ଡ୍ରଗ୍ସ ମାମଲାରେ କ୍ଲିନ୍ ଚିଟ୍ ପାଇବା ପରେ କୋର୍ଟ ପହଞ୍ଚିଲେ ଆର୍ଯ୍ୟନ୍ ଖାନ, ପାସପୋର୍ଟ ଫେରସ୍ତ କରିବାକୁ ଦାବି

ନୂଆଦିଲ୍ଲୀ ୦୧/୦୭: ଆର୍ଯ୍ୟନ ଖାନଙ୍କୁ କ୍ରୁଜ ଡ୍ରଗ୍ସ ମାମଲାରେ ଜାମିନ ଏବଂ କ୍ଲିନ୍ ଚିଟ୍ ମିଳିବାର ଅନେକ ମାସ ବିତିଗଲାଣି। ବର୍ତ୍ତମାନ ଏହି ମାମଲାରେ କ୍ଲିନ୍ ଚିଟ୍ ପାଇବା ପରେ ଆର୍ଯ୍ୟନ୍ ଖାନ୍ ତାଙ୍କ ପାସପୋର୍ଟ ଫେରସ୍ତ କରିବାକୁ କୋର୍ଟଙ୍କୁ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଆର୍ଯ୍ୟନ୍ ଖାନ୍ ତାଙ୍କ ପାସପୋର୍ଟ ଫେରସ୍ତ ପାଇଁ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିଛନ୍ତି। ଜୁନ୍ ୩୦, ଗୁରୁବାର ଦିନ ତାଙ୍କ ଓକିଲଙ୍କ ମାଧ୍ୟମରେ ଏହି ଆବେଦନ କରାଯାଇଛି। ଆବେଦନରେ ଆର୍ଯ୍ୟନ୍ ଖାନ୍ ଉଲ୍ଲେଖ କରିଛନ୍ତି ତାଙ୍କ ପାଖରେ ଏନସିବି ଚାର୍ଜସିଟ୍ ନାହିଁ ତେଣୁ ତାଙ୍କ ପାସପୋର୍ଟ ଫେରସ୍ତ କରାଯାଉ। ଏହି ମାମଲାକୁ ଗ୍ରହଣ କରି କୋର୍ଟ ଏନସିବିକୁ ଉତ୍ତର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ମଧ୍ୟ ଜୁଲାଇ ୧୩ କୁ ମାମଲାର ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି।
ଆର୍ଯ୍ୟନ ଖାନଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଯାହା ଅନୁଯାୟୀ ତାଙ୍କୁ ମୁମ୍ବାଇ କିମ୍ବା ଦେଶ ବାହାରକୁ ଯିବାକୁ ଅନୁମତି ନଥିଲା। ଏହି କାରଣରୁ ତାଙ୍କୁ କୋର୍ଟରେ ପାସପୋର୍ଟ ଦାଖଲ କରିବାକୁ ପଡିଥିଲା। ତାଙ୍କୁ ପ୍ରଥମ କିଛି ମାସ ପାଇଁ ସାପ୍ତାହିକ ଉପସ୍ଥାନ ପାଇଁ ଏନସିବି କାର୍ଯ୍ୟାଳୟରେ ମଧ୍ୟ ଯୋଗଦେବାକୁ ପଡିଥିଲା।