ନୂଆଦିଲ୍ଲୀ,୧୩/୦୪; ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଛନ୍ତି ହିନ୍ଦୀ ସିନେମାର ଶେଷ 'ମୋଗଲ' । ଆଶା ତାଈ ନିଜେ ଏହା କହିଥିଲେ । ଯେତେବେଳେ ଲତା ଦିଦିଙ୍କ ଦେହାନ୍ତ ହେଲା, ଆଶା କହିଥିଲେ- ସମସ୍ତେ ତ ଚାଲିଗଲେ । ଏବେ କେବଳ ମୁଁ ହିଁ ରହିଲି । ସେ ସ୍ୱର ବି ଆଜି ନିରବି ଗଲା । ଏକ ରିୟଲିଟି ଶୋ’ରେ ଆଶା ସଙ୍ଗୀତର ସେଇ ସୁନେଲି ଯୁଗକୁ ମନେ ପକାଇଥିଲେ, ଯାହା ଭାରତୀୟ ସିନେମାକୁ ଏକ ନୂଆ ପରିଚୟ ଦେଇଥିଲା । ଏ ଅବସରରେ ସେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ । ଆଶା ଫିଲ୍ମ ଇଣ୍ଡଷ୍ଟ୍ରିର ସେହି କିମ୍ବଦନ୍ତୀ ବ୍ୟକ୍ତିତ୍ୱଙ୍କୁ ମନେ ପକାଇଥିଲେ, ଯେଉଁମାନେ ଆମ ଗହଣରେ ନାହାନ୍ତି । ହୃଦୟର ଗଭୀରତମ କୋଣରୁ ବେଶ ସରଳତାର ସହ ସେ ନିଜକୁ ଫିଲ୍ମ ଇଣ୍ଡଷ୍ଟ୍ରିର ‘ଶେଷ ମୋଗଲ’ କହିଥିଲେ ।
ତାଙ୍କର ଏହି ବୟାନ କେବଳ ତାଙ୍କ ଲମ୍ବା କ୍ୟାରିଅର୍କୁ ଦର୍ଶାଏ ତାହା ନୁହେଁ, ବରଂ ସେହି ସମୟ ପ୍ରତି ତାଙ୍କ ସମ୍ମାନ ଓ ନିଃସଙ୍ଗତାକୁ ମଧ୍ୟ ଉଜାଗର କରେ । କାରଣ ସେତେବେଳେ ସଙ୍ଗୀତ ଦୁନିଆରେ ଜଣଙ୍କଠୁ ବଳି ଜଣେ ମହାରଥୀ ଥିଲେ । ଇଣ୍ଡଷ୍ଟ୍ରିର ସେଇ ସ୍ୱର୍ଣ୍ଣିମ ଦିନଗୁଡ଼ିକର ସ୍ମୃତିକୁ ସତେଜ କରି ଆଶା କହିଥିଲେ, ତାଙ୍କ ସମୟରେ ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକମାନଙ୍କର ଏକ ଫୌଜ ଥିଲା । ସେମାନେ ନିଜ କଳା ଜରିଆରେ ଏ ଇଣ୍ଡଷ୍ଟ୍ରିକୁ ପ୍ରସ୍ଫୁଟିତ କରିଥିଲେ । ରିୟଲିଟି ଶୋ’ରେ ସେ ସମୟର ଚର୍ଚ୍ଚା ବେଳେ ଆଶା ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଥିଲେ । ଯେତେବେଳେ ତାଙ୍କ ଭଉଣୀ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ବଞ୍ଚିଥିଲେ, ତାଙ୍କୁ କହିଥିଲେ, ଏବେ ଆମେ ଦୁହେଁ ହିଁ ଶେଷ ମୋଗଲ ବଞ୍ଚିଛୁ । କିନ୍ତୁ ଲତା ଦିଦିଙ୍କ ଦେହାନ୍ତ ପରେ ନିଜକୁ ସେହି ମହାନ ସଙ୍ଗୀତ ଯୁଗର ଅନ୍ତିମ ମୋଗଲ କହିଥିଲେ ଆଶା ।
ତେବେ ଆଶା ପ୍ରଥମ ଥର ନିଜକୁ ଶେଷ ମୋଗଲ ଭାବେ ସମ୍ବୋଧନ କରିନାହାନ୍ତି । ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ, ଫିଲ୍ମ ଇଣ୍ଡଷ୍ଟ୍ରିର ଇତିହାସ କେବଳ ମୁଁ ହିଁ ଜାଣିଛି । ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଗାୟକ... ସମସ୍ତଙ୍କର ଏତେ କାହାଣୀ ଅଛି ଯେ ଯଦି ମୁଁ ସେ ବିଷୟରେ ଚର୍ଚ୍ଚା କରିବି ତେବେ ୩-୪ ଦିନ ଲାଗିବ । ମୁଁ କିଛି ବି ଭୁଲିନି । ମୁଁ ଏହି ଫିଲ୍ମ ଉଦ୍ୟୋଗର ଶେଷ ମୋଗଲ । ଦୀର୍ଘ ୮୦ ଦଶନ୍ଧିର କ୍ୟାରିଅର୍ରେ ଇଣ୍ଡଷ୍ଟ୍ରିକୁ ଆଶା ଦେଇଛନ୍ତି ହଜାର ହଜାର ଚାର୍ଟବଷ୍ଟର ଗୀତ । ଆଧୁନିକ-ପାଶ୍ଚାତ୍ୟ ଶୈଳୀକୁ ବଲିଉଡ୍ ସିନେ ପରଦାରେ ବେଶ ନିଖୁଣ ଭାବେ ପ୍ରଦର୍ଶିତ କରିଥିଲା ତାଙ୍କ ସ୍ୱର । ସେ ଇଣ୍ଡି-ପପ୍ ଯୁଗର ମୂଳଦୁଆ ପକାଇଥିଲେ । ଏ ନେଇ ଅନେକ ଆଲୋଚନା-ସମାଲୋଚନାର ସମ୍ମୁଖୀନ ବି ହୋଇଥିଲେ । କିନ୍ତୁ କାହାକୁ ଖାତିର୍ କରିନଥିଲେ । ଗୋଟିଏ ପରେ ଗୋଟିଏ ସୁପର୍ହିଟ ଗୀତ ସହିତ ସେ ଇଣ୍ଡଷ୍ଟ୍ରିର ଆଗଧାଡ଼ିର ଶୀର୍ଷ ପ୍ରଚ୍ଛଦ ଗାୟିକାର ପରିଚିତି ପାଇଲେ ।
ତାଙ୍କ ଗୀତରେ କେବଳ ଆଧୁନିକତାର ଛାପ ନ ଥିଲା, ଶାସ୍ତ୍ରୀୟ ଗଜଲର ସୁନ୍ଦର ମିଶ୍ରଣ ବି ଥିଲା । ଆଶା ଏମିତି ସର୍ପ୍ରାଇଜ୍ ପ୍ୟାକେଜ୍ ଥିଲେ, ଯିଏ ୫୦ ଦଶକରେ ଯେମିତି ଦର୍ଶକଙ୍କ କ୍ରେଜ୍ ବଢ଼ାଇଥିଲେ, ତା’ଠୁ ବେଶି ଚକିତ କରିଥିଲେ ବିଂଶ ଶତାବ୍ଦୀରେ । ନୂଆ ସ୍ୱର, ନୂଆ ଅନ୍ଦାଜ୍ ମରାଠୀ ଭାଷାରେ ଗୀତ ଗାଇବା ଆରମ୍ଭ କରିଥିବା ଆଶା ୧୯୪୮ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲେ । ହିନ୍ଦୀ ଫିଲ୍ମରେ ସେତେବେଳେ ନୂର୍ ଜହାଁ, ଶମଶାଦ ବେଗମ୍, ସୁରୈୟା ଓ ଗୀତା ଦତ୍ତଙ୍କ ଭଳି ଗାୟିକାଙ୍କ ରାଜ୍ ଥିଲା । ଆଶାଙ୍କ ଆଗରେ ଚାଲେଞ୍ଜ ନିଜେ ତାଙ୍କ ବଡ଼ ଭଉଣୀ ଲତା ମଙ୍ଗେସକର ଥିଲେ । ଦୁଇ ଭଉଣୀଙ୍କ ସ୍ୱର ଅନେକ ସମୟରେ ଏକାଭଳି ମନେହେଉଥିଲା । କିନ୍ତୁ ଆଶାଙ୍କ ସ୍ୱରକୁ ପରିଚୟ ମିଳିଲା ତାଙ୍କ ଅନ୍ଦାଜ୍ରୁ । ଆଶା ନିଜେ ମଧ୍ୟ ଅନେକ ଥର ସାକ୍ଷାତକାରରେ କହିଥିଲେ, ତାଙ୍କ ପାଖକୁ କେବଳ ସେହି ଗୀତ ଆସୁଥିଲା, ଯାହାକୁ ବଡ଼ ପ୍ରଚ୍ଛଦପଟ୍ଟ ଗାୟିକା ଗାଉନଥିଲେ । ଅନେକ ସମୟରେ କିଛି ଗୀତର ବୋଲି କିମ୍ବା ଭାବ ଏମିତି ଥିଲା ଯେ ଯାହାକୁ ସ୍ୱର ଦେଲେ ଦର୍ଶକ-ଶ୍ରୋତା ଓ ଇଣ୍ଡଷ୍ଟ୍ରିର ଲୋକେ ଆଲୋଚନା ବି କରୁଥିଲେ । କିନ୍ତୁ ଆଶା ତାଙ୍କ ପାଖକୁ ଆସୁଥିବା ପ୍ରତିଟି ଗୀତକୁ ବେଧଡ଼କ ଚୟନ କରୁଥିଲେ ଓ ଖୁବ୍ ଉପଭୋଗ କରି ଗାଉଥିଲେ । ଗୀତର ଭାବ ସହିତ ଭିଜି ଯାଉଥିବା ଏହି ଅନ୍ଦାଜ୍ ତାଙ୍କ ସ୍ୱରର ପରିଚୟ ପାଲଟିଗଲା । ନୂଆ ପିଢ଼ିର ସର୍ପ୍ରାଇଜ ପ୍ୟାକେଜ୍ ନୂଆ ଶତାବ୍ଦୀରେ ବି ଆଶା ନୂଆ ସ୍ୱର ଭାବେ ଇଣ୍ଡଷ୍ଟ୍ରିରେ ଦବ୍ଦବା ବଜାୟ ରଖିଲେ । ତାଙ୍କ ଗୀତ ଯୁବାଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ହେଲା ।
ଏହା ବି ପଢନ୍ତୁ...‘ରାଷ୍ଟ୍ରୀୟ ମର୍ଯ୍ୟାଦା’ ସହ ବଲିଉଡର ‘ମେଲୋଡି କୁଇନ୍’ଙ୍କୁ ଦିଆଯିବ ଅନ୍ତିମ ବିଦାୟ, ଶେଷ ଦର୍ଶନ ପାଇଁ ୪ ଘଣ୍ଟା