ଏପ୍ରିଲରେ ବିବାହ କରିପାରନ୍ତି ମଲାଇକା-ଅର୍ଜୁନ

ମୁମ୍ବାଇ,୧।୩; ଅର୍ଜୁନ କପୁର ଓ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କ ବିଷୟରେ ଆଉ କାହାକୁ ଅଛପା ନାହିଁ। ଦୁହେଁ ଏବେ ନିଜର ସମ୍ପର୍କକୁ ବିବାହ ବନ୍ଧନରେ ଆବଦ୍ଧ କରିବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି ଯେ ଦୁହେଁ ଆସନ୍ତା ଏପ୍ରିଲରେ ବିବାହ କରିପାରନ୍ତି। ଅର୍ଜୁନ ଓ ମଲାଇକା ଦୁହେଁ ହିନ୍ଦୁ ଓ ପଞ୍ଜାବୀ ହୋଇଥିଲେ ମଧ୍ୟ ଖ୍ରୀଷ୍ଟିୟାନ୍ ରୀତି-ନୀତି ଅନୁସାରେ ଚର୍ଚରେ ବିବାହ କରିବାର ଯୋଜନା କରିଛନ୍ତି।ଦୁହେଁ ଏପର୍ଯ୍ୟନ୍ତ ନିଜର ସମ୍ପର୍କକୁ ନେଇ ଯଦିଓ ଅଫିସିଆଲି ଘୋଷଣା କରିନାହାଁନ୍ତି। କିନ୍ତୁ ଅର୍ଜୁନ ଓ ମଲାଇକାଙ୍କ ବେଷ୍ଟ ଫ୍ରେଣ୍ଡ କରିନା କପୁର ଖାନ୍ ଓ କରନ୍ ଜୋହର ଏନେଇ ଖୋଲାଖୋଲି ଭାବରେ ସୂଚନା ଦେଇସାରିଛନ୍ତି।
ଗଣମାଧ୍ୟମର ଏକ ରିପୋର୍ଟ ଅନୁସାରେ ଦୁହିଁଙ୍କ ବିବାହ ସାଧାସିଧା ଭାବରେ ହେବ। କେବଳ ପରିବାରର ଲୋକ ଏବଂ ବନ୍ଧୁମାନେ ଏଥିରେ ଯୋଗ ଦେବେ। ମଲାଇକାଙ୍କ ଭଉଣୀ ଅମୃତା ଆରୋରା ମଧ୍ୟ ତାଙ୍କ ସ୍ବାମୀ ଶକିଲଙ୍କୁ ଖ୍ରୀଷ୍ଟିୟାନ ରୀତି-ନୀତି ଅନୁସାରେ ବିବାହ କରିସାରିଛନ୍ତି। ଆରବାଜ ଖାନଙ୍କୁ ଛାଡପତ୍ର ଦେବାପରେ କରିନା କପୁର ଏକ ଟକ୍ ଶୋ’ରେ ସ୍ପଷ୍ଟ କରିଦେଇଥିଲେ ମଲାଇକା ଓ ଆରବାଜଙ୍କ ଭିତରେ ଆଉ କିଛି ସମ୍ପର୍କ ନାହିଁ କିମ୍ବା ଭବିଷ୍ୟତରେ ରହିବନି। ଏବେ ମଲାଇକା ଓ ଅର୍ଜୁନ ସ୍ବିଜରଲାଣ୍ଡରେ ଆକାଶ ଅମ୍ବାନୀ ଓ ଶ୍ଲୋକା ମେହେତାଙ୍କ ପ୍ରି-ଓ୍ବେଡିଂ ସେରେମୋନିରେ ଯୋଗ ଦେବାପାଇଁ ଅଛନ୍ତି। ଦୁହିଁଙ୍କର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।