ନୂଆଦିଲ୍ଲୀ,୦୮/୦୬: କିଛି ଦିନ ପୂର୍ବରୁ, ନାସା ସତର୍କ କରାଇ ଦେଇଥିଲା ଯେ ଆକାଶରୁ ଏମିତି ଏକ ପଥର ପୃଥିବୀ ଉପରେ ପଡ଼ିବ ଯାହାକି ହଜାର ହଜାର ପରମାଣୁ ବୋମା ଭଳି ଧ୍ବଂସ କରିପାରେ। ଆମେ କୌଣସି ବିଜ୍ଞାନଭିତ୍ତିକ ଚଳଚ୍ଚିତ୍ର ବିଷୟରେ କହୁନାହୁଁ। ବରଂ, ନାସା ନିଜେ କହିଥିଲା ଯେ ୨୪ ମଇ ୨୦୨୫ ରେ ପୃଥିବୀ ପାଖ ଦେଇ ଯାଇଥିବା ଗ୍ରହାଣୁ (ଆଷ୍ଟ୍ରଏଡ୍‌)   ୩୩୫ ମିଟର ଚଉଡ଼ା ଏବଂ ତିନୋଟି ଫୁଟବଲ୍ ପଡ଼ିଆ ପରି ଲମ୍ବ ଥିଲା। ଏହାର ଗତି କୌଣସି ମିଶାଇଲ ଠାରୁ କମ୍ ନଥିଲା ଏବଂ ଏହା ପ୍ରତି ସେକେଣ୍ଡରେ ୧୪ କିଲୋମିଟର ବେଗରେ ପଡ଼ିଥିଲା। ତେବେ ଆସନ୍ତୁ ଏବେ ଜାଣିବା ଆଷ୍ଟ୍ରଏଡ୍‌ ପୃଥିବୀରେ ପଡ଼ିଲେ ଏହା କେତେ ଧ୍ୱଂସ ଆଣିପାରେ ଏବଂ ଏଗୁଡ଼ିକ କେତେ ବିପଦପୂର୍ଣ୍ଣ।

କେତେ ମାରାତ୍ମକ ଆଷ୍ଟ୍ରଏଡ୍‌ ?

ବାସ୍ତବିକ କିଛି ଗ୍ରହାଣୁ ପରମାଣୁ ବୋମା ଅପେକ୍ଷା ଅଧିକ ଶକ୍ତିଶାଳୀ। ଓଡ଼ିଆରେ ଏହାକୁ ଗ୍ରହାଣୁ ଏବଂ ଇଂରାଜୀରେ ଆଷ୍ଟ୍ରଏଡ୍‌ ବୋଲି କୁହାଯାଏ। ତଥାପି, ଏଗୁଡ଼ିକର ବିପଦ ଏହାର ଆକାର, ଖସିବାର ଗତି ଏବଂ ଘନତ୍ୱ ଉପରେ ନିର୍ଭର କରେ। ଯେତେବେଳେ ଏହା ପୃଥିବୀରେ ମାଡ଼ ହୁଏ, ସେତେବେଳେ ଏହା ଗତିଜ ଶକ୍ତି ନିର୍ଗତ କରେ ଏବଂ ଏହି ଶକ୍ତିର ପରିମାଣ ବହୁତ ଅଧିକ ହୋଇପାରେ, ତେଣୁ ଏହା ପରମାଣୁ ବୋମା ଅପେକ୍ଷା ଅଧିକ କ୍ଷତି କରିପାରେ। ଉଦାହରଣ ସ୍ୱରୂପ, କୁହାଯାଉଛି ଯେ ୨୦୨୪ YR4 ନାମକ ଏକ ଆଷ୍ଟ୍ରଏଡ୍‌ ସହରକୁ ଧ୍ୱଂସ କରିପାରେ ଏବଂ ଏହା ପୃଥିବୀରେ ଆଘାତ ହେବାର ସମ୍ଭାବନା ୩.୧% ରହିଛି।

କେତେ ଅଞ୍ଚଳକୁ ପ୍ରଭାବିତ କରିପାରେ ଆଷ୍ଟ୍ରଏଡ୍‌?

