ଇସଲାମାବାଦ, ୧୩।୧୧ : ପାକିସ୍ତାନରେ ମୁନୀର ଯୁଗର ଆରମ୍ଭ। ସର୍ବୋଚ୍ଚ କ୍ଷମତାର ଅଧିକାରୀ ହେଲେ ପାକ୍ ସେନା ମୁଖ୍ୟ। ବୁଧବାର ପାକିସ୍ତାନ ସଂସଦରେ ୨୭ତମ ସମ୍ବିଧାନ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଫଳରେ ମୁନୀର ଚିଫ୍ ଅଫ୍ ଡିଫେନ୍ସ ଫୋର୍ସେସ୍ ବା ସିଡିଏଫ୍ ନିଯୁକ୍ତ ହୋଇଛନ୍ତି। ମୁନୀରଙ୍କ କ୍ଷମତା ବଢିଥିବା ବେଳେ ସୁପ୍ରିମକୋର୍ଟଙ୍କ କ୍ଷମତାକୁ ସୀମିତ କରି ଦିଆଯାଇଛି। ନ୍ୟାୟପାଳିକାକୁ ଦୁର୍ବଳ କରି ଦିଆଯାଇଥିବାରୁ ବିରୋଧି ଏହାକୁ ‘ଲୋକତନ୍ତ୍ରର ଅନ୍ତିମ ସଂସ୍କାର ବୋଲି କହିଛି।

ସମ୍ବିଧାନ ସଂଶୋଧନ ସମୟରେ ସୁପ୍ରିମକୋର୍ଟଙ୍କ ଶକ୍ତିକୁ ହ୍ରାସ କରି ଦିଆଯାଇଛି। ଏବେ ସମ୍ବିଧାନିକ ମାମଲାର ଶୁଣାଣି ସୁପ୍ରିମକୋର୍ଟ ବଦଳରେ ସଂଘୀୟ ନ୍ୟାୟାଳୟରେ ହେବ, ଯାହାର ବିଚାରପତି ସରକାରଙ୍କ ଦ୍ବାରା ନିଯୁକ୍ତ କରାଯିବେ। କାରଣ ଗତ କିଛି ବର୍ଷ ଧରି ସୁପ୍ରିମକୋର୍ଟ ସରକାରଙ୍କ ଅନେକ ନୀତିକୁ ଖାରଜ କରିସାରିଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କୁ ପଦରୁ ହଟାଇଛନ୍ତି। ତେଣୁ ସୁପ୍ରିମକୋର୍ଟଙ୍କ କ୍ଷମତାକୁ ହ୍ରାସ କରି ଦିଆଯାଇଛି। ସୁପ୍ରିମକୋର୍ଟ କେବଳ ଦେଓ୍ବାନୀ ଓ ଫୌଜଦାରୀ ମାମଲାର ଶୁଣାଣି କରିବେ।

ପାକିସ୍ତାନ ସଂସଦରେ ଦୁଇ-ତୃତୀୟାଂଶରୁ ଅଧିକ ବହୁମତ ସହିତ ସମ୍ବିଧାନ ସଂଶୋଧନ ବିଲ୍ ପାସ୍। ଫଳରେ ପାକିସ୍ତାନରେ ଅସୀମ ମୁନିରଙ୍କୁ ମିଳିଛି ଅଖଣ୍ଡ କ୍ଷମତା। ସ୍ଥଳସେନା, ନୌସେନା ଓ ବାୟୁସେନାର ପୁରା କ୍ଷମତା ଏବେ ତାଙ୍କ ହାତରେ। ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଯାଇଛନ୍ତି ମୁନୀର। ପାକିସ୍ତାନର ପରମାଣୁ ନୀତିରେ ଏବେ ତାଙ୍କ ନିଷ୍ପତ୍ତି ହିଁ ଚୂଡ଼ାନ୍ତ ରହିବ। ତାଙ୍କ ଉପରେ ଆଜୀବନ ଆଇନଗତ ଛାଡ ପ୍ରଦାନ କରାଯିବ। ବିଲ୍ ସପକ୍ଷରେ ମୋଟ ୨୩୪ ଭୋଟ ଏବଂ ବିପକ୍ଷରେ ମାତ୍ର ୪ଟି ଭୋଟ୍ ପଡ଼ିଥିଲା। ଇମ୍ରାନ୍ ଖାନ୍ଙ୍କ ପାର୍ଟି ପାକିସ୍ତାନ ତହରିକ୍-ଇ-ଇନସାଫ୍ (ପିଟିଆଇ) ସଂସଦର ଅଧିବେଶନକୁ ବହିଷ୍କାର କରିଥିଲା। ଏହା ସହ ବିଲ୍କୁ ବିରୋଧ କରି ଏହାକୁ ଚିରି ଦେଇଥିଲା।

ଭୋଟିଂ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ନୱାଜ ସରିଫ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ ଉପସ୍ଥିତ ଥିଲେ। ଏହି ବିଲ୍ ଉଚ୍ଚ ସଦନ ଅର୍ଥାତ ସିନେଟ୍ରେ ପାସ୍ ହୋଇସାରିଛି। ସେତେବେଳେ ଏହା ସପକ୍ଷରେ ୬୪ ଟି ଭୋଟ ମିଳିଥିଲା। ଏବେ ନିମ୍ନ କକ୍ଷରେ ପାସ୍ ହେବାପରେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କ ନିକଟକୁ ମଞ୍ଜୁରୀ ପାଇଁ ପଠାଇ ଦିଆଯାଇଛି। ସେ ମଞ୍ଜୁରୀ ପ୍ରଦାନ କରିବା କେବଳ ମାତ୍ର ଏକ ଔପଚାରିକତା।