କୃତ୍ରିମ ବୁଦ୍ଧିମତ୍ତା ସଂପ୍ରତି ସବୁ ବର୍ଗର ଲୋକଙ୍କର ଦୃଷ୍ଟି ଆକର୍ଷଣ କରିଛି । ବିଶେଷକରି ଯୁବବର୍ଗଙ୍କର । ଏହି କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ନିକଟରେ ଦିଲ୍ଲୀ ସ୍ଥିତ ଭାରତମଣ୍ଡପମ୍ ଠାରେ ସମାପିତ ହୋଇଥିବା ଏ.ଆଇ. ସମ୍ମିଟରେ ଯୋଗଦେବାର ଅବସର ପ୍ରାପ୍ତ ହୋଇଥିଲା ମୋତେ । ସେଠାକୁ ଆସିଥିବା ବିପୁଳ ସଂଖ୍ୟକ ଯୁବପିଢ଼ିଙ୍କର ଉତ୍ସାହ ଓ ଆଗ୍ରହ ମୋତେ ବାଧ୍ୟ କରିଥିଲା ସେମାନଙ୍କ ସହ କଥା ହେବାକୁ । ଏହି କ୍ରମରେ ଏ.ଆଇ.କୁ ନେଇ ସେମାନଙ୍କ ଚିନ୍ତାଧାରା ସଂପର୍କରେ ମୋର ସମ୍ୟକ୍ ଜ୍ଞାନ ପ୍ରାପ୍ତ ହୋଇଥିଲା । ଏକବିଂଶ ଶତାବ୍ଦୀର ଏହି ଦ୍ୱିତୀୟାର୍ଦ୍ଧରେ ଏ.ଆଇ. କିପରି ସେମାନଙ୍କ ଜୀବନ ଜୀବିକା ତଥା କ୍ୟାରିଅର ଓ ଶିକ୍ଷାର ଉନ୍ନତିରେ ସହାୟକ ହେବ ସେ ନେଇ ସେମାନଙ୍କ ପ୍ରଶ୍ନର ତାଲିକା ଥିଲା ଲମ୍ବା । ଏ.ଆଇ. ଦ୍ୱାରା ସେମାନଙ୍କ ପାଇଁ କେଉଁ କେଉଁ ନୂତନ ସୁଯୋଗ ସୃଷ୍ଟିହେବ ତାହା ଥିଲା ସେମାନଙ୍କ ଚିନ୍ତାର କେନ୍ଦ୍ରବିନ୍ଦୁ । କେବଳ ଏତିକି ନୁହଁ, ସେମାନଙ୍କ ଶଙ୍କାର ଶିଡ଼ିରେ ଝୁଲୁଥିଲା ଶିକ୍ଷାଗତ ଯୋଗ୍ୟତାର ଭୟ... ଏ.ଆଇ. ବିଜ୍ଞାନ, ବେଷୟିକ ଜ୍ଞାନ ଓ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ବ୍ୟତିରକେ ଆଉ କାହା କାହା ପାଇଁ କିଭଳି ସହାୟକ ହେବ ଏ ନେଇ ସେମାନଙ୍କର ଥିଲା ଅଜସ୍ର ଚିନ୍ତା । ଏହା କ’ଣ ଏପରି କିଛି ଯାହା କେବଳ ବୈଜ୍ଞାନିକ କିମ୍ବା ଆଇଟି ବିଶେଷଜ୍ଞଙ୍କ ନିମିତ୍ତ ହିଁ ଫଳପ୍ରଦ ହେବା ଭଳି ପ୍ରଶ୍ନ ଥିଲା ଯୁବବର୍ଗଙ୍କର ।
