ବାଲିଅନ୍ତା, ୨୬।୫: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ସୌମ୍ୟରଞ୍ଜନ ସାହୁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ବଡ଼ ସଫଳତା ମିଳିଛି । ଦୀର୍ଘ ଦିନର ଛାନଭିନ୍ ଏବଂ ଖୋଳତାଳ ପରେ ଶେଷରେ ଏହି ବର୍ବର ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧରକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଗିରଫ ଅଭିଯୁକ୍ତ ଜଣକ ହେଲେ ବିନୋଦ କୁମାର ବେହେରା । କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳରୁ କ୍ରାଇମବ୍ରାଞ୍ଚର ଏକ ସ୍ୱେଶାଲ୍ ଟିମ୍ ଚଢ଼ାଉ କରି ତାକୁ ଗିରଫ କରିବାରେ ସକ୍ଷମ ହୋଇଛି । ବିନୋଦର ଗିରଫଦାରୀ ପରେ ଏହି ହତ୍ୟା ମାମଲାରେ ସମୁଦାୟ ଗିରଫ ସଂଖ୍ୟା ୧୬ରେ ପହଞ୍ଚିଛି ।

କେନ୍ଦ୍ରାପଡ଼ାରେ ଲୁଚିଥିଲା ମାଷ୍ଟରମାଇଣ୍ଡ:

ସୌମ୍ୟରଞ୍ଜନଙ୍କ ହତ୍ୟା ପରଠାରୁ ହିଁ ବିନୋଦ କୁମାର ବେହେରା ପୁଲିସ ଆଖିରେ ଧୂଳି ଦେଇ ଫେରାର ଥିଲା । ତାକୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ବିଭିନ୍ନ ସ୍ଥାନରେ ଜାଲ ବିଛାଇଥିଲା । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ କ୍ରାଇମବ୍ରାଞ୍ଚ ଟିମ୍ କେନ୍ଦ୍ରାପଡ଼ାର ଇନ୍ଦୁପୁରଠାରେ ଚଢ଼ାଉ କରିଥିଲା ଏବଂ ସେଠାରେ ଆତ୍ମଗୋପନ କରିଥିବା ବିନୋଦକୁ କାବୁ କରିଥିଲା । ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ବ୍ଲୁ-ପ୍ରିଣ୍ଟ ଏବଂ ଯୋଜନା ବିନୋଦ ହିଁ ପ୍ରସ୍ତୁତ କରିଥିବା କ୍ରାଇମବ୍ରାଞ୍ଚ ତଦନ୍ତରୁ ଜଣାପଡ଼ିଛି । ପୂର୍ବରୁ ଏହି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ୧୫ ଜଣ ଅଭିଯୁକ୍ତଙ୍କୁ ପୁଲିସ ଓ କ୍ରାଇମବ୍ରାଞ୍ଚ ବିଭିନ୍ନ ପର୍ଯ୍ୟାୟରେ ଗିରଫ କରିସାରିଛି । ବର୍ତ୍ତମାନ ବିନୋଦ ଗିରଫ ହେବା ପରେ ଏହି ବ୍ୟାପକ ହତ୍ୟାକାଣ୍ଡର ଅନେକ ଅକୁହା ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି ।

କ’ଣ ଥିଲା ପୂରା ଘଟଣା ?

ମେ ୭ ତାରିଖରେ ବାଲିଅନ୍ତା ଜିଆରପି କନେଷ୍ଟବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ହତ୍ୟା ହୋଇଥିଲା । ଯୁବତୀଙ୍କୁ ଅସଦାଚରଣ ଘଟ ତାଙ୍କୁ ପିଟିପିଟି ହତ୍ୟା କରିଥିଲେ ଲୋକେ । ଏହି ମାମଲାରେ ପୁଲିସ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରିସାରିଛି । ହେଲେ ଏହି ଘଟଣାରେ ସବୁଠୁ ଅଧିକ ବିବାଦୀୟ ହୋଇପଡିଥିଲେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାର । ଏହି ବରିଷ୍ଠ ଅଧିକାରୀଙ୍କ ନାଁରେ ସୌମ୍ୟଙ୍କ ପରିବାର ପକ୍ଷରୁ ଆଣିଥିଲେ ସଙ୍ଗୀନ ଅଭିଯୋଗ । ହେଲେ ଅଭିଯୋଗରେ କେତେ ସତ, କେତେ ମିଛ, ତା’ ବିଷୟରେ ସବିଶେଷ ତଥ୍ୟ ମିଳିନାହିଁ । ହେଲେ ଏହାରି ଭିତରେ ବରିଷ୍ଠ ଆଇପିଏସ୍ ଦୟାଲ ଗଙ୍ଗଓ୍ୱାରଙ୍କୁ ବଦଳି କରାଯାଇଛି । ଦୟାଲ ଗଙ୍ଗୱାରଙ୍କୁ ଗୃହ ବିଭାଗକୁ ବଦଳି କରାଯାଇଛି ।  ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରିବା ପାଇଁ କ୍ରାଇମବ୍ରାଞ୍ଚ ବିନୋଦକୁ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ । ରିମାଣ୍ଡ ସମୟରେ ଜେରା କରାଗଲେ ଏହି ଘଟଣାରେ ଆଉ କେଉଁ ବଡ଼ ମୁଣ୍ଡ ସାମିଲ ଅଛନ୍ତି କିମ୍ବା ଏହ ହତ୍ୟାକାଣ୍ଡ ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିବ ।

