ଲାଇସେନ୍ସ ନମିଳିବାରୁ ହାଇକୋର୍ଟ ପହଞ୍ଚିଲେ ଓକିଲ; ଏମିତି ରାୟ ଶୁଣାଇଲେ ଅଦାଲତ

Image Courtesy: The Indian Express
ନୂଆଦିଲ୍ଲୀ,୨୫/୦୫: ଦିଲ୍ଲୀ ହାଇକୋର୍ଟ ସିଧାସଳଖ କହିଛନ୍ତି ଯେ, ଜଣେ ଓକିଲ ଅପରାଧିକ ମାମଲା ଯଦି ଲଢ଼ୁଛନ୍ତି ତେବେ ଏହାର ଅର୍ଥ ନୁହେଁ ଯେ, ସେ ବନ୍ଧୁକ ଲାଇସେନ୍ସ ପାଇବା ଯୋଗ୍ୟ। ଜଷ୍ଟିସ ପ୍ରତୀଭା ଏମ ସିଂ କହିଛନ୍ତି ଯେ ଯଦି ଅପରାଧିକ ମକଦ୍ଦମା ଲଢ଼ୁଥିବା ସମସ୍ତ ଆଇନଜୀବୀ ଏହିପରି ଭାବରେ ବନ୍ଧୁକ ଲାଇସେନ୍ସ ଦାବି କରିବା ଆରମ୍ଭ କରନ୍ତି, ତା’ହେଲେ ବିନା କୌଣସି ନିୟମରେ ଲାଇସେନ୍ସ ପ୍ରଦାନ କରିବାକୁ ପଡ଼ିବ। ଆଡଭୋକେଟ୍ ଶିବ କୁମାରଙ୍କ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିଥିଲେ। ଏହି ଆବେଦନରେ ସେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ, ଯେଉଁଥିରେ ବନ୍ଧୁକ ଲାଇସେନ୍ସ ଆବେଦନକୁ ଦିଲ୍ଲୀ ଏଲ୍ଜି ପ୍ରତ୍ୟାଖ୍ୟାନ କରିଥିଲେ।
କ‘ଣ କହିଲେ ହାଇକୋର୍ଟ?
ଦିଲ୍ଲୀ ହାଇକୋର୍ଟରେ ହୋଇଥିବା ଯୁକ୍ତି ସମୟରେ ଓକିଲ ଦୁଇଟି ବିଚାରକୁ ଦର୍ଶାଇ କହିଥିଲେ ଯେ, ଯଦି ଅସ୍ତ୍ର ଆଇନର ଧାରା ୧୪ ଅନୁଯାୟୀ ପ୍ରତ୍ୟାଖ୍ୟାନ କରିବାର କୌଣସି କାରଣ ନାହିଁ, ତେବେ ଲାଇସେନ୍ସ ପ୍ରଦାନ କରିବାକୁ ପଡିବ। ଏହା ଉପରେ ଜଷ୍ଟିସ ପ୍ରତୀଭା ଏମ ସିଂ କହିଛନ୍ତି ଯେ, ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷଙ୍କୁ ବିପଦର ଆକଳନ କରିବାର ଆବଶ୍ୟକତା ହେବ। ଆବେଦନକାରୀ ଯେଉଁ କାରଣ ଦର୍ଶାଇଛନ୍ତି, ସେଗୁଡିକ ଅନୁସନ୍ଧାନ କରିବାକୁ ପଡିବ ଏବଂ ତମାମ ଯାଞ୍ଚ ଆଧାରରେ ଲାଇସେନ୍ସ ପ୍ରଦାନ କରାଯିବ। ଏହି ପରିପ୍ରେକ୍ଷୀରେ, ଅପରାଧିକ ମାମଲାରେ ମକଦ୍ଦମା ଲଢ଼ିବା ସହିତ ବନ୍ଧୁକ ଲାଇସେନ୍ସ ପାଇବା ଉପଯୁକ୍ତ ନୁହେଁ।
କିଏ ନେଇପାରିବେ ବନ୍ଧୁକ ଲାଇସେନ୍ସ?
ଆର୍ମସ୍ ଆକ୍ଟ ବା ଅସ୍ତଶସ୍ତ୍ର ଆଇନ ୧୯୫୯ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଯିଏ ଭାରତର ନାଗରିକ ଏବଂ ତାଙ୍କ ବୟସ ୨୧ ବର୍ଷ କିମ୍ବା ତା’ଠାରୁ ଅଧିକ, ସେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ। ଆବେଦନକାରୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ଆବଶ୍ୟକ କିମ୍ବା କୌଣସି ଅପରାଧିକ କାର୍ଯ୍ୟରେ ଜଡ଼ିତ ନଥିବା ଉଚିତ୍। ଏହା ସହିତ ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିବା ମଧ୍ୟ ଆବଶ୍ୟକ।

