ନୂଆଦିଲ୍ଲୀ, ୨୦/୧୨ : ବର୍ଷ ଶେଷରେ ଘଟିବ ରୋମାଞ୍ଚକର ଘଟଣା। ଡିସେମ୍ଵରରେ ଦେଖିବାକୁ ମିଳିବ ସୁନ୍ଦର ନଜାରା। ଆକାଶରେ ହେବ ଅଦ୍ଭୁତ ସଂଯୋଗ। ବିରଳ ମହାଜାଗତିକ ଦୃଶ୍ୟ ଦେଖିବେ ଦେଶବାସୀ। ଖାଲି ଆଖିରେ ଦେଖିହେବ ୫ ଗ୍ରହ। ଉଲ୍‌କା ପିଣ୍ଡ ଖସିବ, ଗ୍ରହ ଗୁଡ଼ିକର ସ୍ଥିତି ବି ଦେଖିବାକୁ ମିଳିବ। 

ଚଳିତ ଡିସେମ୍ଵର ଶେଷ ଆଡ଼କୁ ଏବଂ ଆସନ୍ତା ବର୍ଷ ଜାନୁଆରୀ ପ୍ରଥମାର୍ଦ୍ଧରେ ଆକାଶରେ ଦେଖିବାକୁ ମିଳିବ ବିରଳ ଦୃଶ୍ୟ।  ପ୍ରାୟ ମାସେ ପର୍ଯ୍ୟନ୍ତ ଆକାଶରେ ଖାଲି ଆଖିରେ ଦେଖିହେବ ୫ଟି ଗ୍ରହ। ଏହି ଗ୍ରହ ସଂଯୋଗକୁ କୁହାଯାଏ ଗ୍ରହ ସମାବେଶ ବା ପ୍ଲାନେଟ୍‌ ପରେଡ୍‌। ଏହା ଏକ ବିରଳ ମହାଜାଗତିକ ଘଟଣା। ସୂର୍ଯ୍ୟ ଚାରିପଟେ ୮ଟି ଗ୍ରହ ଘୁରି ବୁଲୁଛନ୍ତି। ଏହି ୮ଟି ଗ୍ରହ ଭିତରୁ ପୃଥିବୀକୁ ଛାଡ଼ି ୫ଟି ଗ୍ରହକୁ ଦେଖିହେବ। ସୂର୍ଯ୍ୟାସ୍ତ ପରେ ପଶ୍ଚିମ ଦିଗବଳୟର କିଛି ଉପରେ ଉଜ୍ଜଳ ଶୁକ୍ର ଗ୍ରହ ରହିବ। ତାର କିଛି ଉପରକୁ ଥିବା ଇଷତ ହଳଦି ରଙ୍ଗର ଶନି ଗ୍ରହ ଓ ପୂର୍ବ ଦିଗ୍‌ବଳୟର କିଛି ଉପରେ ଉଜ୍ଜଳ ବୃହସ୍ପତି ଗ୍ରହ ରହିବ। ରାତି ବଢିବା ସହ ଏହି ଗ୍ରହ ଗୁଡ଼ିକ ପୂର୍ବରୁ ପଶ୍ଚିମ ଆଡକୁ ଗତି କରି କ୍ରମାନ୍ୱୟରେ ଅସ୍ତ ହେବେ। ରାତି ୯ଟା ବେଳକୁ ପ୍ରଥମେ ଶୁକ୍ର ଗ୍ରହ ଅସ୍ତ ହେବ ଓ ପ୍ରାୟ ସେହି ସମୟରେ ଲାଲ ରଙ୍ଗର ମଙ୍ଗଳ ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହେବ । ସେହି କ୍ରମରେ ବୁଧ ଗ୍ରହ ପୂର୍ବ ଦିଗବଳୟରେ ଭୋର ସମୟରେ ଉଦୟ ହେବ । 

ସାଧାରଣତଃ ବୁଧ ଗ୍ରହ ଖାଲି ଆଖିରେ ଦେଖାଯିବା ଅତ୍ୟନ୍ତ ବିରଳ । ଯାହା ଡିସେମ୍ବର ୨୦ରୁ ୩୦ ତାରିଖ ଯାଏ ପୂର୍ବ ଆକାଶରେ ସୂର୍ଯ୍ୟ ଉଦୟର ଠିକ୍‌ ପୂର୍ବରୁ ଦିଗ୍‌ବଳୟର ପ୍ରାୟ ୩୦ ଡିଗ୍ରୀ ମଧ୍ୟରେ ଦେଖାଯିବ। ଏହାଛଡ଼ା ୟୁରାନ୍‌ସ ଓ ନେପଚୁନ୍‌ ଗ୍ରହକୁ ମଧ୍ୟ ଛୋଟ ଦୂରବୀକ୍ଷଣରେ ଦେଖିହେବ। ସେହିପରି ଡିସେମ୍ଵର ୧ରେ ଅମାବାସ୍ୟା ଥିବାରୁ ଡିସେମ୍ଵର ୨ରେ ଉଲ୍କା ପିଣ୍ଡ ବର୍ଷା ଦେଖିବାକୁ ମିଳିପାରେ। ଦକ୍ଷିଣ ଗୋଲାର୍ଦ୍ଧରେ ରହୁଥିବା ଲୋକମାନେ ଏହି ସୁନ୍ଦର ନଜାରା ଦେଖିପାରିବେ। ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ବୈଜ୍ଞାନିକ ଡ. ଶୁଭେନ୍ଦୁ ପଟ୍ଟନାୟକ।