ରାଜଧାନୀରେ ୫୦୦ ଡେଇଁଲା ଏକ୍ୟୁଆଇ, ୫ ସ୍ଥାନରେ ସର୍ବାଧିକ ବାୟୁ ପ୍ରଦୂଷିତ

ଭୁବନେଶ୍ୱର,୨୬/୦୧: ରାଜଧାନୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦୦ ଟପିଛି । ଦିଲ୍ଲୀକୁ ବଳିଯାଇଛି ଭୁବବେଶ୍ୱର । ସ୍ମାର୍ଟ ସିଟି ପକ୍ଷରୁ ଲାଗିଥିବା ଡିସପ୍ଲେର ଏପରି ତଥ୍ୟ ଆସିବା ପରେ ସହରରେ ଭାଳେଣି ପଡିଛି । ସହରର ଅନ୍ୟ ୪ ସ୍ଥାନରେ ମଧ୍ୟ ଉଦ୍ବେଗ ଜନକ ପରିସ୍ଥିତି । ମାଷ୍ଟର କ୍ୟାଣ୍ଟିନ୍ ଛକ, ଲିଙ୍ଗରାଜ ମନ୍ଦିର, କିଟ ଛକ ଓ ଇନଫାସିଟି ଏରିଆରେ ବାୟୁ ପ୍ରଦୂଷଣର ମାନ ୩୦୦ ଟପିଯାଇଛି । ପୂର୍ବରୁ ଏହି ସବୁ ସ୍ଥାନରେ ଏକ୍ୟୁଆଇ ୨୦୦ ଭିତରେ ଅର୍ଥାତ୍ ଅସ୍ୱାସ୍ଥ୍ୟକର ସ୍ଥିତିରେ ଥିବାବେଳେ ଏବେ ତାହା ୩୦୦ରୁ ୫୦୦କୁ ଆସିବା ଦ୍ୱାରା “ମାରାତ୍ମକ’ ସ୍ତରକୁ ଆସିଯାଇଛି ।
ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୁବନେଶ୍ୱର ସହରର ବାୟୁର ମାନ ଯାଞ୍ଚ ବେଳେ ରସୁଲଗଡ଼, ୟୁନିଟ-୯, ଖାରବେଳନଗର ଅଞ୍ଚଳରେ ବାୟୁ ସର୍ବାଧିକ ପ୍ରଦୂଷିତ ବୋଲି ଜଣାପଡ଼ିଛି । ରାସ୍ତାରେ ଧୂଳି ଉଡ଼ିବା କାରଣ ପାଇଁ ସର୍ବାଧିକ ୩୧.୨% ବାୟୁ ପ୍ରଦୂଷିତ ହେଉଥିବାବେଳେ ଗାଡ଼ିମଟର ଯୋଗୁଁ ୨୮.୮% ଓ ବିଭିନ୍ନ ନିର୍ମାଣ କାମ ପାଇଁ ୧୪.୩% ବାୟୁ ପ୍ରଦୂଷିତ ହେଉଛି ବୋଲି ଜଣାପଡ଼ିଛି । ତେବେ ପାରମ୍ପରିକ ପଦ୍ଧତିରେ ଭୁବନେଶ୍ୱର ୬ଟି ଜାଗାରେ ରାଜ୍ୟ ପରିବେଶ ପ୍ରଦୂଷଣ ବୋର୍ଡ ପକ୍ଷରୁ ବାୟୁ ପ୍ରଦୂଷଣର ମାନ ମପାଯାଉଥିବା ବେଳେ ଏକ୍ୟୁଆଇର ସ୍ତର ଦେଢ଼ ଶହ ଭିତରେ ରହୁଥିବା କୁହାଯାଇଛି ।