ନୂଆଦିଲ୍ଲୀ,୧୨।୪: ଚୀନ୍ ଅରୁଣାଚଳ ପ୍ରଦେଶର କିଛି ସ୍ଥାନର ନାମ ବଦଳାଇବାକୁ ଚେଷ୍ଟା କରୁଥିବା ନେଇ ଗଣମାଧ୍ୟମ ରିପୋର୍ଟକୁ ଭାରତ ସରକାର ଖଣ୍ଡନ କରିଛନ୍ତି। ରବିବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ (ଏମଇଏ) ଏପରି ରିପୋର୍ଟକୁ ଭିତ୍ତିହୀନ ଏବଂ ରାଜନୈତିକ ଭାବରେ ଉତ୍ତେଜନା ସୃଷ୍ଟିକାରୀ ବୋଲି କହି ଖାରଜ କରିଛି। ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ମଧ୍ୟ ଜାରି କରାଯାଇଛି।
Our response to media queries regarding China giving fictitious names to places ⬇️
— Randhir Jaiswal (@MEAIndia) April 12, 2026
🔗 https://t.co/j6WPzitrh2 pic.twitter.com/NDK1ZACyUZ
ବୈଦେଶିକ ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରଣଧୀର ଜୟସୱାଲ। ସେ କହିଛନ୍ତି, ‘ ଭାରତର ବିଭିନ୍ନ ସ୍ଥାନକୁ ଚୀନ୍ ନିଜ ମନଇଛା ନାମକରଣ କରିଥିବା ଚେଷ୍ଟାକୁ ଭାରତ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରେ। ଚୀନ୍ ମିଥ୍ୟା ଦାବି ଏବଂ ଭିତ୍ତିହୀନ କାହାଣୀ କହୁଛି। ତେବେ ସେ ବାସ୍ତବିକତାକୁ ପରିବର୍ତ୍ତନ କରିପାରିବନି। ଅରୁଣାଚଳ ପ୍ରଦେଶ ସମେତ ଏହି ସବୁ ସ୍ଥାନ ଏବଂ ଅଞ୍ଚଳଗୁଡ଼ିକ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା, ଅଛି ଏବଂ ସର୍ବଦା ରହିବ। ଚୀନର ଏହି କାର୍ଯ୍ୟ ଭାରତ-ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ଏବଂ ସ୍ୱାଭାବିକ କରିବା ପାଇଁ ଚାଲିଥିବା ପ୍ରୟାସକୁ ଦୁର୍ବଳ କରୁଛି। ଚୀନ୍ ସମ୍ପର୍କରେ ନକାରାତ୍ମକତା ସୃଷ୍ଟି କରୁଥିବା ଏବଂ ଉତ୍ତମ ବୁଝାମଣା ଗଠନ ପାଇଁ ଚେଷ୍ଟାକୁ ଆହୁରି ଦୁର୍ବଳ କରୁଛି। ତେଣୁ ତାକୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବା ଉଚିତ।’
ଉଲ୍ଲେଖନୀୟ ଯେ, ୨୦୨୧ ଡିସେମ୍ବରରେ, ଚୀନ୍ ଏକ ଚତୁର ରଣନୀତି ମାଧ୍ୟମରେ ଭାରତର ୨୧ ଟି ସ୍ଥାନର ନାମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଚୀନ୍ ତୱାଙ୍ଗରୁ ଅଞ୍ଜା ପର୍ଯ୍ୟନ୍ତ ୧୧ଟି ଅରୁଣାଚଳ ପ୍ରଦେଶ ଜିଲ୍ଲାର ମାନକ ନାମ ଚୀନ୍, ତିବ୍ବତୀ ଏବଂ ରୋମାନ ଲିପିରେ ପ୍ରକାଶ କରିଥିଲା। ଭାରତ ସେତେବେଳେ ଚୀନର ଏହି ପଦକ୍ଷେପକୁ ଗ୍ରହଣୀୟ ନୁହେଁ ବୋଲି କହି ନିନ୍ଦା କରିଥିଲା। ଭାରତ କହିଥିଲା, ନାମ ପରିବର୍ତ୍ତନ ଭୂମିର ବାସ୍ତବତାକୁ ପରିବର୍ତ୍ତନ କରେ ନାହିଁ। ଭାରତ କହିଛି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା ଏବଂ ସର୍ବଦା ରହିବ।