ଭୁବନେଶ୍ୱର ୧୬/୦୯: ବିଧାନସଭାର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ସର୍ବଦଳୀୟ ବୈଠକ ଅଧ୍ୟକ୍ଷତା କରିବେ ବାଚସ୍ପତି ସୁରମା ପାଢ଼ୀ। ଗୃହକୁ ସୁରୁଖୁରରେ ଚଲାଇବା ପାଇଁ ବୈଠକ ଆଲୋଚନା ହେବ। ତିନି ପ୍ରମୁଖ ଦଳ ବିଧାୟକମାନେ ମିଟିଂରେ ସାମିଲ ହେବେ। ଆସନ୍ତା ୧୮ରୁ ୨୫ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ। ଏଥର ବିଧାନସଭା ମୌସୁମୀ ଅଧିବେଶନରେ ମୋଟ୍‌ ୭ଟି କାର୍ଯ୍ୟଦିବସ ରହିଛି।

ଆସନ୍ତା ୧୮ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ତେଣୁ ମଙ୍ଗଳବାର ସର୍ବଦଳୀୟ ବୈଠକ ବସିବ। ଏହି ସ୍ୱଳ୍ପକାଳୀନ  ଅଧିବେଶନକୁ ସରଗରମ କରିବାକୁ ବିରୋଧୀ ଦଳ ପ୍ରସଙ୍ଗର ଲମ୍ବା ତାଲିକା  ଧରି ଅପେକ୍ଷା କରିଛନ୍ତି । ବିରୋଧୀ ଦଳର ପ୍ରତି ଅଭିଯୋଗ ଉପରେ ଶାସକ  ଦଳ ମଧ୍ୟ ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ ଅଛି ।

ଆସନ୍ତା ୧୭ ତାରିଖରେ  ବିଧାନସଭା ପାଇଁ ତିନି ଦଳର ରଣନୀତି ବୈଠକ ବସିବ ବୋଲି ଜଣାପଡ଼ିଛି । ଆସନ୍ତା ୧୭ ତାରିଖ ସନ୍ଧ୍ୟା ୫ଟାରେ ବିଜେଡି ବିଧାୟକ ଦଳ ବୈଠକ  ଅନୁଷ୍ଠିତ ହେବ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି,  ସରକାର ନିଜ ପ୍ରତିଶ୍ରୁତି ପାଳନ କରୁନାହାନ୍ତି । ନାରୀ ସୁରକ୍ଷା, ଜନପ୍ରତିନିଧିଙ୍କ କ୍ଷମତା ହ୍ରାସ ଭଳି ପ୍ରମୁଖ ପ୍ରସଙ୍ଗକୁ ବିଜେଡି ବିଧାନସଭାରେ ଉପସ୍ଥାପନ  କରିବ ।

କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ୧୭  ତାରିଖରେ କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାନସଭା ପାଇଁ ରଣନୀତି  ପ୍ରସ୍ତୁତ ହେବ । ସରକାର ବିରୋଧରେ କଂଗ୍ରେସ ଅନାସ୍ଥା ଆଣିବ । ଏଥିପାଇଁ  ବିଜେଡିର ସମର୍ଥନ ମଧ୍ୟ ଲୋଡ଼ାଯିବ । ଯଦି ବିଜେଡି ଅନାସ୍ଥା ଆଣିବ, ଆମେ  ତାଙ୍କୁ ସମର୍ଥନ ଦେବୁ । ବିଧାନସଭାରେ ନାରୀ ସୁରକ୍ଷା, ସାର ସଙ୍କଟ ଭଳି  ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିବୁ ।

ଆସନ୍ତା ୧୭ରେ ବିଜେପି ବିଧାୟକ ଦଳ ବୈଠକ ବସିବ । ଏ ନେଇ ବିଧାୟକ  ଅଶୋକ ମହାନ୍ତି କହିଛନ୍ତି, ସରକାର ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ।  କଂଗ୍ରେସ ଯେଉଁ ଅନାସ୍ଥା ପ୍ରସ୍ତାବ କଥା ଉଠାଇଛି, ତାହାର ଦମ୍ଭୋକ୍ତି ଉପରାଷ୍ଟ୍ରପତି  ନିର୍ବାଚନରେ ସ୍ପଷ୍ଟ ହୋଇଯାଇଛି । ରାଜ୍ୟବାସୀଙ୍କର ସରକାରଙ୍କ ଉପରେ ଆସ୍ଥା  ଅଛି । ଲୋକହସା ହେବା ପାଇଁ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିପାରେ । ବିଜେଡି  ଅଣ କଂଗ୍ରେସ ଦଳ । ତେଣୁ ବିଜେଡି କେବେ ବି କଂଗ୍ରେସ ସହ ଯିବ ନାହିଁ।