କେଉଁଠାରୁ ମିଳେ ବନ୍ଧୁକ ଲାଇସେନ୍ସ?
ଅସ୍ତ୍ରଶସ୍ତ୍ର ଲାଇସେନ୍ସ ପାଇଁ ସମ୍ପୃକ୍ତ ଜିଲ୍ଲା ମାଜିଷ୍ଟ୍ରେଟ କିମ୍ବା କମିଶନର୍ କାର୍ଯ୍ୟାଳୟର ଆର୍ମ ଲାଇସେନ୍ସ ବିଭାଗରେ ଆବେଦନ କରିବାକୁ ପଡିବ। ଆବେଦନ ପରେ ଏହାର କପି ସଂପୃକ୍ତ ଜିଲ୍ଲାର ଏସଏସପି କିମ୍ବା ପୋଲିସ କମିଶନରଙ୍କ କାର୍ଯ୍ୟାଳୟକୁ ପଠାଯାଏ ଏବଂ ସେଠାରୁ କପି ସଂପୃକ୍ତ ପୋଲିସ ଷ୍ଟେସନକୁ ଯାଇଥାଏ। ଏହା ସହିତ ଜିଲ୍ଲା ଅପରାଧ ରେକର୍ଡ ବ୍ୟୁରୋକୁ ମଧ୍ୟ ପଠାଯାଏ। ଏହାଦ୍ବାରା ସଂପୃକ୍ତ ଆବେଦନକାରୀଙ୍କ ଉପରେ ଯଦି କୌଣସି ଏତଲା କିମ୍ବା ଅପରାଧିକ ମାମଲା ଥିଲା ବା ରହିଥାଏ, ତାହା ଜଣାପଡ଼ିଥାଏ।
ଆବେଦନ ବେଳେ କି ସୂଚନା ଆବଶ୍ୟକ ହୁଏ?
ଆବେଦନରେ, ଏହା ସ୍ପଷ୍ଟ ଭାବରେ ଦର୍ଶାଇବାକୁ ପଡିବ ଯେ ଆପଣଙ୍କର ବନ୍ଧୁକ ଲାଇସେନ୍ସ କାହିଁକି ଦରକାର? କାହା ଜୀବନ ବିପଦରେ ଅଛି ଏବଂ କାହିଁକି? ଆବେଦନ ଫର୍ମରେ, ଏହା ମଧ୍ୟ ଉଲ୍ଲେଖ କରାଯିବ ଯେ କେଉଁ ପ୍ରକାରର ବନ୍ଧୁକ ଲାଇସେନ୍ସ ଚାହୁଁଛନ୍ତି। ଏହା ସହିତ ଠିକଣା ପ୍ରମାଣପତ୍ର, ପରିଚୟ ପତ୍ର, ବୟସ ପ୍ରମାଣପତ୍ର, ଚରିତ୍ର ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ଡାକ୍ତରୀ ପ୍ରମାଣପତ୍ର ଭଳି ଦସ୍ତାବିଜ ମଧ୍ୟ ଦାଖଲ କରାଯିବ।

ପୁଲିସ ରିପୋର୍ଟ ଆଧାରକୁ ଭିତ୍ତି କରି ମିଳିବ ଲାଇସେନ୍ସ:
ପୁଲିସ ରିପୋର୍ଟ ଆଧାରରେ ଡିଏମ୍ କିମ୍ବା ସଂପୃକ୍ତ ଅଧିକାରୀ କେବଳ ଲାଇସେନ୍ସ ପ୍ରଦାନ କରନ୍ତି। ଅନୁମୋଦନ ପରେ ଲାଇସେନ୍ସ ଫି ଜମା କରିବାକୁ ପଡିବ, ଯାହାକି ବିଭିନ୍ନ ରାଜ୍ୟରେ ଅଲଗା ଅଲଗା ହୋଇଥାଏ। ଲାଇସେନ୍ସ ପ୍ରଦାନ ପରେ ବନ୍ଧୁକ କିଣାଯାଇପାରିବ। ଏହା ପରେ ପୁନର୍ବାର ଜିଲ୍ଲା ପ୍ରଶାସନ ଲାଇସେନ୍ସ ଏବଂ ବନ୍ଧୁକ ଉଭୟକୁ ମିଶାଇବା ପରେ ଏହାକୁ ରେକର୍ଡରେ ପ୍ରବେଶ କରାଯାଇଥାଏ। ପ୍ରତି ୫ ବର୍ଷରେ ଲାଇସେନ୍ସ ରେନ୍ୟୁ ମଧ୍ୟ କରିବାକୁ ହେବ।