ବିଶ୍ୱାସ ହେଉନି, ଏମିତି ସେ କାହିଁକି କଲେ କିଛି ବୁଝି ହେଉନି-ଗୋପାଳକୃଷ୍ଣଙ୍କ ପତ୍ନୀ ଜୟନ୍ତୀ

- ଗୋପାଳ ୧୯୯୦ରେ କନେଷ୍ଟବଳ ନିଯୁକ୍ତି ପାଇଥିଲେ
- ବାଇପୋଲାର୍ ଡିଜ୍ଅର୍ଡର ପାଇଁ ୧୦ ବର୍ଷ ହେଲା ଚିକିତ୍ସିତ ହେଉଥିଲେ
- ୪ ମାସ ହେଲା ଚିକିତ୍ସା ପାଇଁ ଛୁଟି ମିଳୁନଥିଲା: ପତ୍ନୀ
- ଘଣ୍ଟାଏ ପୂର୍ବରୁ ଭିଡିଓ କଲ୍ କରିଥିଲେ
ବ୍ରହ୍ମପୁର,୩୦/୦୧: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗାନ୍ଧି ଛକରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଏଏସ୍ଆଇ ଗୋପାଳକୃଷ୍ଣ ଦାସ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ସେ ଦୀର୍ଘ ବର୍ଷ ହେଲା ମାନସିକ ରୋଗରେ ପୀଡ଼ିତ ଥିଲେ । ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳରେ ରହୁଥିବା ଗୋପାଳକୃଷ୍ଣଙ୍କ ସ୍ତ୍ରୀ ଜୟନ୍ତୀ ଦାସ କହିଛନ୍ତି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ମଧ୍ୟ ଏକଥା ଦୋହରାଇଛନ୍ତି ।
ଘଟଣାରେ ସ୍ତବ୍ଧ ହୋଇଯାଇଥିବା ଜୟନ୍ତୀ କହିଛନ୍ତି, ବିଶ୍ୱାସ ହେଉନି, ଏମିତି ସେ କାହିଁକି କଲେ କିଛି ବୁଝି ହେଉନି । ମେଡିସିନ୍ ଖାଇଲେ ସେ ସୁସ୍ଥ ହେଉଥିଲେ । କିଛି ଦିନ ପରେ ପୁଣି ଅସୁସ୍ଥ ହୋଇଯାଉଥିଲେ । କିଛି ମାସ ତଳେ କଥାବାର୍ତ୍ତା ହେବା ସମୟରେ ଅସୁସ୍ଥ ଥିବା ଜାଣିପାରି ଆମେ ଛୁଟି ପାଇଁ ଆବେଦନ କରିଥିଲୁ । କିନ୍ତୁ ଉପରିସ୍ଥ ଅଧିକାରୀ ଛୁଟି ଦେଇନଥିଲେ ।
ସେ କହିଛନ୍ତି, ଯେତେବେଳେ ଏହି ରୋଗ ବାହାରୁଥିଲା ସେତେବେଳେ ତାଙ୍କ କଥାବାର୍ତ୍ତା ଠିକ୍ ରହୁନଥିଲା । ତେବେ ଛୁଟିକୁ ନେଇ ଏସ୍ପି କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କୁ ଜଣାଇନାହାନ୍ତି ବୋଲି କହିଛନ୍ତି । ସେ ବ୍ରହ୍ମପୁର ତହସିଲ ଅଫିସ ସମ୍ମୁଖ ଦି’ମାଇଣ୍ଡ କ୍ଲିନିକ୍ରେ ଚିକିତ୍ସିତ ହେଉଥିଲେ । କୋଭିଡ୍ ସଂକ୍ରମଣ ପରେ ଆଉ ଡାକ୍ତରଙ୍କ ସହ ଯୋଗାଯୋଗ ହୋଇନାହିଁ । ଅନ୍ୟପକ୍ଷରେ ଗୁଳିକାଣ୍ଡର ଘଣ୍ଟାଏ ପୂର୍ବରୁ ସେ ଭିଡିଓ କଲ୍ରେ କଥା ହୋଇଥିଲେ ଏବଂ ଭଲରେ କଥା ହୋଇଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।
ଗୋପାଳଙ୍କୁ ଚିକିତ୍ସା କରୁଥିବା ମାନସିକ ରୋଗ ବିଶେଷଜ୍ଞ ଡା. ଚନ୍ଦ୍ରଶେଖର ତ୍ରିପାଠୀ କହିଛନ୍ତି, ଗୋପାଳ ବାଇପୋଲାର ଡିଜ୍ଅର୍ଡର (ମନର ଉନ୍ମାଦ) ରୋଗରେ ଆକ୍ରାନ୍ତ ଥିଲେ । ଦୀର୍ଘ ୫ ବର୍ଷ ତଳେ ସେ ଚିକିତ୍ସା ନିମନ୍ତେ ନିୟମିତ ଆସୁଥିଲେ । ତାଙ୍କୁ କାର୍ବଲିଥ୍ ଏସ୍ଆର୍-୪୦୦, କ୍ଲୋନାଫିଟ୍ ୦.୫୦, ରିସ୍ପ୍ଲସ୍ ବଟିକା ସେବନ କରିବାକୁ ପରାମର୍ଶ ଦିଆଯାଇଥିଲା ।
