କାମାକ୍ଷା ମନ୍ଦିରରେ ମିଳିଲା ମହିଳାଙ୍କ କଟାମୁଣ୍ଡ,ନରବଳି ସନ୍ଦେହ

ଦିସପୁର,୨୦।୬: ଆସାମର ଗୌହାଟିରେ ଥିବା ପ୍ରସିଦ୍ଧ କାମାକ୍ଷା ମନ୍ଦିରରେ ସେତେବେଳେ ଲୋକମାନେ ହଠାତ ଆତଙ୍କିତ ହୋଇପଡିଥିଳେ ଯେତେବେଳେ ସେ ମନ୍ଦିର ପାଖରେ ଥିବା ନିଳାଞ୍ଚଳ ପହାଡରେ ଜଣେ ମହିଳାଙ୍କ କଟାମୁଣ୍ଡ ମୃତଦେହ ଦେଖିବାକୁ ପାଇଥିଲେ। କୁହାଯାଉଛି ଯେ, ମହିଳା ଜଣଙ୍କୁ ନରବଳି ଦିଆଯାଇଛି। ପୋଲିସ ମୃତଦେହ ନିକଟରୁ ପୂଜା ସାମଗ୍ରୀ ମଧ୍ୟ ଉଦ୍ଧାର କରିଛି। କାମାକ୍ଷା ମନ୍ଦିରରେ ଶନିବାର ଠାରୁ ବାର୍ଷିକ ଅମ୍ବୁବାଚୀ ମେଳା ଆରମ୍ଭ ହେବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ ମହିଳାଙ୍କ ମୁଣ୍ଡକଟା ଶବ ମିଳିବା କାରଣରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି। ପୋଲିସ ଏବେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ପୋଲିସର ସୂଚନା ଅନୁସାରେ ମହିଳାଙ୍କ ବୟସ ୪୫ ବର୍ଷ ପାଖାପାଖି ହେବ। ତାଙ୍କ ମୃତଦେହ ପାଖରୁ ପୂଜା ସାମଗ୍ରୀ ମିଳିଛି। ଏବେ ତଦନ୍ତ ଜାରି ରହିଛି। ଜଏଣ୍ଟ କମିଶନର ଦେବରାଜ ଉପାଧ୍ୟୟଙ୍କ କହିବା ଅନୁସାରେ ମହିଳାଙ୍କ ଶରୀର ପାଖରୁ ପୂଜା ସାମଗ୍ରୀ ବ୍ୟତୀତ ଚାରିଆଡେ ରକ୍ତ ଚିହ୍ନ ଦେଖିବାକୁ ମିଳିଛି। ପୋଲିସ ଅପରାଧୀକୁ ଧରିବାକୁ ସନ୍ଧାନୀ କୁକୁରର ସାହାର୍ଯ୍ୟ ନେଇଛି। ମୃତଦେହ ବ୍ୟବଚ୍ଛେଦ ହେବାପରେ ଜଣାପଡିବ ଯେ, ମହିଳାଙ୍କ ହତ୍ୟା ମନ୍ଦିର ଭିତରେ କିମ୍ବା ଅନ୍ୟ କେଉଁଠି ହୋଇକି ସେଠାକୁ ଅଣାଯାଇଛି।

ଅନ୍ୟପକ୍ଷେ ମନ୍ଦିରର ପୂଜାରୀ ନରବଳି ଘଟଣାକୁ ମନା କରିଛନ୍ତି। କାମାକ୍ଷା ମନ୍ଦିରର ବାରଦେଉରି ସମାଜର ସଚିବ ଭୂପେଶ କୁମାର ଶର୍ମାଙ୍କର କହିବା ଅନୁସାରେ ଏଭଳି କାମ କେହି ଅପରାଧୀ କରିଛନ୍ତି। ମହିଳାଙ୍କ ହତ୍ୟା ଅନ୍ୟ କେଉଁଠି କରାଯାଇ ତାଙ୍କର ମୃତଦେହକୁ ଏଠାକୁ ଅଣାଯାଇଛି। ଉଲ୍ଲେଖନୀୟ ଯେ, ପୂର୍ବରୁ ମଧ୍ୟ କାମାକ୍ଷା ମନ୍ଦିରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ୨୦୧୨ରେ ମନ୍ଦିର ଯାଉଥିବା ରାସ୍ତାରେ ଜଣେ ପୁରୁଷଙ୍କ କଟାମୁଣ୍ଡ ଦେଖିବାକୁ ମିଳିଛି। ଏହାପରେ ଖୁବ୍ ବିବାଦୀୟ ପରିସ୍ଥିତି ସୃଷ୍ପଟି ହୋଇଥିଲା।