ଏହି ପରିପ୍ରେକ୍ଷୀରେ ମୁଁ କେବଳ ଏତିକି କହିବାକୁ ଉଚିତ ମଣିବି ଯେ, ଏ.ଆଇ. ମୋ ପାଇଁ କେବଳ କୌଣସି ପାଠ୍ୟଗତ ବିଭାଗ ନୁହଁ । ଏ.ଆଇ. ଏକ ଜୀବନଶୈଳୀ । ସମୟକ୍ରମେ କୃତ୍ରିମ ବୁଦ୍ଧିମତ୍ତା କୌଣସି ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଏହା ଏକ ସର୍ବବ୍ୟାପୀ ପ୍ରୟୋଗ ହେବ ଯାହା ପ୍ରତ୍ୟେକ ବୃତ୍ତି ଓ ବ୍ୟବସାୟର ଅଭିନ୍ନ ଅଙ୍ଗ ପାଲଟିବ । ଏହି ପରିପ୍ରେକ୍ଷୀରେ ନବେ ଦଶକର ପ୍ରାରମ୍ଭରେ ହୋଇଥିବା ଆଇ.ଟି. ବିପ୍ଳବକୁ ଉଦାହରଣ ଭାବରେ ନିଆଯାଇପାରେ । ଭାରତୀୟ ଅର୍ଥନୀତିର ଉଦାରୀକରଣ ଆରମ୍ଭ ହେବା ଫଳରେ କମ୍ପୁଟରର ଦରଦାମ୍ କମିବା ସହିତ ଏହା ଦେଶବ୍ୟାପୀ ଆଇ.ଟି. କ୍ଷେତ୍ରରେ ବିପ୍ଳବ ଆଣିଥିଲା । ମୋର ମନେ ଅଛି, ଜଣେ ଯୁବଛାତ୍ର ଭାବରେ ପଦାର୍ଥ ବିଜ୍ଞାନ ଓ ଗଣିତରେ ମୁଁ ଦୁର୍ବଳ ଥିଲି । ତେଣୁ ଆଇ.ଟି. ବିପ୍ଳବର ସୁଫଳ ମୋତେ ମିଳିବା ଭଳି ମୋର ମନେ ହେଉନଥିଲା । ଯୁକ୍ତଦୁଇ ପରେ ମୁଁ ଆଉ ବିଜ୍ଞାନ ପଢିଲି ନାହିଁ କିମ୍ବା ଜଣେ କମ୍ପୁଟର ଇଞ୍ଜିନିୟର ହେଲିନାହିଁ । କିନ୍ତୁ କମ୍ପୁଟର ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ମୋ ମନ, ବୁଦ୍ଧି, ଆଭିମୁଖ୍ୟ ଓ ଜୀବନର ଗତିପଥକୁ ଏକ ନୂଆ ମୋଡ଼ ଦେଲା । ଠିକ୍ ଯେପରି ଆଜି ଆମେମାନେ ସ୍ମାର୍ଟଫୋନ ବ୍ୟବହାର କରୁଛୁ, ଯାହା ସାରା ବିଶ୍ୱକୁ ଆମ ହାତମୁଠାରେ ଆଣି ରଖିଛି । ଠିକ୍ ସେହିପରି କୃତ୍ରିମ ବୁଦ୍ଧିମତ୍ତାଏପରି ଅନେକ ପ୍ରୟୋଗ ଆଣିବ, ଯାହା ଜଣେ ସାଧାରଣ ଯୁବକ ଯୁବତୀଙ୍କ ବ୍ୟକ୍ତିଗତ ବିକାଶରେ ସହାୟକ ହେବ ।
ଇଞ୍ଜିନିୟରିଂ କିମ୍ବା ବିଜ୍ଞାନ ସହିତ କୌଣସି ସମ୍ବନ୍ଧ ନଥାଇ ମଧ୍ୟ ସେମାନେ ନିଜ କାମରେ ଏ.ଆଇ.ର ଉପଯୋଗ କରି ନିଜର ଦକ୍ଷତା ବୃଦ୍ଧି କରିବା ସହିତ ନିଜକୁ ଅଧିକ ସମର୍ଥ କରି ନିଜକୁ ଅନନ୍ୟ କରିପାରିବେ । କିଛି ଯୁବକ ଏ.ଆଇ. ଦ୍ୱାରା ବିଭିନ୍ନ ଚାକିରି କ୍ଷେତ୍ରରେ ହେବାକୁ ଥିବା ବ୍ୟାପକ ଛଟେଇ ବିଷୟରେ ପ୍ରଶ୍ନ କରିଥିଲେ । ସେମାନଙ୍କ ମତ ଥିଲା ଯେ, ଏ.