ଏବେ କିନ୍ତୁ ବହୁଦିନ ହେଲା ସେ ଆସିନାହାନ୍ତି । ଏହି ରୋଗ ହେଲେ ସାଧାରଣତଃ ଉତ୍ପାତ ହେବେ, ରାଗିବେ, ଶୋଇବେ ନାହିଁ ଏବଂ ହିଂସ୍ର ପ୍ରବଣ ହେବ ବୋଲି ଡା. ତ୍ରିପାଠୀ କହିଛନ୍ତି । ଯଦିଓ କେତେବେଳେ ଆସିଛନ୍ତି, ତେବେ ମେଡିସିନ ବାବଦରେ ପଚାରିବାକୁ ଆସି ଥାଇପାରନ୍ତି । ବର୍ଷେ ତଳେ ଆସିଥିଲେ, ସେତେବେଳେ ମାନସିକ ସ୍ଥିତି ଠିକ୍ ଥିଲା ବୋଲି ଡା. ତ୍ରିପାଠୀ କହିଛନ୍ତି । ତାଙ୍କର ରୋଗ ପାଇଁ ସେ ଏଭଳି କରିଛନ୍ତି, ନା ଆଉ କ’ଣ କାରଣ ଥାଇପାରେ ତଦନ୍ତ ପରେ ହିଁ ଜଣାପଡିବ ବୋଲି ଡା. ତ୍ରିପାଠୀ କହିଛନ୍ତି ।
ଗୋପାଳଙ୍କ ଜଣେ ପୁଲିସ ବନ୍ଧୁ ତାଙ୍କ ନାମ ଗୋପନ ରଖି କହିଛନ୍ତି, ଗୋପାଳ ଶାନ୍ତ ସ୍ୱଭାବର ଥିଲେ । କିନ୍ତୁ ଗତ ୫ ମାସ ତଳେ ତାଙ୍କର ସ୍ୱଭାବ ସେଭଳି ନଥିଲା । ସେ ଉତ୍ପାତ ହେବା ଭଳି କଥା ହେଉଥିଲେ । ମନଇଛା କଥାବାର୍ତ୍ତା କରୁଥିଲେ ବୋଲି ସେ ସୂଚନା ଦେଇଛନ୍ତି । ଗୋପାଳ ୧୯୯୦ରେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇଥିଲେ । ପରେ ୨୦୦୯ରେ ପଦୋନ୍ନତି ପାଇ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ନିଯୁକ୍ତି ପାଇଥିଲେ । ତାଙ୍କ ନିଜ ଘର ଜଳେଶ୍ୱରଖଣ୍ଡି ହୋଇଥିବା ବେଳେ ବର୍ତ୍ତମାନ ଆଙ୍କୁଲି ଶିଳ୍ପାଞ୍ଚଳରେ ଘର କରି ରହୁଛନ୍ତି । ସ୍ତ୍ରୀ, ଝିଅ ପ୍ରିୟଙ୍କା ଓ ପୁଅ ପ୍ରିୟାଂଶୁଙ୍କୁ ନେଇ ଗୋପାଳଙ୍କ ପରିବାର । ପ୍ରିୟଙ୍କା ଘରୋଇ କଲେଜରେ ବିସିଏ ପଢ଼ୁଥିବା ବେଳେ ପୁଅ ପ୍ରିୟାଂଶୁ ଏକ ଘରୋଇ କଲେଜରେ ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟୟନ କରୁଛନ୍ତି ।
ଗୋପାଳଙ୍କ ବଡ଼ ଭାଇ ସତ୍ୟନାରାୟଣ ଦାସ ବ୍ରହ୍ମପୁର ମହାନଗର ନିଗମ ଅବସରପ୍ରାପ୍ତ ଟ୍ୟାକ୍ସ କଲେକ୍ଟର । କାହିଁକି ଗୋପାଳ ଏଭଳି କଲେ କେହି କିଛି ବୁଝିପାରୁନାହାନ୍ତି । ସେଠାକୁ ଯିବାକୁ ଭୟ ଲାଗୁଛି ବୋଲି କହିଛନ୍ତି ପରିବାରବର୍ଗ । ପ୍ରିୟାଂଶୁ କହିଛନ୍ତି, ବାପା ସବୁବେଳେ ଶାନ୍ତ ସ୍ୱଭାବର ଏବଂ ମଜା କରିଥାନ୍ତି । ତାଙ୍କ ଭିତରେ ଏତେ ରାଗ ନଥିଲା ।
ପଡୋଶୀ ବିମଳ କୁଣ୍ଡୁ କହିଛନ୍ତି, ୧୦ ବର୍ଷ ହେଲା ସେ ଗୋପାଳଙ୍କୁ ଜାଣିଛନ୍ତି । ସେ କାହା ସହ ଝଗଡା କରନ୍ତି ନାହିଁ । ଶାନ୍ତ ସ୍ୱଭାବ ଲୋକ ଏବଂ ସମସ୍ତଙ୍କ ସହ ଭଲ ବ୍ୟବହାର ମଧ୍ୟ କରନ୍ତି । ତେବେ ଏମିତି ଘଟଣା କେମିତି କଲେ ବିଶ୍ୱାସ କରିହେଉନାହିଁ । ୫ ମାସ ତଳେ ସେ ଘରକୁ ଆସିଥିଲେ। ସେତେବେଳେ ଦେଖା ହୋଇଥିଲା । ସେତେବେଳେ ତାଙ୍କ କଥା ଟିକେ ଅଲଗା ଲାଗୁଥିଲା । ଶେଷ ଖବର ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ପରଲୋକ ଖବର ପାଇ ଅଭିଯୁକ୍ତ ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କ ପରିବାର ଲୋକ ବ୍ରହ୍ମପୁରସ୍ଥିତ ଘରେ ତାଲା ପକାଇ କୁଆଡ଼େ ଚାଲିଯାଥିବା ଜଣାପଡ଼ିଛି ।