କହିରଖୁ କି, ଏହି ହତ୍ୟାକାଣ୍ଡରେ ଏବେ ମଧ୍ୟ ପ୍ରାୟ ୮ ରୁ ୧୦ ଜଣ ଅଭିଯୁକ୍ତ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ଜୋରଦାର ଚଢ଼ାଉ ଜାରି ରହିଛି । ଅଭିଯୁକ୍ତମାନଙ୍କୁ ଯେଉଁମାନେ ଆଶ୍ରୟ ଦେଉଛନ୍ତି କିମ୍ବା ସାହାଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି । ଏହି ବହୁଚର୍ଚ୍ଚିତ ଘଟଣାରେ କୌଣସି ଆଇପିଏସ୍ ଅଧିକାରୀଙ୍କ ସଂପୃକ୍ତି ଥିବା ନେଇ ଏପର୍ଯ୍ୟନ୍ତ କୌଣସି ପ୍ରମାଣ ସାମ୍ନାକୁ ଆସିନାହିଁ । ଘଟଣା ସମ୍ପର୍କରେ ଦୁଇଜଣ ଯୁବତୀ ଦେଇଥିବା ଏତଲାକୁ ଭିତ୍ତି କରି ପୁଲିସ ନିଜର ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଉଛି । ସୌମ୍ୟରଞ୍ଜନଙ୍କ ସହ ଥିବା ଓମ୍‌ଙ୍କର ଏପର୍ଯ୍ୟନ୍ତ କୌଣସି ପଲିଗ୍ରାଫ୍ ଟେଷ୍ଟ କରାଯାଇନାହିଁ । ଏଥିସହ ବର୍ତ୍ତମାନ ସୁଦ୍ଧା ହୋଇଥିବା ତଦନ୍ତ ଅନୁଯାୟୀ, ଏହି ହତ୍ୟା ଘଟଣାରେ ଓମ୍‌ଙ୍କର କୌଣସି ପ୍ରତ୍ୟକ୍ଷ ବା ପରୋକ୍ଷ ଭୂମିକା ନଥିବା କ୍ରାଇମବ୍ରାଞ୍ଚ ଆଇଜି ସୂଚନା ଦେଇଛନ୍ତି । "ତଦନ୍ତ ସଠିକ୍ ଦିଗରେ ଚାଲିଛି । ଖୁବ୍‌ଶୀଘ୍ର ବାକି ଫେରାର ଥିବା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ଏବଂ ଏହି ଅପରାଧ ସହ ଜଡ଼ିତ ସମସ୍ତ ଦିଗର ପର୍ଦ୍ଦାଫାଶ କରାଯିବ ।" ବୋଲି କ୍ରାଇମବ୍ରାଞ୍ଚ ଆଇଜି ସାର୍ଥକ ଷଡ଼ଙ୍ଗୀଙ୍କ କହିଛନ୍ତି ।

ଆହୁରି ପଢ଼ନ୍ତୁ... Balianta Murder Case: ସୌମ୍ୟ ହତ୍ୟା ମାମଲାରେ ବଦଳିଲେ ବିବାଦୀୟ ଆଇପିଏସ; ଦୟାଲ ଗଙ୍ଗଓ୍ବାରଙ୍କୁ ଗୃହ ବିଭାଗର OSD ଦାୟିତ୍ବ