏସଆଇଙ୍କ ସହିତ ଅନ୍ୟ ସମସ୍ତ ଯବାନ ସାମିଲ ଅଛନ୍ତି। ଏହି ଯବାନଙ୍କୁ ପୁର୍ବେ ବିମାନରେ ଯାତ୍ରା କରିବାର ସୁବିଧା ଦିଆଯାଇନଥିଲା। ଗୃହମନ୍ତ୍ରଣାଳୟ ଏହି ନିଷ୍ପତ୍ତିକୁ ତୁରନ୍ତ ଲାଗୁ କରିବାର ନିର୍ଦେଶ ଦେଇଛନ୍ତି। ଫଳରେ ଡ୍ୟୁଟି ବେଳେ ଯାତ୍ରା କରିବା ଛଡା ଛୁଟିରେ ଶ୍ରୀନଗରରୁ ଫେରିବା କିମ୍ବା ପୁଣିଥରେ ଆସିବା ପାଇଁ ବିମାନରେ ଯାତ୍ରା କରିପାରିବେ। ।

୧୪ ଫେବୃଆରୀରେ ଦକ୍ଷିଣ କଶ୍ମୀରର ପୁଲଓ୍ବାମା ଜିଲ୍ଲାର ଜମ୍ମୁ-ଶ୍ରୀନଗର ହାଇଓ୍ବେରେ ସିଆରପିଏଫର କନଭୟ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା। ଯେଉଁଥିରେ ୪୦ ଜଣ ସିଆରପିଏଫ୍ ଯବାନ ଶହୀଦ ହୋଇଥିଲେ। ଏହି ଘଟଣା ପୂର୍ବରୁ ଗୃହମନ୍ତ୍ରଣାଳୟକୁ ଆକାଶ ପଥରେ ଯିବାର ଦାବି ସିଆରପିଏଫ୍ ପକ୍ଷରୁ କରାଯାଇଥିଲା। କିନ୍ତୁ ଗୃହମନ୍ତ୍ରଣାଳୟ ଏଥିପ୍ରତି ଧ୍ୟାନ ଦେଇନଥିବାରୁ ଯବାନଙ୍କ ଜୀବନ ଚାଲିଯାଇଥିଲା। ଏହି ଘଟଣା ପାଇଁ ଗୃହମନ୍ତ୍ରଣାଳୟକୁ ଚାରିଆଡୁ ସମାଲୋଚନା କରାଯିବା ପରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି।