ଉତ୍କଳ ବିଶ୍ୱବିଦ୍ୟାଳୟରେ ଗଠିତ ହେଲା ଏସ୍ପିଭି

ଭୁବନେଶ୍ୱର,୬ା୬(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟରେ ଗଠିତ ହେଲା ସ୍ପେଶାଲ୍ ପରପୋଜ୍ ଭେହିକିଲ୍ ବା ଏସ୍ପିଭି । ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ପାଣ୍ଠି ଆଣିବା ସହିତ ଏହାର ସଫଳ ବିନିଯୋଗ ଉପରେ ନଜର ରଖିବ ଏସ୍ପିଭି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଏସ୍ପିଭିର ଅଧ୍ୟକ୍ଷ ଥିବା ବେଳେ କୁଳସଚିବ ଦୟାନିଧି ନାୟକ ସଦସ୍ୟ ସଚିବ ରହିଛନ୍ତି । ଏସ୍ପିଭିର କୋର୍ କମିଟିରେ ୯ଜଣ ସଦସ୍ୟ ସ୍ଥାନ ପାଇଥିବା ବେଳେ ଷ୍ଟିଅରିଂ କମିଟିରେ ୧୪ଜଣ ସଦସ୍ୟ ସ୍ଥାନ ପାଇଛନ୍ତି । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଦେଶର କ୍ୟାଟାଗୋରି-୧ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଥିବାରୁ ଶହେ କୋଟି ଟଙ୍କା ମିଳିଛି । ଯାହାକୁ ୨୦୨୦ ମାର୍ଚ୍ଚ ସୁଦ୍ଧା ଖର୍ଚ୍ଚ କରିବା ବିଶ୍ୱବିଦ୍ୟାଳୟ ପାଇଁ ଆହ୍ୱାନ ପାଲଟିଛି । ଏପରିକି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହି ପାଣ୍ଠିର ସଦ୍ବିନିଯୋଗ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗତ ୩୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କୁହାଯାଇଛି । ଏହି ବୈଠକରେ ଉତ୍କଳ ବିଶ୍ୱବିଦ୍ୟାଳୟର ‘ରୁସା’ ସଂଯୋଜକ ହିମାଂଶୁ ରାଉତ ଓ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ଯୋଗ ଦେଇଥିଲେ । ବୈଠକରେ ଓଡ଼ିଶା ସରକାରଙ୍କ ନିଯୁକ୍ତି ବ୍ୟାନ୍ ଉପରେ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ନିଯୁକ୍ତି ଉପରୁ ବ୍ୟାନ୍ ନ ହଟାଇଲେ ‘ରୁସା’ ସମେତ ଅନ୍ୟ ପାଣ୍ଠି ବିନିଯୋଗ ସଂସ୍ଥା ଦେଇଥିବା ଟଙ୍କା ଫେରିଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଚେତାବନୀ ଦିଆଯାଇଛି
ଏସ୍ପିଭି କେବଳ ଆର୍ଥିକ ପରଚାଳନା କରିବ ତାହା ନୁହଁ, ଏହା ସହିତ ନିର୍ମାଣାଧୀନ କାର୍ଯ୍ୟର ତଦାରଖ କରିବ । ସେହିପରି ଗବେଷଣାକୁ ମଧ୍ୟ ଗୁରୁତ୍ୱ ଦେବ । କେନ୍ଦ୍ରୀୟ ଅଡିଟ୍ ଏଜେନ୍ସି ଦ୍ୱାରା ଏସ୍ପିଭିର ଆକାଉଣ୍ଟ୍ ଅଡିଟ୍ କରାଯିବ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ଭାବେ ଗଢି ତୋଳିବା ପାଇଁ ଏସ୍ପିଭି କାର୍ଯ୍ୟ କରିବ । ଏସ୍ପିଭିକୁ ସୋସାଇଟି ପଞ୍ଜିକରଣ ଆଇନ ଅନୁସାରେ ପଞ୍ଜିକୃତ କରାଯାଇଛି । ଯାହାର ନାମ ଉତ୍କଳ ଏଣ୍ଟରପ୍ରିନିୟୋରସିପ୍ ଆଣ୍ଡ କ୍ୟାରିୟର୍ ହବ୍ ରଖାଯାଇଛି । ଏସ୍ପିଭିର ସଦସ୍ୟ ଭାବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ, ବୈଷୟିକ ଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀମାନେ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ଏକ ଜାତୀୟ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ, ସାମାଜିକ କର୍ମୀ ଏବଂ ଶିଳ୍ପପତିଙ୍କୁ ଏକ୍ସ ଅଫିସିଓ ସଦସ୍ୟ ରଖାଯାଇଛି ।
ବିଶ୍ୱବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହିତ କରିବା ପାଇଁ ଏଣିକି ପିଏଚ୍ଡି ଛାତ୍ରଛାତ୍ରୀଙ୍କ ଫେଲୋସିପ୍/ସ୍କଲାରସିପ୍ ରାଶିକୁ ୫୦ ହଜାରରୁ ୭୦ ହଜାର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କୁହାଯାଇଛି । ସେହିପରି ପୋଷ୍ଟ୍ ଡକ୍ଟରାଲ୍ ଫେଲୋସିପ୍/ସ୍କଲାରସିପ୍ ରାଶିକୁ ମାସିକ ୧ ଲକ୍ଷ ଟଙ୍କା କରିବାକୁ କୁହାଯାଇଛି । ୨୦୨୪-୨୫ ପର୍ଯ୍ୟନ୍ତ ଏହି ଫେଲୋସିପ୍/ସ୍କଲାରସିପ୍ ରାଶି ଦିଆଯିବ । ଗୁଣାତ୍ମକ ପବ୍ଲିକେଶନ୍, ପେଟେଣ୍ଟକୁ ବିଶ୍ୱବିଦ୍ୟାଳୟ ଗୁରୁତ୍ୱ ଦେବାକୁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ କହିଛି । ‘ରୁସା’ କ୍ୟାଟାଗୋରି-୧ ବିଶ୍ୱବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଥିବା ବିଶ୍ୱବିଦ୍ୟାଳୟଗୁଡ଼ିକ ପରସ୍ପର ମଧ୍ୟରେ ପାଠପଢ଼ା ଓ ଗବେଷଣା ଆଦି କ୍ଷେତ୍ରରେ ସହଯୋଗ କରିବାକୁ କୁହାଯାଇଛି । ଗୁଣାତ୍ମକ ଅନଲାଇନ୍ ପାଠ୍ୟକ୍ରମ କିମ୍ବା କୋର୍ସଗୁଡିକୁ ଅନୁମୋଦନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂଆଦିଲ୍ଲୀରେ ଗତ ୩୦ ତାରିଖରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସଞ୍ଜିବ କୁମାର ନାରାୟଣନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତିଗୁଡିକୁ କାର୍ଯ୍ୟକାରୀ କରିବାକୁ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଆଜି ଉଚ୍ଚଶିକ୍ଷା ବିଭାଗ କହିଛି । ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଷ୍ଟେଟ୍ ପରଫରମାନ୍ସ୍ ଟ୍ରାକିଂ ସେଲ୍ର ଭାରପ୍ରାପ୍ତ ଅଧିକାରୀ ମିହିର କୁମାର ଦାସ ଏ ସମ୍ପର୍କରେ ଆଜି କୁଳପତିଙ୍କୁ ଚିଠି ଲେଖିଛନ୍ତି ।