ଜୟପୁର, ୨୭/୧୨ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ପରେ କୋର୍ଟ ଚାଲାଣ ହେଲେ କୋରାପୁଟର କୁବେର ସରକାରୀ ବାବୁ ସୁରେନ୍ଦ୍ର କୁମାର ତନ୍ତି । ବୋରିଗୁମ୍ମା ତହସିଲ ଅନ୍ତର୍ଗତ କୁମୁଲି ମଣ୍ଡଳର ARI ସୁରେନ୍ଦ୍ର କୁମାର ତନ୍ତିଙ୍କ ୮ଟି ଠିକଣାରେ ସର୍ଚ୍ଚ ପରେ ତାଙ୍କର କୋଟି କୋଟି ଟଙ୍କା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଏକାଧିକ ଘର ସହ ପ୍ରାୟ କୋଟିଏ ଟଙ୍କାର ଜମାରାଶି ବିଭିନ୍ନ ବ୍ୟାଙ୍କରେ ଥିବା ଭିଜିଲାନ୍ସ କହିଛି । 

ସେହିପରି ତାଙ୍କ ନାଁରେ ୧୭ଟି ପ୍ଲଟ ମଧ୍ୟ ରହିଛି । ୧୫୦ ଗ୍ରାମ ସୁନା ସହ ଏକାଧିକ ୪ ଚକିଆ ଗାଡି ମଧ୍ୟ ଠାବ କରିଛି ଭିଜିଲାନ୍ସ । ଏନେଇ ଗୁରୁବାର ଠାରୁ ଭିଜିଲାନ୍ସ ତାଙ୍କୁ ଅଟକ ରଖି ପଚରାଉଚରା କରିଥିଲେ ବି ସେ ସନ୍ତୋଷଜନକ ଉତ୍ତର ଆୟ ବହିର୍ଭୂତ ସମ୍ପତ୍ତିକୁ ନେଇ ଦେଇ ପାରିନଥିଲେ । ତେଣୁ ତାଙ୍କୁ ଶେଷରେ ଗିରଫ କରାଯାଇଥିବା କହିଛନ୍ତି କୋରାପୁଟ ଭିଜିଲାନ୍ସ ଡିଭିଜନର ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ବିବେଦୀ ।