ନୂଆଦିଲ୍ଲୀ,୧୨।୨: ସବୁ ସରକାରୀ କାର୍ଯ୍ୟକ୍ରମ ଓ ଶିକ୍ଷା ସଂସ୍ଥାନରେ ‘ବନ୍ଦେ ମାତରମ୍’ ଗାଇବା ଓ ବାଜିବା ବାଧ୍ୟତାମୂଳକ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ କଡ଼ା ମନ୍ତବ୍ୟ ଦେଇଛନ୍ତି ଜମିୟତ ଉଲମା-ଇ-ହିନ୍ଦର ଅଧ୍ୟକ୍ଷ ମୌଲାନା ଅର୍ଶଦ ମଦନୀ।ସେ ଏହି ନିର୍ଦେଶକୁ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ଉପରେ ଆକ୍ରମଣ ବୋଲି କହିଛନ୍ତି। ସେ କହିଛନ୍ତି ଏଭଳି ବାଧ୍ୟତାମୂଳକ ଭାବରେ ଆମ ଉପରେ ନିଷ୍ପତ୍ତିକୁ ଲଦି ଦିଆନଯାଉ। ଏପରିକି ସେ ଏଥିପାଇଁ ସରକାରଙ୍କ ଉଦେଶ୍ୟ ନେଇ ପ୍ରଶ୍ନ ଉଠାଇଛନ୍ତି।
ମଦନୀ କହିଛନ୍ତି,ଏହି ନିଷ୍ପତ୍ତି କେବଳ ପକ୍ଷପାତୀ ନୁହେଁ, ବଂର ସମ୍ବିଧାନ ଦ୍ବାରା ନିଆଯାଇଥିବା ସ୍ବାଧିୀନତା ଉପରେ ଗଭୀର ଆଘାତ। ତାଙ୍କ ମତରେ ବର୍ତ୍ତମାନର ସରକାର ଦେଶର ପ୍ରଗତି କିମ୍ବା ଜନତାଙ୍କ ସମସ୍ୟା ସହ କୌଣସି ସମ୍ପର୍କ ନାହିଁ। କେବଳ ସବୁ ସମୟରେ ନିର୍ବାଚନୀ ମୁଡ୍ରେ ରହିଥାନ୍ତି। ତାଙ୍କର ନିଷ୍ପତ୍ତି କେବଳ ଏହି କଥା ଉପରେ ନିର୍ଭର କରେ, ତାଙ୍କୁ ନିର୍ବାଚନରେ କେଉଁ ରାଜନୈତିକ ଦଳଠାରୁ କେତେ ଲାଭ ମିଳିପାରିବ।
ମୌଲାନା ମଦନୀ କହିଛନ୍ତି, ବନ୍ଦେ ମାତରମ୍ ବିବାଦ ଖୁବ୍ ପୁରୁଣା। ଏହା ପୂର୍ବରୁ ଡିସେମ୍ବର ୨୦୨୫ ରେ ସଂସଦରେ ହୋଇଥିବା ଚର୍ଚ୍ଚା ବେଳେ ମଧ୍ୟ ସେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିସାରିଛି। ସେ କହିଥିଲେ, ଅନ୍ୟମାନେ ବନ୍ଦେ ମାତରମ୍ ଗାଇବା କିମ୍ବା ଧୁନ୍ ବଜାଇବାରେ ତାଙ୍କର କୌଣସି ଆପତ୍ତି ନାହିଁ, ମୁସଲମାନ ହୋଇଥିବାରୁ ସେ ଏହି ଗୀତ ଗାଇପାରିବେନି। ଇସ୍ଲାମରେ କେବଳ ଆଲ୍ଲାହଙ୍କୁ ମାନିଥାଉ। ତାଙ୍କ ବିନା ଅନ୍ୟକାହାକୁ ପୂଜା କରିପାରିବୁନି। ବନ୍ଦେ ମାତରମ୍ ବିଷୟବସ୍ତୁ ବହୁଦେବବାଦ ସହ ଜଡିତ ମାନ୍ୟତା ଉପରେ ଆଧାରିତ। ଯାହାର ଏକ ଅନ୍ତରାରେ ଦେଶର ତୁଳନା ଦୁର୍ଗା ମାତାଙ୍କ ସହ କରାଯାଇଛି। ସେ ସମ୍ବିଧାନର ଧାରା ୨୫କୁ ଦର୍ଶାଇ କହିଥିଲେ ପ୍ରତ୍ୟେକ ନାଗାରିକଙ୍କୁ ନିଜ ଧର୍ମ ପାଳନ କରିବାର ସ୍ବାଧୀନତା ରହିଛି। କୌଣସି ସ୍ବତନ୍ତ୍ର ବିଚାରଧାରାକୁ ମାନିବା କିମ୍ବା ଅନ୍ୟ କୌଣସି ଗୀତକୁ ଗାଇବାକୁ ବାଧ୍ୟ କରିବା ସମ୍ବିଧାନର ଉଲଂଘନ।