ନୂଆଦିଲ୍ଲୀ: ଆସାମ ରାଟ ହୋଲ କୋଇଲା ଖଣି ଅଘଟଣରେ ଶନିବାର ପୁଣି ୩ ଜଣଙ୍କ ଶବ ଉଦ୍ଧାର କରିଛି ଉଦ୍ଧାରକାରି ଦଳ। ଆସାମର ଦିମା ହସାଓ ଅଞ୍ଚଳରେ ଥିବା ଏହି କୋଇଲା ଖଣିରେ ହଠାତ୍ ପାଣି ଧସେଇ ପଶିବା ଯୋଗୁଁ ଖାଦାନରେ ମୋଟ ୯ ଜଣ ଫସି ରହିଥିଲେ। ଆଜି ଏହି ଅଘଟଣକୁ ୬ ଦିନ ପୁରୁଥିବା ବେଳେ ଏଯାଏ ଉଦ୍ଧାରକାରି ଦଳକୁ ସଫଳତା ମିଳିପାରିନାହିଁ।
ସୂଚନା ଅନୁଯାୟି, ଗତ ଜାନୁଆରୀ ୬ ତାରିଖରେ ଆସାମର ଦିମା ହସାଓ ଜିଲ୍ଲାରେ ଦୀର୍ଘ ୧୨ ବର୍ଷରୁ ଅଧିକ ସମୟ ଧରି ବନ୍ଦ ପଡିଥିବା ଏକ କୋଇଲା ଖଣିରେ ୯ ଜଣ ଶ୍ରମିକ ବେଆଇନ ଭାବେ ପସି କୋଇଲା ଉତ୍ତୋଳନ କରୁଥିଲେ। ହଠାତ୍ କୋଇଲା ଖଣିରେ ପାଣି ଧସେଇ ପଶିଥିଲା। ଏଣୁ କୋଇଲା ଖଣିରେ ଥିବା ସମସ୍ତ ଲୋକ ତା ମଧ୍ୟରେ ଫଶି ରହିଥିଲେ। ଏହି କୋଇଲା ଖାଦାନର ନାମ ରାଟ ହୋଲ ହୋଇଥିବା ବେଳେ ଏହା ଆସାମ-ମେଘାଳୟ ବୋର୍ଡର ନିକଟରେ ଅବସ୍ଥିତ।
ଏହି ଘଟଣା ଲୋକ ଲୋଚନକୁ ଆସିବା ପରେ ଖାଦାନରେ ଫଶିଥିବା ଲୋକ ମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଓ ଏସଡିଆରଏଫ ଦଳ ମିଳିତ ଭାବେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ନୌସେନା ଓ ସେନାର ଯବାନ ମାନେ ମଧ୍ୟ ଉଦ୍ଧାରକାରୀ ଦଳରେ ସାମିଲ ହୋଇଥିଲେ।
ଗତ ବୁଧବାର ଦିନ ଉଦ୍ଧାରକାରୀ ଦଳକୁ ଖାଦାନରୁ ଗଙ୍ଗା ବାହାଦୁର ଶ୍ରେସ୍ଥୋ ନାମକ ଜଣେ ନେପାଳି ଶ୍ରମିକଙ୍କ ମୃତଦେହ ମିଳିଥିଲା। ଏହାପରେ ଶନିବାର ସକାଳେ ଉଦ୍ଧାରକାରୀ ଦଳଙ୍କୁ ପ୍ରଥମେ ୨୭ ବର୍ଷିୟ ଲିଜେନ ମଗରଙ୍କ ମୃତଦେହ ମିଳିଥିଲା। ଅନେକ ଖୋଜାଖୋଜି କରିବାର କିଛି ସମୟ ପରେ ଅନ୍ୟ ଦୁଇଜଣଙ୍କ ମୃତଦେହ ମଧ୍ୟ ଉଦ୍ଧାରକାରୀ ଦଳଙ୍କୁ ମିଳିଥିଲା। ତେବେ ଉଦ୍ଧାର ହୋଇଥିବା ଅନ୍ୟ ଦୁଇଜଣଙ୍କ ମୃତଦେହର ପରିଚୟ ଏଯାଏ ମିଳିପାରି ନାହିଁ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଘୋଷଣା କରିଛନ୍ତି।
ଓଏନଜିସି ଓ କୋଲ ଇଣ୍ଡିଆ ଦେଇଥିବା ବିଶେଷ ଉପକରଣ ଯୋଗେ ଗତ ଗୁରୁବାରଠାରୁ ୩୪୦ ଫୁଟ ଗଭୀରତାରୁ ଅବିରତ ଭାବେ ପାଣି କଢା ଚାଲୁ ରହିଛି। ବନ୍ଦ ପଡିଥିବା ଏହି କୋଇଲା ଖାଦାନର ପ୍ରକୃତ ମାନଚିତ୍ର ଉପଲବ୍ଧ ନଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ତଥାପି ସେନା ଓ ନୈସେନା ପକ୍ଷରୁ ଆସିଥିବା ଡାଇଭର ମାନେ ପାଣି ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।