ସାଙ୍ଘାଇ,୧୧/୦୫: ଚଳିତ ତୀରନ୍ଦାଜୀ ବିଶ୍ୱକପ୍‌ ଷ୍ଟେଜ୍‌-୨ରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ମୋଟ ୫ଟି ପଦକ ମିଳିଛି । କମ୍ପାଉଣ୍ଡ ଇଭେଣ୍ଟରେ ଭାରତୀୟ ତୀରନ୍ଦାଜ ଏହି ପଦକ ଜିତିଛନ୍ତି । ମହିଳା ବ୍ୟକ୍ତିଗତ ଇଭେଣ୍ଟରେ ମଧୁରା  ଧମନଗାଓଁକର ଏବଂ ପୁରୁଷ ଦଳ ସ୍ୱର୍ଣ୍ଣ ଜିତିଥିବାବେଳେ ମହିଳା ଦଳକୁ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ମିକ୍ସଡ୍‌ ଟିମ୍‌ରେ  ଅଭିଷେକ ବର୍ମା-ମଧୁରା ଯୋଡ଼ି ଓ ବ୍ୟକ୍ତିଗତ ଇଭେଣ୍ଟରେ ରିଷଭ ଯାଦବ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । 

ମହିଳା ବ୍ୟକ୍ତିଗତ ଇଭେଣ୍ଟ  ଫାଇନାଲ୍‌ରେ ମଧୁରା ୧୩୯-୧୩୮ରେ  ଆମେରିକାର କାର୍ସନ କ୍ରାହିଙ୍କୁ ପରାସ୍ତ  କରିଥିଲେ । ପୂର୍ବରୁ ସେମି ଫାଇନାଲ୍‌ରେ  ସେ ୧୪୩-୧୪୧ରେ ତୁର୍କୀର ହେଜଲ  ବୁରୁନଙ୍କୁ ପରାଜିତ କରିଥିଲେ । ମଧୁରା  ଦ୍ୱିତୀୟ ଭାରତୀୟ ମହିଳା ତୀରନ୍ଦାଜ ଭାବେ  ବ୍ୟକ୍ତିଗତ ଇଭେଣ୍ଟରେ ବିଶ୍ୱକପ୍‌ ସ୍ୱର୍ଣ୍ଣ  ଜିତିଛନ୍ତି । ତାଙ୍କ ପୂର୍ବରୁ ଜ୍ୟୋତି ସୁରେଖା  ଭେନାମ ଏହି ସଫଳତା ଲାଭ କରିଥିଲେ । 

ପୁରୁଷ କମ୍ପାଉଣ୍ଡ ଟିମ୍‌ ଇଭେଣ୍ଟରେ  ଟପ୍‌ ସିଡ ମାନ୍ୟତା ପାଇଥିବା ଭାରତ ଅପ୍ରତିଦ୍ୱନ୍ଦ୍ୱୀ ସାବ୍ୟସ୍ତ ହୋଇଥିଲା । ଓଜସ  ପ୍ରବୀଣ ଦେଓତାଲ, ଅଭିଷେକ ଶର୍ମା, ରିଷଭ ଯାଦବଙ୍କୁ ନେଇ ଗଠିତ ଭାରତୀୟ  ଦଳ ଫାଇନାଲ୍‌ରେ ମେକ୍ସିକୋ ଦଳକୁ  ୨୩୨-୨୨୮ରେ ପରାସ୍ତ କରିଥିଲେ। ପୁରୁଷ ଦଳର ଏହା କ୍ରମାଗତ ଦ୍ୱିତୀୟ  ବିଶ୍ୱକପ୍‌ ସ୍ୱର୍ଣ୍ଣ ପଦକ ରହିଥିଲା । ମାତ୍ର  ଜ୍ୟୋତି, ଚିକିତା ଓ ମଧୁରାଙ୍କୁ ନେଇ  ଗଠିତ ମହିଳା ଦଳ ଫାଇନାଲ୍‌ରେ  ୨୨୨-୨୩୪ରେ ମେକ୍ସିକୋ ନିକଟରୁ  ହାରିଯାଇଥିଲେ । 

ପୁରୁଷ ବ୍ୟକ୍ତିଗତ ଇଭେଣ୍ଟରେ ରିଷଭ  ବ୍ରୋଞ୍ଜ ଭେଟି ଦେଇଥିଲେ । ସେ ସୁଟ୍‌ ଅଫ୍‌ରେ  କୋରିଆ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହରାଇଥିଲେ । ମିକ୍ସଡ୍‌  ଟିମ୍‌ରେ ଟପ୍‌ ସିଡ୍‌ ଅଭିଷେକ ଓ ମଧୁରା  ଯୋଡ଼ି ସେମିରେ ବ୍ରିଟେନ ଯୋଡ଼ିଙ୍କ ନିକଟରୁ  ୧୫୮-୧୫୬ରେ ପରାଜିତ ହୋଇ ସ୍ୱର୍ଣ୍ଣ/ ରୌପ୍ୟ ଆଶା ଧୂଳିସାତ୍‌ କରିଥିଲେ । ମାତ୍ର  ବ୍ରୋଞ୍ଜ ଲଢ଼େଇରେ ଉଭୟ ୧୪୪-୧୪୨ରେ  ମାଲେସିଆ ଯୋଡ଼ିଙ୍କୁ ହରାଇଥିଲେ