ନୂଆଦିଲ୍ଲୀ,୧୬।୯:  ଆଗାମୀ ନମ୍ବର ଏବେ ଯେ କୌଣସି ଇସଲାମିକ୍ ଦେଶର ରାଜଧାନୀ ହୋଇପାରେ। ଏଥିପାଇଁ ଆମକୁ ଏକଜୁଟ ହୋଇ ରହିବାକୁ ପଡିବ। କାତାର ଉପରେ ଇସ୍ରାଏଲ କରିଥିବା ଆକ୍ରମଣ ପରେ ସମସ୍ତ ମୁସଲମାନ ଦେଶଙ୍କୁ ଚେତାଇ ଦେଇଛି ଇରାନ। ରାଷ୍ଟ୍ରପତି ମସୁଦ ପେଜେଶକିୟାନ ଦୋହାରେ ଆୟୋଜିତ ଆରବ-ଇସଲାମିକର ଜରୁରୀକାଳୀନ ଶିଖର ସମ୍ମିଳନୀରେ ଏହା କହିଛନ୍ତି।

ଗତ ୯ ସେପ୍ଟେମ୍ବରରେ କାତାରର ରାଜଧାନୀ ଉପରେ ଆକ୍ରମଣ କରିଥିଲା ଇସ୍ରାଏଲ। ଏହି ଆକ୍ରମଣର ମୁଖ୍ୟ ଲକ୍ଷ୍ୟ ଥିଲା ସେଠାରେ ହମାସର ବଡ଼ ନେତା ଥିଲେ। ଏହି ଆକ୍ରମଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ଅରବ ସମେତ ଦୁନିଆର ମୁସଲମାନ ଦେଶ କାତାରର ରାଜଧାନୀ ଦୋହାରେ ହମାସର ଆଡ୍ଡାରେ ହୋଇଥିବା ଇସ୍ରାଏଲି ଆକ୍ରମଣ ନେଇ କଡା ସମାଲୋଚନା କରିଥିଲେ। ଦୋହାରେ ଗତକାଲି ଆୟୋଜିତ ଅରବ –ଇସଲାମିକ୍ ଶିଖର ସମ୍ମିଳନୀରେ ଆରବ ଲିଗ୍ ଓ ଇସଲାମିକ୍ ସହଯୋଗ ସଂଗଠନର ପ୍ରାୟ ୬୦ ଦେଶର ରାଷ୍ଟ୍ରାଧ୍ୟକ୍ଷ ଓ ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ। ଏହି ଦେଶ ଗୁଡିକ କାତାରର ରାଜଧାନୀ ଦୋହାରେ ହମାସ ଆଡ୍ଡା ଉପରେ ଇସ୍ରାଏଲି ଆକ୍ରମଣକୁ ନିନ୍ଦା କରିଥିଲ।

କାତାର ଏହି ଆକ୍ରମଣକୁ ନିଜର ସାର୍ବେଭୌମତ୍ବର ଉଲଂଘନ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ୍ ଅବଦୁଲରହମାନ ଅଲ୍ଳୀ ଥାନି କହିଛନ୍ତି, ଏହି ଆକ୍ରମଣ ଶାନ୍ତି ବାର୍ତ୍ତାକୁ ପ୍ରଭାବିତ କରିବାର ଚେଷ୍ଟା ଥିଲା। ସମ୍ମିଳନୀରେ ପହଁଞ୍ଚିଥିବା ସବୁ ଅରବ ଓ ଇସଲାମିକ୍ ଦେଶ କାତାରର ସାର୍ବଭୌମତ୍ବର ରକ୍ଷା ପାଇଁ ‘ପୂର୍ଣ୍ଣ ସମର୍ଥନ’ର ପ୍ରତିଶ୍ରୁତି ଦେଇଥିଲେ।