ଏଠାରେ ଏହା ମଧ୍ୟ ଜାଣିବା ଗୁରୁତ୍ୱପୂର୍ଣ୍ଣ ଯେ ଏକ ଆଷ୍ଟ୍ରଏଡ୍‌ର ଶକ୍ତି ଏହାର ଆକୃତି ଏବଂ ଗତି ଉପରେ ବହୁତ ନିର୍ଭର କରେ। ଯେତେବେଳେ ଏଗୁଡ଼ିକ ପୃଥିବୀରେ ମାଡ଼ ହୁଅନ୍ତି, ସତେବେଳେ ଏହା ପ୍ରଚୁର ଶକ୍ତି ନିର୍ଗତ କରନ୍ତି। ସେଥିପାଇଁ ସେମାନେ ପରମାଣୁ ବୋମା ଅପେକ୍ଷା ଅନେକ ଗୁଣ ଅଧିକ କ୍ଷତି କରିପାରନ୍ତି। ଯଦି ୯୦ ମିଟର (୩୦୦ ଫୁଟ) ଆକାର ବିଶିଷ୍ଟ ଏକ ବଡ଼ ଆଷ୍ଟ୍ରଏଡ୍‌, ପୃଥିବୀରେ ମାଡ଼ ହୁଏ, ତେବେ ଏହା ଭୟଙ୍କର ଧ୍ୱଂସ ଘଟାଇପାରେ। କୋଠାଗୁଡ଼ିକ ଧ୍ବଂସ ହୋଇପାରେ ଏବଂ ଏକ ବଡ଼ ଅଞ୍ଚଳ ପ୍ରଭାବିତ ହୋଇପାରେ। ୨୦୧୩ ରେ ଚେଲିଆବିକ୍ସ ଉଲ୍କାପାତ ତମାମ ବିପଦର ଏକ ପ୍ରମୁଖ ଉଦାହରଣ ଅଟେ। ଯେତେବେଳେ ୨୦ ମିଟର ବ୍ୟାସ ବିଶିଷ୍ଟ ଏକ ଉଲ୍‌କାପିଣ୍ଡ ପୃଥିବୀର ବାୟୁମଣ୍ଡଳକୁ ପ୍ରବେଶ କରି ବିସ୍ଫୋରଣ ହୋଇଥିଲା, ଏଥିରେ ପ୍ରାୟ ୧୫୦୦ ଲୋକ ବିଶେଷ ଭାବେ ଆହତ ହୋଇଥିଲେ ଏବଂ ଭୟଙ୍କର ତରଙ୍ଗ ଏବଂ ଏହାର ଭଗ୍ନାବଶେଷ ମାଡ଼ ହେବା ଯୋଗୁଁ ଏକ ବଡ଼ ଅଞ୍ଚଳରେ ହଜାର ହଜାର କୋଠା କ୍ଷତିଗ୍ରସ୍ତ ହୋଇଥିଲା।

ବିପଦ ସଂକେତ ଦେଇଥିଲା ନାସା: 

ଯଦି କୌଣସି ଆଷ୍ଟ୍ରଏଡ୍‌ ପ୍ରତି ଘଣ୍ଟା ୩୮,୦୦୦ ମାଇଲ (୬୧,୨୦୦ ପ୍ରତି ଘଣ୍ଟା) ବେଗରେ ଆସି ଜନବସତି ଅଞ୍ଚଳରେ ପଡ଼େ, ତେବେ ଏହା ବିନାଶକାରୀ ହୋଇପାରେ। ଅନ୍ୟପକ୍ଷରେ, ଯଦି ଏହା ଏକ ସମୁଦ୍ର କିମ୍ବା ଜନଶୂନ୍ୟ ଭୂମିରେ ପଡ଼େ ଏବଂ ବିସ୍ଫୋରଣ ହୁଏ, ତେବେ କ୍ଷତି ବହୁତ କମ୍ ହୋଇଥାଏ। କିନ୍ତୁ ୨୦୨୪ YR4 କୁ ନେଇ ନାସା ଏହି ବିପଦପୂର୍ଣ୍ଣ ଆଷ୍ଟ୍ରଏଡ୍ କେଉଁଠାରେ ପଡ଼ିପାରେ ତାହାର ସମ୍ଭାବ୍ୟ ପଥ ପ୍ରସ୍ତୁତ କରିଛି। ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଯଦି ଏହା ପୃଥିବୀରେ ପଡ଼େ, ତେବେ ଏହା ୫୦୦ ପରମାଣୁ ବୋମା ଅପେକ୍ଷା ଅଧିକ ଶକ୍ତି ନିର୍ଗତ କରିପାରିବ। କେତେ ବଡ଼ କ୍ଷୟକ୍ଷତି ହେବ ତାହା ଆକଳନ କରାଯାଇପାରିବ ନାହିଁ।