ଆଇ. ଦ୍ୱାରା ଅନେକ କାର୍ଯ୍ୟ ସ୍ୱୟଂଚାଳିତ ହୋଇଯିବ, ଯାହାଦ୍ୱାରା ଅନେକ ପଦବିରେ ମାନବ ସମ୍ବଳ ଅନାବଶ୍ୟକ ହୋଇଯିବ ଓ ବେକାରୀ ସମସ୍ୟା ବଢ଼ିବ! ଏହି ପ୍ରଶ୍ନର ଉତ୍ତରରେ କହିଥିଲି ଯେ, ତୁମମାନଙ୍କ ସମୟ ପୂର୍ବରୁ ଯେତେବେଳେ ଅଫିସ୍ଗୁଡ଼ିକରେ କମ୍ପୁଟରର ପ୍ରଚଳନ କରାଗଲା ସେତେବେଳେ ଅନେକ ଲୋକଙ୍କ ମଧ୍ୟରେ ଏହି ସମାନ ଭୟ ଦେଖିଥିଲି ମୁଁ । ଲୋକେ ଭାବୁଥିଲେ ଯେ ଏହା କୋଟି କୋଟି ଲୋକଙ୍କୁ ବେକାରୀ କରିଦେବ, କିନ୍ତୁ ଏହା କାହାକୁ ବେକାର କଲାନି ବରଂ ଆଇ.ଟି. ଆଧାରିତ କାର୍ଯ୍ୟଦକ୍ଷତାକୁ ନେଇ ନୂତନ କର୍ମନିଯୁକ୍ତି ସୃଷ୍ଟି କଲା । ଠିକ୍ ସେହିପରି ଏ.ଆଇ. କାର୍ଯ୍ୟଶୈଳୀକୁ ପରିବର୍ତ୍ତନ କରିବ । କିଛି ପୁରୁଣା ଚାକିରି ବନ୍ଦ ହୋଇଯାଇପାରେ, କିନ୍ତୁ ସମାନ ସମୟରେ ଏ.ଆଇ. ଯୋଗୁଁ ନୂତନ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି ହେବ ।
ଯୁବପିଢ଼ିଙ୍କୁ ନିଜ କର୍ମକ୍ଷେତ୍ରରେ ଏ.ଆଇ. ଅନୁବର୍ତ୍ତୀ ହେବା ପାଇଁ ଅନେକ କ୍ଷେତ୍ରରେ ନିଜକୁ ପୁନଃ- ଦକ୍ଷ, ପୁନଃ-ଶିକ୍ଷିତ କରିବା ସହିତ ନିଜକୁ ନୂତନ ଭାବରେ ଗଢ଼ିବାକୁ ହେବ । ଏଥିନିମନ୍ତେ ଅଧିକ କ୍ଷମତା ବିକାଶ, ଦକ୍ଷତା ଏବଂ ଜ୍ଞାନ ଆହରଣର ଆବଶ୍ୟକତା ପଡ଼ିବ । ଏହିପରି ଭାବରେ ହିଁ ବିଶ୍ୱ ଖାପଖୁଆଇ ଆସିଛି ବିପ୍ଳବ ସହ । ପ୍ରଥମେ ଶିଳ୍ପ ବିପ୍ଳବ ପରେ ପରେ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବିପ୍ଳବ ଓ ବର୍ତ୍ତମାନର କୃତ୍ରିମ ବୁଦ୍ଧିମତ୍ତାରେ ବିପ୍ଳବ, ଯାହା ପରେ ଖୁବ୍ଶୀଘ୍ର କ୍ୱାଣ୍ଟମ କମ୍ପୁଟିଂର ବିପ୍ଳବ ମଧ୍ୟ ଆସିବ । କିନ୍ତୁ ପ୍ରତ୍ୟେକ ପର୍ଯ୍ୟାୟରେ ଅଧିକ ଶିକ୍ଷା, ଉନ୍ନତ ଦକ୍ଷତା, ଜ୍ଞାନର ଆଧୁନୀକରଣ ଓ ସମ୍ବଳର ଠିକ୍ ବ୍ୟବହାରର ଆବଶ୍ୟକତା ପଡ଼ିବ । କିନ୍ତୁ କେବଳ ଚାକିରି ଅପେକ୍ଷା, ମୁଁ ସେହି କ୍ଷେତ୍ରଗୁଡିକ ଉପରେ ଅଧିକ ଧ୍ୟାନ ଦେବି ଯାହାଦ୍ୱାରା ଯୁବପିଢ଼ି ଏ.