ଅର୍ଚ୍ଚନା ବ୍ଲାକ୍ମେଲିଂ ମାମଲା: ଜମି ମାଲିକ ପ୍ରଭାତଙ୍କୁ ୧୦ ଘଣ୍ଟା ଜେରା କଲା ଇଡି, ୫ରେ କୋର୍ଟରେ ହାଜର ହେବେ ଅର୍ଚ୍ଚନା

ଭୁବନେଶ୍ୱର,୦୩/୧୨: ଅର୍ଚ୍ଚନା ନାଗ ବ୍ଲାକ୍ମେଲିଂ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ ଜମି ବିକ୍ରେତା ପ୍ରଭାତ ରଞ୍ଜନ ପତି । ସେ ଅର୍ଚ୍ଚନାଙ୍କୁ ଜମି ବିକ୍ରି କରିଥିଲେ । ଅନ୍ୟମାନଙ୍କ ଭଳି ତାଙ୍କୁ ମଧ୍ୟ ୧୦ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରାଯାଇଥିଲା । ପ୍ରଭାତ ୨୦୧୭ ମସିହାରେ ଅର୍ଚ୍ଚନାକୁ ଜମି ବିକ୍ରି କରିଥିଲେ । ତା’ପୁଣି ଓଲିଉଡ୍ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ମଧ୍ୟସ୍ଥିରେ । ତେବେ ଏହି କିଣାବିକା ସମୟରେ ପ୍ରଭାତ ୧୦ ଲକ୍ଷରୁ ଅଧିକ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ପଠାଇଥିଲେ । ଏହି ଆର୍ଥିକ କାରବାର କାରଣ ଜାଣିବା ପାଇଁ ଇଡି ଗତ ମାସ ୨୦ ତାରିଖରେ ପ୍ରଭାତଙ୍କୁ ନୋଟିସ୍ କରି ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲା । ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୦ଟା ବେଳେ ସେ କିଛି କାଗଜପତ୍ର ଧରି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଦୀର୍ଘ ୧୦ ଘଣ୍ଟାରୁ ଅଧିକ ସମୟ ଧରି ତାଙ୍କୁ ଜେରା କରାଯାଇଥିଲା । ସେପଟେ ପ୍ରଯୋଜକ ପ୍ରମୋଦ ଆଜି ପୁଣି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ।
ପ୍ରଭାତ ଓ ପ୍ରମୋଦଙ୍କୁ ଏକାଠି ଜେରା କରାଯାଇଥିଲା । ଜମି କିଣାବିକା ଓ ଟଙ୍କା ନେଣଦେଣ ବାବଦରେ ତଥ୍ୟ ଆଦାୟ କରିବା ଇଡିର ମୁଖ୍ୟ ଲକ୍ଷ୍ୟ ଥିଲା । ଆସନ୍ତା ୫ ତାରିଖରେ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରାଯିବ । ଇଡି ତାଙ୍କୁ ରିମାଣ୍ଡ ନେବା ପାଇଁ କୋର୍ଟରେ ଆବେଦନ କରିବ। ଅନ୍ୟପଟେ ଦୁଇ ଥର ଇଡିରେ ହାଜର ହେବା ପରେ ଏବେ ଆଉ ଧରାଛୁଆଁ ଦେଉନାହାନ୍ତି ତାଙ୍କ ଘନିଷ୍ଠ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା । ବାରମ୍ୱାର ନୋଟିସ୍ ପରେ ବି ସେ ହାଜର ହେଉନାହାନ୍ତି । ତାଙ୍କ ଫୋନ୍ ଅଫ୍ କରିଦେଇଛନ୍ତି । ଆସନ୍ତା ୫ ତାରିଖ ପବିତ୍ର ପାତ୍ର ଓ ୬ ତାରିଖରେ ରଞ୍ଜିତ ବେହେରା ହାଜର ହେବେ । ଏହି ଦୁଇଜଣଙ୍କ ସହ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ଲିଙ୍କ୍ ପାଇଛି ଇଡି।