ମୁମ୍ବାଇ,୧୨।୪: ଭାରତୀୟ ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ ଘଟିଛି। ନିଜର ଜାଦୁଗରୀ ସ୍ବରରେ ୮ ଦଶକ ଧରି କୋଟି କୋଟି ହୃଦୟରେ ରାଜ କରୁଥିବା ବଲିଉଡର ମେଲୋଡି କୁଇନ୍ ଆଶା ଭୋଁସଲେ ପରଲୋକରେ। ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ରବିବାର ୯୨ ବର୍ଷରେ ଦୁନିଆକୁ ଅଲବିଦା କରିଛନ୍ତି। ତାଙ୍କର ମୃତ୍ୟୁ ନେଇ ସଙ୍ଗୀତ ଦୁନିଆ, ବଲିଡର ଜଗତ ଏବଂ ତାଙ୍କ ପ୍ରଶଂସକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଆଶାଙ୍କ ଅନ୍ତିମ ଦର୍ଶନ ଓ ଶେଷକୃତ୍ୟ ନେଇ ତାଙ୍କ ପୁଅ ଆନନ୍ଦ ଭୋଁସଲେ ସୂଚନା ଦେଇଛନ୍ତି। 

ଆନନ୍ଦ କହିଛନ୍ତି, ପ୍ରଶଂସକ ଓ ଶୁଭଚିନ୍ତକଙ୍କ ପାଇଁ ଅନ୍ତିମ ଦର୍ଶନର ସମୟ ଓ ସ୍ଥାନ ଧାର୍ଯ୍ୟ କରାଯାଇଛି। ସୋମବାର ସକାଳ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଲୋୟର ପରେଲ ସ୍ଥିତ ତାଙ୍କ ବାସଭବନ ‘କାସା ଗ୍ରାଣ୍ଡେ’ ରେ ଲୋତାଙ୍କର ଅନ୍ତିମ ଦର୍ଶନ କରିପାରିବେ। ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ। ସେଭଳି ସୋମବାର ଅପରାହ୍ନ ୪ଟା ବେଳେ ଦାଦର ସ୍ଥିତ ଐତିହାସିକ ଶିବାଜୀ ପାର୍କରେ ତାଙ୍କର ‘ରାଷ୍ଟ୍ରୀୟ ମର୍ଯ୍ୟାଦା’ ସହ ଅନ୍ତିମ ସଂସ୍କାର କରାଯିବ ।

ଆଶା ଭୋଁସଲେଙ୍କ ଦେହାନ୍ତ ପରେ, ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କର ଶେଷକୃତ୍ୟ ପୂର୍ଣ୍ଣ ‘ରାଷ୍ଟ୍ରୀୟ ମର୍ଯ୍ୟାଦା’ ସହିତ କରାଯିବ। ବିଜେପି ନେତା ଆଶିଷ ଶେଲାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ସହ କଥା ହେବା ପରେ ଏହି ସୂଚନା ଦେଇଛନ୍ତି। ଆଶିଷ ଶେଲାର କହିଛନ୍ତି, ‘ଆଜି ସମଗ୍ର ଦେଶ ଏବଂ ମହାରାଷ୍ଟ୍ର ଗଭୀର ଶୋକରେ ବୁଡ଼ି ରହିଛି। ଆଶା ତାଇଙ୍କ ଦେହାନ୍ତ ଏକ ଯୁଗର ଅନ୍ତ ଘଟାଇଛି। ତାଙ୍କର ବ୍ୟକ୍ତିତ୍ୱ ଏପରି ଥିଲା ଯେ ସେ ନିଜେ ଦୁଃଖକୁ ଗ୍ରହଣ କରିଥିଲେ, କିନ୍ତୁ ତାଙ୍କର ଅମୂଲ୍ୟ କଣ୍ଠସ୍ୱର ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ଖୁସି ଏବଂ ଆନନ୍ଦ ଦେଇଥିଲେ। ତାଙ୍କର ସଙ୍ଗୀତ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ପରିଚିତ।’

ଆହୁରି ପଢନ୍ତୁ : Asha Bhosle: କେତେ ସମ୍ପତ୍ତି ଛାଡିଗଲେ ଆଶା ଭୋସଲେ ? କେତେ ଦେଶରେ ଥିଲା ବିଜ୍‌ନେସ୍‌