ଆଇ. ଦ୍ୱାରା ଉପକୃତ ହୋଇପାରିବେ । ଆଧାର, ଡିଜିଲକର୍ ଏବଂ ଜନଧନ ଭଳି ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର୍, ଡାଟାଷ୍ଟାକ୍ ସମେତ ୟୁପିଆଇ ଯେଉଁଥିରେ ପ୍ରତିଦିନ କୋଟି କୋଟି ଟଙ୍କାର ପ୍ରକୃତ କାରବାର ହେଉଛି ସେ କ୍ଷେତ୍ରରେ ଏ.ଆଇ. ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା ବ୍ୟତୀତ କୃଷି, ସ୍ୱାସ୍ଥ୍ୟ, ଶିକ୍ଷା, ପରିବହନ ଏବଂ ବାଣିଜ୍ୟ ଭଳି କ୍ଷେତ୍ରଗୁଡ଼ିକରେ ଏ.ଆଇ.ର ବ୍ୟବହାର ଠିକ୍ ସମାଧାନ ବାହାର କରିବାରେ ସହାୟକ ହେବ । ଏଭଳି ଅନେକ ଉଦାହରଣ ଅଛି ଯେଉଁଥିରେ ଏ.ଆଇ. ଲୋକଙ୍କ ଜୀବନରେ ସୁଧାର ଆଣିବା ଆରମ୍ଭ କରିସାରିଲାଣି । ପାରମ୍ପରିକ ଚାଷପ୍ରଣାଳୀକୁ ତଥ୍ୟଭିତ୍ତିକ ନିଷ୍ପତ୍ତିରେ ପରିଣତ କରି ଏ.ଆଇ. ସଂପ୍ରତି ଯୁବ ଚାଷୀ ଓ କୃଷି ଉଦ୍ୟୋଗୀଙ୍କର ଜୀବନ ପରିବର୍ତ୍ତନ କରାଉଛି ।
ଏ.ଆଇ. ମାଧ୍ୟମରେ ଶିଶୁର ପୁଷ୍ଟିହୀନତା ଯାଞ୍ଚ କରିବାରୁ ନେଇ ଗର୍ବବତୀ ମହିଳାଙ୍କ ସ୍ୱାସ୍ଥ୍ୟସଙ୍କଟକୁ ଆଗୁଆ ଜାଣିବା ଖୁବ୍ ସହଜ ହୋଇପାରିଛି । ଆଞ୍ଚଳିକ ଭାଷାରେ ଭଏସ୍ ଆଧାରିତ ଆପ୍ଲିକେସନ ସାହାଯ୍ୟରେ କମ୍ ଡିଜିଟାଲ ଜ୍ଞାନ ଥିବା ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ ସହଜରେ କାମ କରିପାରୁଛନ୍ତି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଏ.ଆଇ. ଶିଖିବାର ଶୈଳୀରେ ଆଣିଛି ପରିବର୍ତ୍ତନ । ପର୍ସନାଲାଇଜଡ୍ ଲର୍ଣ୍ଣିଂ ପ୍ଲାଟଫର୍ମ ମାଧ୍ୟମରେ ଜଣେ ଛାତ୍ରର ଦକ୍ଷତା ଅନୁସାରେ ପାଠ୍ୟକ୍ରମ ପ୍ରସ୍ତୁତ ହୋଇପାରୁଛି । ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ପିଲାମାନେ ନିଜର ଦୁର୍ବଳତା ଓ ଦକ୍ଷତା ବିଷୟରେ ଜାଣିବା ପାଇଁ ଏ.ଆଇ. ଉପଯୋଗୀ ହେଉଛି । ଏ.ଆଇ.