ଆବୁ ଧାବି,୨୩/୦୯: ଚଳିତ ଏସିଆ କପ୍ର ସୁପର-୪ ରାଉଣ୍ଡ୍ରେ ମଙ୍ଗଳବାର ପାକିସ୍ତାନ ଓ ଶ୍ରୀଲଙ୍କା ସାମ୍ନାସାମ୍ନି ହେବେ । ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଶ୍ରୀଲଙ୍କା ପ୍ରଥମ ମ୍ୟାଚ୍ରେ ବାଂଲାଦେଶ ଠାରୁ ଏବଂ ପାକିସ୍ତାନ ପ୍ରଥମ ମ୍ୟାଚ୍ରେ ଭାରତଠୁ ପରାଜିତ ହୋଇ ସାରିଛନ୍ତି । ତେଣୁ ମଙ୍ଗଳବାର ମ୍ୟାଚ୍ ଉଭୟ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ । ବିଜୟୀ ଦଳ ଫାଇନାଲ୍ ଆଶା ଉଜ୍ଜୀବିତ ରଖିବ । ପରାଜିତ ଦଳର ଆଶା ମଉଳିଯିବ ।
ଭାରତ ବିପକ୍ଷରେ ପରାଜିତ ହୋଇଥିଲେ ହେଁ ପାକିସ୍ତାନ ପୂର୍ବ (ଲିଗ ପର୍ଯ୍ୟାୟ) ମ୍ୟାଚ ତୁଳନାରେ ଉନ୍ନତ ପ୍ରଦର୍ଶନ କରିଥିଲା । ବିଶେଷ କରି ବ୍ୟାଟରମାନେ ଫର୍ମକୁ ଫେରିଥିଲେ । ସାହିବଜାଦା ଫରହାନ ଓ ସାଏମ ଆୟୁବଙ୍କ ବ୍ୟାଟ୍ରୁ ଉପଯୋଗୀ ରନ ବାହାରିଥିଲା । ଫଖାର ଜମାନ ମଧ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଶ୍ରୀଲଙ୍କାକୁ ହରାଇବାକୁ ହେଲେ ଭାରତ ବିପକ୍ଷ ମ୍ୟାଚ୍ ଭଳି ବ୍ୟାଟିଂ କରିବାକୁ ହେବ ।
ଶ୍ରୀଲଙ୍କାର ବ୍ୟାଟିଂ ବିଭାଗ ଫର୍ମରେ ରହିଥିଲେ ହେଁ ବୋଲିଂ ବିଭାଗ ଲୟ ହରାଇ ବସିଛି । କେବଳ ୱାନିଣ୍ଡୁ ହସରଙ୍ଗାଙ୍କୁ ଛାଡ଼ିଦେଲେ ଅନ୍ୟ ସବୁ ବୋଲର ଲାଇନ୍ ଓ ଲେଙ୍ଗଥ୍ରେ ନିୟନ୍ତ୍ରଣ ହରାଇଛନ୍ତି । ମଙ୍ଗଳବାରର ମ୍ୟାଚ୍ ପୂର୍ବରୁ ବୋଲିଂ ବିଭାଗ ଲୟକୁ ଫେରିବା ଜରୁରି । ବିଶେଷ କରି ଦୁଷ୍ମନ୍ତ ଚାମୀରା ଓ ଦୁନିଥ ୱେଲାଲଗେ ଫର୍ମ ଫେରି ପାଇଲେ ପାକିସ୍ତାନକୁ ଅଟକାଇବା ସହଜ ହେବ ।
ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କାଙ୍କ ଉପରେ ନଜର ରହିବ । ଚମତ୍କାର ଫର୍ମରେ ରହିଥିଲେ ହେଁ ଗତ ବାଂଲାଦେଶ ବିପକ୍ଷ ମ୍ୟାଚ୍ରେ ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ବାହାରି ନଥିଲା। ମାତ୍ର ଏହି ତ୍ରୁଟିକୁ ସେ ସୁଧାରି ନେବେ ବୋଲି ଆଶା କରାଯାଉଛି । ଭାରତ ବିପକ୍ଷରେ ଅର୍ଦ୍ଧଶତକ ଅର୍ଜନ କରିଥିବା ଫରହାନ ଚର୍ଚ୍ଚାରେ ରହିଥିଲେ ହେଁ ଆୟୁବ ଶ୍ରୀଲଙ୍କା ପାଇଁ ଚିନ୍ତାର କାରଣ ସାଜିବା ଆଶା କରାଯାଉଛି । ତାଙ୍କ ବ୍ୟାଟ୍ରୁ ରନ୍ ବାହାରିଲେ କୌଣସି ବୋଲରଙ୍କୁ ନିସ୍ତାର ମିଳିବ ନାହିଁ । ନୂଆ ବଲ୍ରେ ବୋଲିଂ କରି ସେ ନିୟମିତ ଭାବେ ୱିକେଟ୍ ମଧ୍ୟ ନେଉଛନ୍ତି ।
ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ଯାକ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କା ବିଜୟୀ ହୋଇଛି । ତେଣୁ ପାକିସ୍ତାନ ମଙ୍ଗଳବାର ଏହି ବିଜୟ ଧାରାରେ ବ୍ରେକ୍ ଲଗାଇବାକୁ ସବୁ ଶକ୍ତି ଖଟାଇବ ।
ଦୁବାଇ ତୁଳନାରେ ଆବୁଧାବି ପିଚ୍ ସାମାନ୍ୟ ମନ୍ଥର । ତେଣୁ ବିସ୍ଫୋରକ ବ୍ୟାଟିଂ କଷ୍ଟକର ହେବ । ସ୍ପିନରମାନେ ପିଚ୍ର ଫାଇଦା ଉଠାଇ ପାରିବେ । ରାତ୍ରିରେ ମ୍ୟାଚ୍ ଖେଳାଯାଉଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ମନେ ହେଉଛି । ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ଶ୍ରୀଲଙ୍କା: ପଥୁମ ନିଶଙ୍କା, କୁଶଲ ମେଣ୍ଡିସ, କାମିଲ ମିଶରା, କୁଶଲ ପେରେରା, ଚରିଥ ଆଶାଲଙ୍କା (ଅଧିନାୟକ), ଡାସୁନ ଶଣକା, କାମିଣ୍ଡୁ ମେଣ୍ଡିସ, ୱାନିଣ୍ଡୁ ହସରଙ୍ଗା, ଦୁନିଥ ୱେଲାଲଗେ, ଦୁଷ୍ମନ୍ତ ଚାମୀରା, ନୂଆନ ତୁଷାରା ।
ପାକିସ୍ତାନ: ସାହିବଜାଦା ଫରହାନ, ସାଏମ ଆୟୁବ, ଫଖାର ଜମାନ, ସଲମାନ ଆଘା (ଅଧିନାୟକ), ହାସାନ ନୱାଜ, ଖୁସଦିଲ ଶାହ, ମହମ୍ମଦ ହାରିସ, ମହମ୍ମଦ ନୱାଜ, ସହିନ ଆଫ୍ରିଦି, ହ୍ୟାରିସ ରୌଫ, ଅବରାର ଅହମ୍ମଦ