ନୂଆଦିଲ୍ଲୀ ୧୩/୦୪: ଜଣେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ଆଶା ତାଈ ଇଣ୍ଡଷ୍ଟ୍ରିକୁ ଅନେକ ଚାର୍ଟବଷ୍ଟର ଦେଇଛନ୍ତି । କିନ୍ତୁ ତାଙ୍କ କ୍ୟାରିଅର୍‌ର ସବୁଠୁ ବଡ଼ ସୁପର୍ହିଟ ଗୀତକୁ ବ୍ୟାନ୍ ଘୋଷଣା କରାଯାଇଥିଲା । ୭୦ ଦଶକରେ ଦେବ ଆନନ୍ଦଙ୍କ ଫିଲ୍ମ ‘ହରେ ରାମା ହରେ କୃଷ୍ଣା’ ବକ୍ସ ଅଫିସ୍‌ରେ ଧୂମ୍ ମଚେଇଥିଲା । ଫିଲ୍ମରେ ଗୋଟିଏ ପରେ ଗୋଟିଏ ଦମ୍‌ଦାର ଗୀତ ଥିଲା । ତନ୍ମଧ୍ୟରେ ଅନ୍ୟତମ ଥିଲା ‘ଦମ୍ ମାରୋ ଦମ୍’ । ଫିଲ୍ମ ଇଣ୍ଡଷ୍ଟ୍ରିରେ ଏହା ଜବରଦସ୍ତ ହଲ୍‌ଚଲ୍ ସୃଷ୍ଟି କରିଥିଲା । କିନ୍ତୁ ଫିଲ୍ମକୁ ବ୍ୟାନ୍ କରାଗଲା । ୧୯୭୧ରେ ମୁକ୍ତିପ୍ରାପ୍ତ ‘ହରେ ରାମା ହରେ କୃଷ୍ଣା’ର ଏହି ଗୀତ ଇତିହାସ ରଚିଥିଲା । ଆର୍.ଡି. ବର୍ମନଙ୍କ ସଙ୍ଗୀତ ଓ ଆଶା ତାଈଙ୍କ ସ୍ୱର ଗୀତକୁ ରାତାରାତି ପ୍ରସିଦ୍ଧ କଲା । ତେବେ ଗୀତରେ ଅଭିନେତ୍ରୀ ଜିନତ ଅମାନଙ୍କୁ ହିପ୍ପି କଲ୍‌ଚର ଆପଣେଇବା ସହିତ ଚିଲମ ସହ ନିଶାରେ ଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଖୁବ୍ ବିବାଦ ଉପୁଜିଥିଲା । ଲୋକେ ଗୀତରେ ମାଦକ ଦ୍ରବ୍ୟର ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଉଥିବା ଅଭିଯୋଗ ଆଣିଥିଲେ ।

 

ଫିଲ୍ମର କାହାଣୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ସେ ସମୟରେ ଦେଶରେ ପ୍ରସାର ହେଉଥିବା ହିପ୍ପି କଲ୍‌ଚର ଓ ନିଶା ଅଭ୍ୟାସକୁ କଟାକ୍ଷ କରିବା । ରିପୋର୍ଟ ଅନୁସାରେ, ଗୀତକୁ ନେଇ ଏତେ ବିବାଦ ବଢ଼ିଯାଇଥିଲା ଯେ ଅଲ୍ ଇଣ୍ଡିଆ ରେଡିଓ ଗୀତକୁ ବ୍ୟାନ୍ କଲା । ଏମିତିକି ଦୂରଦର୍ଶନ ଫିଲ୍ମର ପ୍ରସାରଣ ସମୟରେ ଗୀତକୁ ହଟାଇଦେଲା । କିନ୍ତୁ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏତେ ବିବାଦ ସତ୍ତେ୍ୱ ଏହି ଗୀତ ପାଇଁ ଆଶାଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା ସମ୍ମାନ ମିଳିଲା । ‘ଦମ୍ ମାରୋ ଦମ୍’ ବିବାଦ ଓ କଟକଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ଆଜି ବି ଏହାକୁ ବଲିଉଡ୍‌ର ଏକ କ୍ଲାସିକ୍ ଗୀତ ଭାବେ ବିବେଚନା କରାଯାଏ । ଲୋକେ ଆଜି ବି ଏହାକୁ ଶୁଣିବାକୁ, ଏହାର ତାଳେ ତାଳେ ଝୁମିବାକୁ ପସନ୍ଦ କରୁଛନ୍ତି । ପରେ ଏ ଗୀତର ଅନେକ ରିମିକ୍ସ ପ୍ରସ୍ତୁତ ହେଲା । ଗୋଟିଏ ଗୀତରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ...'ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶେଷ ମୋଗଲ'.... ସଙ୍ଗୀତର ସେଇ ସୁନେଲି ଯୁଗକୁ ମନେ ପକାଇ ଦିନେ କହିଥିଲେ ଆଶା ଭୋସଲେ