ଭୁବନେଶ୍ୱର ୧୪/୦୩: ଦୁନିଆର ପ୍ରାୟ ଲୋକଙ୍କଠାରେ ‘ଭିଟାମିନ୍‌-ଡି’ର ଅଭାବ ଦେଖିବାକୁ ମିଳିଥାଏ । ଏହି ଅଭାବକୁ ଦୂର କରିବା ପାଇଁ ପ୍ରାୟ ଲୋକ ସପ୍ଲିମେଣ୍ଟ୍‌ ମଧ୍ୟ ନେଇଥାନ୍ତି। ତଥାପି ଏହି ଅଭାବ ପୂରଣ ହୋଇ ନଥାଏ । ଏହା ପଛରେ କଣ ରହିଛି କାରଣ ଚାଲନ୍ତୁ ଜାଣିବା । 

ସପ୍ଲିମେଣ୍ଟ୍‌ର ଭୁଲ୍‌ ଡୋଜ୍‌ :

ଭିଟାମିନ୍‌-ଡି' ଅଭାବକୁ ଦୂର କରିବା ପାଇଁ ଉପଯୁକ୍ତ ଡୋଜ୍‌ ନେବା ଖୁବ୍‌ ଜରୁରି । କିଛି ଲୋକ ଡାକ୍ତର ପରାମର୍ଶ ବିନା ଔଷଧ ଖାଇଥାନ୍ତି । ତେଣୁ ସେମାନେ ଲାଭ ଉଠାଇପାରି ନଥାନ୍ତି । ସେହିପରି କିଛି ଲୋକ ଆବଶ୍ୟକଠାରୁ ଅଧିକ ଡୋଜ୍‌ ନେଇଥାନ୍ତି, ଯାହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଭିଟାମିନ୍‌-ଡି ନେବା ଉଚିତ୍‌ । 

ଠିକ୍‌ ଭାବେ ଅବଶୋଷଣ ନ ହେବା :

 ଅନେକ ସମୟରେ ଭିଟାମିନ୍‌-ଡି ଶରୀରରେ ଠିକ୍‌ ଭାବେ ଅବଶୋଷଣ ହୋଇ ନଥାଏ । ଏହା ପଛରେ ମଧ୍ୟ ଅନେକ କାରଣ ରହିଥାଏ, ଯେପରିକି ପାଚନ ତନ୍ତ୍ରରେ ସମସ୍ୟା, ଅନ୍ତନଳୀରେ ସମସ୍ୟା କିମ୍ବା ଲିଭର୍‌, କିଡ୍‌ନୀ ଫଙ୍କସନ୍‌ରେ ସମସ୍ୟା ଆଦି । ଏହାକୁ ଅବଶୋଷଣ କରିବା ପାଇଁ ଶରୀରରେ ଭରପୂର ମାତ୍ରାରେ ଫ୍ୟାଟ ରହିଥିବା ଆବଶ୍ୟକ । ଡାଏଟ୍‌ରେ ଫ୍ୟାଟ୍‌ ଅଭାବ ରହିଥିଲେ, ଭିଟାମିନ୍‌-ଡି’ର ଅବଶୋଷଣ ପ୍ରଭାବିତ ହୋଇଥାଏ । 

ସୂର୍ଯ୍ୟକିରଣର ଅଭାବ :

ଭିଟାମିନ୍‌-ଡି’ର ପ୍ରମୁଖ ସ୍ରୋତ ହେଉଛି ସୂର୍ଯ୍ୟକିରଣ । ସପ୍ଲିମେଣ୍ଟ ନେବା ସତ୍ତେ୍ୱ ମଧ୍ୟ ବ୍ୟକ୍ତି ସୂର୍ଯ୍ୟକିରଣ ନେବା ଆବଶ୍ୟକ । ନଚେତ୍‌ ଶରୀରରେ ଭିଟାମିନ୍‌-ଡି’ ଅଭାବ ପୂରଣ ହେବନାହିଁ । 

ଶରୀରର ଭିନ୍ନ ଭିନ୍ନ ଆବଶ୍ୟକତା :

ପ୍ରତ୍ୟେକ ବ୍ୟକ୍ତିର ଶରୀରର ଆବଶ୍ୟକତା ଭିନ୍ନ । ବୟସ, ଓଜନ, ଲିଙ୍ଗ ଓ ସ୍ୱାସ୍ଥ୍ୟାବସ୍ଥାକୁ ଆଧାର କରି ଭିଟାମିନ୍‌-ଡି’ର ଆବଶ୍ୟକତା ବଦଳିଥାଏ । ଯଦି ଶରୀରର ଆବଶ୍ୟକତା ଅନୁସାରେ ଭିଟାମିନ୍‌-ଡି’ ନ ମିଳେ, ତେବେ ଶରୀରରେ ଏହାର ଅଭାବ ରହିବା ସ୍ୱାଭାବିକ । 

ଔଷଧର ପ୍ରଭାବ :

କିଛି ଔଷଧ ଭିଟାମିନ୍‌-ଡି ଅବଶୋଷଣକୁ ପ୍ରଭାବିତ କରିଥାଏ । ଯେପରିକି ଷ୍ଟେରଏଡ୍‌, ଓଜନ କମାଉଥିବା ଔଷଧ, କୋଲେଷ୍ଟେରଲ୍‌ ଔଷଧ ଆଦି ଭିଟାମିନ୍‌ଡି’ସ୍ତରକୁ କମ୍‌ କରିଦେଇଥାଏ । 

ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ :

ଭିଟାମିନ୍‌-ଡି ଅବଶୋଷଣ ପାଇଁ ଅନ୍ୟ ପୋଷକ ତତ୍ତ୍ୱ ଯେପରିକି ମ୍ୟାଗ୍ନେସିୟମ୍‌, କ୍ୟାଲସିୟମ୍‌ ଓ ଭିଟାମିନ୍‌-କେ'ର ମଧ୍ୟ ଆବଶ୍ୟକତା ରହିଥାଏ । ଯଦି ନିୟମିତ ଡାଏଟ୍‌ରେ ଏସବୁର ଅଭାବ ରୁହେ, ତେବେ ଭିଟାମିନ୍‌-ଡି' ସ୍ତର ଠିକ୍‌ ରହିବ ନାହିଁ ।