ର ଭାଷା ଅନୁବାଦ ପ୍ରଯୁକ୍ତି ଆଞ୍ଚଳିକ ଭାଷାରେ ଉଚ୍ଚକୋଟୀର ଶିକ୍ଷାଲାଭରେ ସହାୟକ ହେଉଛି । ଉଦ୍ୟୋଗ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଯୁବ ବ୍ୟବସାୟୀ ଏ.ଆଇ. ଚାଟ୍ବଟ୍ ଓ ଡିଜିଟାଲ ମାର୍କେଟିଂ ଟୁଲ୍ସର ବ୍ୟବହାରରେ ବ୍ୟବସାୟ ବୃଦ୍ଧି କରାଉଛନ୍ତି । ଯାହା ଆର୍ଥିକ ପରିଚାଳନା ଓ ଜିଏସଟି ଅନୁପାଳନକୁ ଖୁବ୍ ସହଜ କରାଉଛି ।
ସରକାରୀ ସେବା ଏବଂ ପ୍ରଶାସନରେ ମଧ୍ୟ ଏ.ଆଇ.ର ବ୍ୟବହାର ବଢୁଛି । ଯାହା ଟ୍ରାଫିକ ମ୍ୟାନେଜମେଣ୍ଟ ଠାରୁ ନେଇ ସରକାରୀ ଯୋଜନାରେ ଦୁର୍ନୀତି ରୋକିବାରେ ସହାୟକ ହେଉଛି । ଏତଦ୍ଭିନ୍ନ ପରିବେଶ ସୁରକ୍ଷା, ରିଟେଲ ବ୍ୟବସାୟ ଓ ଡିଜିଟାଲ କ୍ରିଏଟିଭ ଅର୍ଥନୀତିରେ ବି ରହିଛି ଏ.ଆଇ.ର ପ୍ରମୁଖ ଭୂମିକା । ଏ.ଆଇ. ଟୁଲ୍ସର ବ୍ୟବହାରରେ ଯୁବବର୍ଗଙ୍କୁ କଣ୍ଟେଣ୍ଟ ଡିଜାଇନ, ଆପ୍ଲିକେସନ ତଥା ଗେମିଂ ଆପର ତିଆରି କରିବାର ନୂଆ ନୂଆ ପନ୍ଥା ମିଳୁଛି³ ଯାହା ସେମାନଙ୍କୁ ରୋଜଗାରର ନୂଆ ରାହା ଦେଖାଉଛି । ଆମ ସହମତି ଥାଉ ଅବା ନଥାଉ, ଯେଭଳି ଢଙ୍ଗରେ କମ୍ପୁଟର ଓ ଆଇ.ଟି. ବିବର୍ତ୍ତନ ପୂର୍ବପିଢ଼ିଙ୍କ ଜୀବନକୁ ପ୍ରଭାବିତ କରିଥିଲା, ଏ.ଆଇ. ମଧ୍ୟ ଅନୁରୂପ ଢଙ୍ଗରେ ବର୍ତ୍ତମାନର ପିଢ଼ିଙ୍କ ଜୀବନର ଅଂଶବିଶେଷ ହୋଇ ରହିବ । ଏଥିରୁ ଦୂରେଇ ରହିବା ସମ୍ଭବ ନୁହଁ । ବରଂ ଏହାର ନକାରାତ୍ମକ ଦିଗକୁ ଅଣଦେଖା କରି ଭଲ କାମ ପାଇଁ ଏହାକୁ ଆପଣାଇବା ଶ୍ରେଷ୍ଠ ସାବ୍ୟସ୍ତ ହେବ । ପ୍ରଯୁକ୍ତି ବିଦ୍ୟାର ବିବର୍ତ୍ତନର ଏହି ମୋଡ଼ରେ ଏ.ଆଇ.ର ଅତ୍ୟନ୍ତ ଆବଶ୍ୟକତା ରହିଛି । କିନ୍ତୁ ଏ.ଆଇ.ର ବ୍ୟବହାରର ଦାୟିତ୍ୱ ନ୍ୟସ୍ତ ଦେଶର ଯୁବପିଢ଼ିଙ୍କ ହାତରେ । ଗ୍ଲୋବାଲ ଏ.ଆଇ. ଇମ୍ପାକ୍ଟ ସମ୍ମିଟ୍ରେ ଯୁବପିଢ଼ିଙ୍କ ଉତ୍ସାହ ଦେଖି ମୁଁ ଦୃଢ଼ ଭାବରେ ଅନୁଭବ କରୁଛି ଯେ, ଏକ ରାଷ୍ଟ୍ର ଭାବରେ ଏ.ଆଇ.କୁ ଆପଣାଇବାର ସର୍ବୋତ୍ତମ ସମୟ ଆସି ଉପନୀତ । ଏବେ ସୁଯୋଗ ହାତଛଡ଼ା କଲେ ଆମେ ପଛରେ ପଡ଼ିଯିବା ।