ଜାମ୍ମୁ କାଶ୍ମୀରରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ! ପ୍ରସ୍ତୁତି ଆରମ୍ଭ କରିଦେଲେଣି ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ ୦୭/ ୦୩: ଜାମ୍ମୁ କାଶ୍ମୀରରେ ଖୁବଶୀଘ୍ର ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ସିଆରପିଏଫ୍ର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ସୂଚନା ମିଳିଛି । ଆସନ୍ତା ବିଧାନସଭା ନିର୍ବାଚନ ଏବଂ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ଏଜେନ୍ସି ଗୁଡିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । କାଶ୍ମୀର ଅପରେସନର CRPF ଆଇଜି ଏମ୍.ଏ. ଭାଟ୍ଟିଆ ତ୍ରାଳରେ ୟୁନିଟ୍ ହସ୍ପିଟାଲ ଉଦଘାଟନ ଅବସରରେ ଏଭଳି କିଛି କହିଛନ୍ତି ।
ଏମ୍.ଏ. ଭାଟ୍ଟିଆ କହିଛନ୍ତି, ‘ଜାମ୍ମୁ କାଶ୍ମୀରରେ ନିର୍ବାଚନ କିମ୍ବା ଅମରନାଥ ଯାତ୍ରା ଭଳି କାର୍ଯ୍ୟକ୍ରମର ପ୍ରସ୍ତୁତି ଚାଲିଛି । ତେବେ ଯାହା ବି କାର୍ଯ୍ୟକ୍ରମ ହେଉ ସୁରକ୍ଷାକର୍ମୀ ସବୁବେଳେ ପ୍ରସ୍ତୁତ ରହିଛି । ଆମେ ସୁରକ୍ଷା ଯୋଗାଇ ଦେବୁ । ଆଇନ ଶୃଙ୍ଖଳା ବ୍ୟବସ୍ଥା ଏବଂ ସୁରକ୍ଷା ପାଇଁ କଡା ବ୍ୟବସ୍ଥା କରାଯିବ’।

ଜାମ୍ମୁ କାଶ୍ମୀରର ସମସ୍ତ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ପ୍ରସ୍ତୁତିରେ ଲାଗିପଡିଛନ୍ତି । ନିର୍ବାଚନ କମିଶନ ଯେକୌଣସି ମୁହୁର୍ତ୍ତରେ ବିଧାନସଭା ନିର୍ବାଚନ କରାଇବାକୁ ଘୋଷଣା କରିପାରନ୍ତି । ୨୦୧୯ ମସିହାରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟିବା ପରେ ଜାମ୍ମୁ କାଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଆଉ ଧାରା ୩୭୦ ହଟିବା ପରେ ପ୍ରଥମ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି ।

ଗତ ବର୍ଷ ମାର୍ଚ୍ଚ ୫ ତାରିଖରେ ଜାମ୍ମୁରେ ୪୩ଟି ସିଟ୍ ଓ କାଶ୍ମୀରରେ ୪୭ଟି ସିଟ୍ ନିର୍ଦ୍ଧାରଣ କରାଯାଇଥିଲା । ଏହିଭଳି ଭାବେ ଜାମ୍ମୁ କାଶ୍ମୀରରେ ମୋଟ ୯୦ଟି ସିଟ୍ରେ ନିର୍ବାଚନ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଜାମ୍ମୁରେ ୩୭ଟି ଓ କାଶ୍ମୀରରେ ୪୬ଟି ଆସନ ଥିଲା । ସେଠାରେ ରାଜନୈତିକ ଦଳଗୁଡିକ ମଧ୍ୟରେ ତୁରନ୍ତ ନିର୍ବାଚନ କରିବା ପାଇଁ ଦାବି କରୁଛନ୍ତି ।
ପୂର୍ବରୁ ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା କହିଥିଲେ, ଯଦି କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରରେ ସବୁକିଛି ଠିକ୍ ଠାକ୍ ଥିବା ଏବଂ ସ୍ଥିତି ସାମାନ୍ୟ ଥିବା କେନ୍ଦ୍ର ସରକାର ଦାବି କରୁଛନ୍ତି ତେବେ ବିଧାନସଭା ନିର୍ବାଚନ କରନ୍ତୁ । କେନ୍ଦ୍ର ସରକାର ଜନତାଙ୍କ ସହିତ ନୌଟଙ୍କି କରୁଛନ୍ତି । ଦେଶର ଅନ୍ୟ ସ୍ଥାନମାନଙ୍କରେ ନିର୍ବାଚନ ହେଉଛି କିନ୍ତୁ ଜାମ୍ମୁ କାଶ୍ମୀରରେ କେବେ ହେବ ସେ ନେଇ ସ୍ପଷ୍ଟ କରନ୍ତୁ’।